fbpx

ମିଳିମିଳା ଭାଇରସ୍ କେତେ କ୍ଷତିକାରକ: ଏହାର ଲକ୍ଷଣ କ’ଣ, ଭ୍ୟାକ୍ସିନ କାମ ନକଲେ କ’ଣ କରିବେ ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ବର୍ତ୍ତମାନ ମିଳିମିଳାକୁ ନେଇ ସାରା ବିଶ୍ୱରେ ଆତଙ୍କ ଜାରି ରହିଛି । ଏହା କେତେ ଭୟଙ୍କର ହୋଇପାରେ ସେନେଇ ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ସୂଚନା ଜାରି କରାଯାଇଥିଲା । ଜଣେ ରୋଗୀ ୧୨ରୁ ୧୮ ଜଣଙ୍କୁ ସଂକ୍ରମିତ କରିପାରେ ବୋଲି ହୁ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ନିକଟରେ ମୁମ୍ବାଇରେ ମିଳିମିଳା ମାମଲା ସଂଖ୍ୟା ବୃଦ୍ଧି ପାଇ ୩୨ରେ ପହଞ୍ଚି ଯାଇଛି । ତେଣୁ ବେଳ ଥାଉଥାଉ ଆମ ସମସ୍ତଙ୍କୁ ମିଳିମିଳା ବିଷୟରେ ଅଧିକ ତଥ୍ୟ ଜାଣିବା ସହ ସତର୍କ ହେବା ଜରୁରୀ ହୋଇପଡ଼ିଛି ।

ହୁ ମୁତାବକ, ମିଳିମିଳା ଭାଇରସ ଏକ ଘାତକ ସଂକ୍ରାମକ ବିମାରୀ ଅଟେ । ଏହା ପାରାମାଇକ୍ସୋ ଭାଇରସ ଦ୍ୱାରା ସଂକ୍ରମଣ ହୋଇଥାଏ । ସଂକ୍ରମିତ ରୋଗୀ ଛିଙ୍କିବା, ଖାସିବା ବା ଛେପ ପକାଇବା କାରଣରୁ ତା’ର ପାର୍ଟିକଲ ଜରିଆରେ ଏହି ଭାଇରସ୍ ଅନ୍ୟ ସୁସ୍ଥ ଲୋକଙ୍କୁ ବ୍ୟାପିଥାଏ । ଜଣେ ଏଥିରେ ସଂକ୍ରମିତ ହେବା ପରେ ବୁଖାର, ଶରୀର ଯନ୍ତ୍ରଣା, ଆଖିରେ ଜ୍ୱଳନ, ଆଖି ଲାଲ, ଖାସ, ଗଳା ସଂକ୍ରମଣ ଆଦି ଲକ୍ଷଣ ଦେଖାଯାଇଥାଏ । ପାଖାପାଖି ଏକ ସପ୍ତାହ ମଧ୍ୟରେ ଶରୀରରେ ଲାଲ ଦାନା ଓ ମୁହଁରେ ଧଳା ଚିହ୍ନ ଦେଖାଦେଇଥାଏ ।

ହୁ ମୁତାବକ, ଏହି ଭାଇରସ ଦ୍ୱାରା ଜଣେ ସଂକ୍ରମିତ ହେବାର ୧୦ରୁ ୧୨ ଦିନ ମଧ୍ୟରେ ଲକ୍ଷଣ ଦେଖାଦେଥାଏ । ମିଳିମିଳା ରୋଗୀଙ୍କ ସଂସ୍ପର୍ଶରେ ଆସିଲେ ମଧ୍ୟ ଜଣଙ୍କୁ ସଂକ୍ରମଣ ହୋଇପାରେ । ଲକ୍ଷଣ ଦେଖାଦେବା ପରେ ବିଳମ୍ବ ନକରୀ ଡାକ୍ତରଙ୍କ ସହିତ ସମ୍ପର୍କ କରନ୍ତୁ ଓ ରକ୍ତ ପରୀକ୍ଷା କରାଇ ନିଅନ୍ତୁ । ଯେଉଁ ପିଲାଙ୍କଠାରେ ଭିଟାମିନ-ଏ ଅଭାବ ରହିଥାଏ ସେମାନଙ୍କ ଠାରେ ମିଳିମିଳା ଆଶଙ୍କା ରହିଥାଏ । ଏଥିସହିତ ରୋଗ ପ୍ରତିରୋଧକ କ୍ଷମତା ହ୍ରାସ ପାଇବା ଦ୍ୱାରା ଏହି ରୋଗର ଆଶଙ୍କା ମଧ୍ୟ ରହିଥାଏ । ଟିକା ନେଇ ନଥିବା ଲୋକ ଓ ଗର୍ଭବତୀଙ୍କ କ୍ଷେତ୍ରରେ ଏହାର ଆଶଙ୍କା ଅଧିକ ଥାଏ ।

