ଟ୍ରମ୍ପଙ୍କ ଟାରିଫ୍ ଝଡ଼କୁ ନେଇ ଜବାବ ଦେଲା ଭାରତ: ଚୁପ୍ ରହିବନି ଭାରତ, ଆମେ ବି ନଜର ରଖିଛୁ…
ବୈଦେଶିକ ମନ୍ତ୍ରଣାଳୟର ପ୍ରଥମ ପ୍ରତିକ୍ରିୟା: ଟ୍ରମ୍ପଙ୍କ ଦବଦବା ଉପରେ..
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଗୋଟେ ପରେ ଗୋଟେ ଝଟକା ଦେଉଛନ୍ତି। ପ୍ରଥମେ ଭାରତୀୟ ଦ୍ରବ୍ୟ ଆମଦାନୀ ଉପରେ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ବଢାଇଥିଲେ।ଏହାସହ ଭାରତୀୟ ଦ୍ରବ୍ୟ ଆମଦାନୀ ଉପରେ ଶୁଳ୍କର ପରିମାଣ ୫୦ ପ୍ରତିଶତ ବଢିଥିଲା।
ତେବେ ଗତକାଲି ପୁଣି ଆମେରିକା ମେଡିସିନ ଉପରେ ୧୦୦ ପ୍ରତିଶତ ଟିିକସ ଲାଗୁକରିଛି। ଏନେଇ ଭାରତ ତରଫରୁ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରନ୍ଧିର ଜୟସୱାଲ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି।
ଜୟସୱାଲ କହିଛନ୍ତି ଯେ ସୋସିଆଲ ମିଡିଆରେ ନୂତନ ଶୁଳ୍କ ସମ୍ପର୍କରେ ନୋଟିସ ପାଇବା ପରେ, ଭାରତ ଫାର୍ମା ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ ଉତ୍ପାଦ ଉପରେ ରିପୋର୍ଟ ଯାଞ୍ଚ ଚାଲିଛି । ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକ ଏହି ବିଷୟ ଉପରେ କଡ଼ା ନଜର ରଖିଛନ୍ତି ଏହାଦ୍ୱାରା ଭାରତ ଉପରେ କଣ ପ୍ରଭାବ ପଡିବ ସେ ବାବଦରେ ଅନୁଧ୍ୟାନ କରାଯାଉଛି । ଭାରତ ମଧ୍ୟ ଏସବୁ ଜିନିଷ ଉପରେ କଡ଼ା ନଜର ରଖିଛି ।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟିକସ ଲାଗୁ କରିବା ନେଇ ସୋସିଆଲ ମିଡିଆ ଯୋଗେ ସୂଚନା ଦେଇଥିଲେ ।ସୂଚନାମୁତାବକ ଆସନ୍ତା ଅକ୍ଟୋବର 1 ତାରିଖ ଠାରୁ ବ୍ରାଣ୍ଡେଡ୍ ଓ ପେଟେଣ୍ଟ ଔଷଧ ଆମଦାନୀ ଉପରେ ଆମେରିକା, ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବ। ମାତ୍ର ଯେଉଁ ସବୁ କମ୍ପାନୀ ଆଗରୁ ଆମେରିକାରେ ରହି ଔଷଧ ତିଆରି କରୁଛି ସେମାନଙ୍କ କୌଣସି ପ୍ରକାର ଟିକସ ଲାଗିବ ନାହିଁ ।
ଟ୍ରମ୍ପଙ୍କ ନୂଆ ଟିକସ: ଅକ୍ଟୋବର ପହିଲାରୁ ଲାଗୁହେବାକୁ ଥିବା ନୂଆ ନିୟମ ଅନୁଯାୟୀ ମେଡ଼ିସିନ ଉପରେ ସବୁଠାରୁ ଅଧିକ ୧୦୦ ପ୍ରତିଶତ ଟିକସ ଲାଗୁ କରାଯିବ । ବାଥରୁମ୍ ଭ୍ୟାନିଟି ଉପରେ ୫୦% ଚେୟାର ଓ ସୋଫା ଭଳି ଜିନିଷ ଉପରେ ୩୦% ଶୁଳ୍କ ଏବଂ ଭାରୀ ଟ୍ରକ୍ ଉପରେ ୨୫% ଶୁଳ୍କ ଲାଗୁହେବ।
ଯଦିଓ ଟ୍ରମ୍ପ ଶୁଳ୍କ ପାଇଁ କୌଣସି ଆଇନଗତ କାରଣ ପ୍ରଦାନ କରି ନାହାଁନ୍ତି, ସେ କହିଛନ୍ତି କି ଜାତୀୟ ସୁରକ୍ଷା ପାଇଁ ଏପରି ପଦକ୍ଷେପ ନେବା ନିହାତି ଦରକାର।କମାଣ୍ଡର-ଇନ୍-ଚିଫ୍ ଭାବରେ ସେ ତାଙ୍କ ଭୂମିକା ତୁଲାଉଥିବା କହିଛନ୍ତି ।
ଭାରତ ଆମେରିକାକୁ ସର୍ବାଧିକ ସଂଖ୍ୟକ ଜେନେରିକ୍ ଔଷଧ ପଠାଇଥାଏ ଏବଂ ଆମେରିକା ଦେଶରେ ଉତ୍ପାଦିତ ଔଷଧର ଏକ ତୃତୀୟାଂଶରୁ ଅଧିକ ଭାରତକୁ ରପ୍ତାନି କରିଥାଏ।
ଟ୍ରମ୍ପଙ୍କ 100ପ୍ରତିଶତ ଟିକସ ବ୍ରାଣ୍ଡେଡ୍ ଔଷଧ ଗୁଡିକ ଉପରେ ଲଗାଯିବ ମାତ୍ର ଶିଳ୍ପ ବିଶେଷଜ୍ଞମାନେ କହିଛନ୍ତି ଯେ ଜେନେରିକ୍ ଔଷଧକୁ ଯଦିଓ ଟାରିଫ ଭୟ ନାହିଁ ମାତ୍ର ଏହା ଅନ୍ୟ ମେଡିସିନ ଉପରେ ପ୍ରଭାବ ପକାଇବ। ହୁଏତ ଆଗକୁ ଟ୍ରମ୍ପଙ୍କ ମନ ବଦଳିପାରେ ସେ ଜେନେରିକ ମେଡିସିନ ଉପରେ ମଧ୍ୟ ଟିକସ ଲାଗୁ କରିପାରନ୍ତି। ଏଣୁ ଭାରତ ଉପରେ ସେତେଟା ପ୍ରଭାବ ପଡିବ ନାହିଁ ବୋଲି କହିବା ଅନୁଚିତ ।