ଠିକ୍ ସମୟରେ ଚିକିତ୍ସା ନ କରିବା ଦ୍ୱାରା ଅନ୍ୟ ବିମାରୀ ହେବାର ଆଶଙ୍କା ବଢ଼ିଥାଏ । ରୋଗୀର ଆଖିକୁ ଦେଖା ନ ଯିବା, ଏନସେଫେଲାଇଟିସ, ଡାଇରିଆ, ଶ୍ୱାସରୋଗ ସହ ଜଡ଼ିତ ନିମୋନିଆ ମଧ୍ୟ ହୋଇପାରେ । ପିଲାମାନଙ୍କୁ ମିଳିମିଳା ସହିତ ରୁବେଲା ଭ୍ୟାକ୍ସିନ ଲଗାଇବା ଉଚିତ । ଏହାକୁ ଏମଆର ଭ୍ୟାକ୍ସିନ ମଧ୍ୟ କୁହାଯାଇଥାଏ । ଏହା ଦୁଇଟି ଡୋଜ୍ ଭାବେ ଦିଆଯାଇଥାଏ । ଭ୍ୟାକ୍ସିନର ପ୍ରଥମ ଡୋଜ ୯ରୁ ୧୧ ମାସର ପିଲାଙ୍କୁ ଓ ଦ୍ୱିତୀୟ ଡୋଜ୍ ୧୬ରୁ ୨୪ ମାସର ପିଲାଙ୍କୁ ଦିଆଯାଇଥାଏ ।

ବର୍ତ୍ତମାନ ସୁଦ୍ଧା ମିଳିମିଳାର ଚିକିତ୍ସା ପାଇଁ କୌଣସି ସଠିକ୍ ଟିକା ପ୍ରସ୍ତୁତ ହୋଇନାହିଁ । ଭ୍ୟାକ୍ସିନ ମାଧ୍ୟମରେ ସଂକ୍ରମଣକୁ ରୋକିବାକୁ ପ୍ରୟାସ କରାଯାଉଛି । ଏହା ପରେ ଯଦି ସଂକ୍ରମଣ ହୁଏ, ତେବେ ବିଭିନ୍ନ ପ୍ରକାରର ଭ୍ୟାକ୍ସିନ ଦ୍ୱାରା ଏହାର ପ୍ରଭାବକୁ ହ୍ରାସ କରାଯାଇପାରେ । ସଂକ୍ରମଣ ହେବା ପରେ ରୋଗୀକୁ ତରଳ ଖାଦ୍ୟ ଦେବା ଉଚିତ । ଅକ୍ସଫୋର୍ଡ ୟୁନିଭରସିଟିର ରିପୋର୍ଟ ମୁତାବକ, ଅଧିକ ଆୟ ଯୁକ୍ତ ଦେଶମାନଙ୍କରେ ୫ ହଜାର ମାମଲରେ ଜଣେ ମିଳିମିଳାରେ ମୃତ୍ୟୁବରଣ କରିଥାଏ । ସେହିପରି ନିମ୍ନ ଆୟ ଯୁକ୍ତ ଦେଶମାନଙ୍କରେ ୧୦୦ ରୋଗୀଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ଘଟିଥାଏ । ଏକ୍ସପର୍ଟଙ୍କ ମତରେ, ଏଥିରେ ମୃତ୍ୟୁ ଆଶଙ୍କା କମ୍, ମାତ୍ର ଆଲର୍ଟ ରହିବା ଜରୁରୀ । କାରଣ ମିଳିମିଳାର ଗମ୍ଭୀର ରୂପ ଅନ୍ୟ ରୋଗର ଆଶଙ୍କା ବଢ଼ାଇଥାଏ ।

Get real time updates directly on you device, subscribe now.