କେମିତି ସୃଷ୍ଟି ହୁଏ ବାତ୍ୟା? ଏହି ସ୍ଥାନରୁ ହୁଏ ବାତ୍ୟାର ଜନ୍ମ, ପାଲଟିଯାଏ ମହାବାତ୍ୟା

ଓଡ଼ିଶା ଭାସ୍କର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଏବେ ବାତ୍ୟାର ରୂପ ନେଇ ଓଡିଶା ଉପକୂଳ ଆଡକୁ ମୁହାଁଇଛି । ଆସନ୍ତାକାଲି ଭୀଷଣ ବାତ୍ୟାର ରୂପ ନେଇ ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି। ବାତ୍ୟା ପ୍ରଭାବରେ ଉପକୂଳ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି । ତେବେ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଓଡିଶାର ଚିର ସହଚର ବୋଲି କହିଲେ ଭୁଲ ହେବନାହିଁ । ହେଲେ ଏହି ବାତ୍ୟା କ’ଣ ଓ ଏହା କେମିତି ସୃଷ୍ଟି ହୁଏ ଆସନ୍ତୁ ଜାଣିବା ।

ବିଜ୍ଞାନ କହେ, ବାତ୍ୟା ପଛରେ ରହିଥିବା ପ୍ରଥମ କାରଣ ହେଉଛି ସମୁଦ୍ର ଭିତରର ଉତ୍ତପ୍ତ ବାୟୁ । ସ୍ଥିର, ସୁଦୀର୍ଘ ଓ ଉତ୍ତପ୍ତ ସାମୁଦ୍ରିକ ଜଳରାଶି ବାତ୍ୟାକୁ ଡାକି ଆଣିଥାଏ । ସମୁଦ୍ର ଭିତରେ ଜଳଭାଗର ଉପର ସ୍ତରରେ ଦୀର୍ଘ ସମୟ ପାଇଁ ୨୬.୫ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ତାପମାତ୍ରା ରହିବା ଦ୍ୱାରା ସମୁଦ୍ର ଉପରେ ଥିବା ବାୟୁ ଗରମ ହୋଇ ଉପରକୁ ଉଠିଯାଏ । ଯାହା ଫଳରେ ତଳ ସ୍ତରରେ ସୃଷ୍ଟି ହୁଏ ବିଶାଳ ଶୂନ୍ୟସ୍ଥାନ । ଆଖପାଖ ଅଞ୍ଚଳରୁ ତଳସ୍ତରରେ ଥିବା ଶୀତଳ ବାୟୁ ଅଧିକ ବେଗରେ ଏହି ଅଞ୍ଚଳକୁ ଆସେ । ଏହି ବାୟୁ ବି ପୁଣି ଗରମ ହୁଏ ଆଉ ଉପରକୁ ଉଠେ । ଉପରକୁ ଉଠୁଥିବା ବାୟୁ ସାଥୀରେ ଅନେକ ଜଳୀୟ ବାଷ୍ପ ନେଇଯାଏ । ଯାହା ଉପରେ ପହଞ୍ଚିବା ପରେ ଥଣ୍ଡା ହୋଇଯାଏ ଆଉ ବଡ ବଡ ବାଦଲ ଖଣ୍ଡଲ ସୃଷ୍ଟି ହୁଏ ।

ଏପରିକି ଏହି ବାଦଲ ଖଣ୍ଡ ଗୁଡିକ ବେଳେ ବେଳେ ୧୦ କିଲୋମିଟରରୁ ଅଧିକ ଦୀର୍ଘ ହୋଇଥାଏ । ଏପଟେ ସମୁଦ୍ର ପୃଷ୍ଠରୁ ଉଠୁଥିବା ଗରମ ବାୟୁ ଏଥିରେ ମିଶିବା ଦ୍ୱାରା ଏହି ବାଦଲର ଘନତ୍ୱ ଓ ପରିସୀମା ବୃଦ୍ଧି ପାଇଚାଲେ । ଏସବୁ ବାଷ୍ପ ଘନୀଭୂତ ହେବା ଫଳରେ ଏହାର ଶକ୍ତି ବଢ଼ିବା ସହ ଏହା ପୁଣି ତଳକୁ ଆସେ । ଫଳରେ ଏହା ଏକ ଚକ୍ରର ରୂପ ନିଏ । ଯାହାକୁ ଚକ୍ରବାତ ବୋଲି ମଧ୍ୟ କୁହାଯାଇଥାଏ । ପୃଥିବୀର ଘୂର୍ଣ୍ଣନ ଜନିତ ବେଗ ଏହି ଚକ୍ରକୁ ଅଧିକ ବେଗ ଦିଏ । ଯାହା ଫଳରେ ଏହି ଗରମ ବାଦଲ ଖଣ୍ଡ ଗୁଡିକ ଏକ ନିର୍ଦ୍ଦିଷ୍ଟ ବିନ୍ଦୁ ଚାରି କଡ଼ରେ ଜୋରରେ ଘୂରିବାକୁ ଆରମ୍ଭ କରେ । ଏହାର ପରିସୀମା ୧୨ରୁ ୧୫ କିଲୋମିଟର ପର‌୍ୟ୍ୟନ୍ତ ବୃଦ୍ଧି ପାଇଥାଏ । ଧୀରେ ଧୀରେ କେନ୍ଦ୍ରର ଅଞ୍ଚଳରେ ଚାପ କମୁଥିବାରୁ ଏହା ବଢ଼ି ବଢ଼ି ଚାଲେ ଆଉ ସୃଷ୍ଟି ହୁଏ ବାତ୍ୟାର ଆଖି ।

ବାତ୍ୟାର କେନ୍ଦ୍ର ବା ଆଖି କୁହାଯାଉଥିବା ଏହି ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାୟୁ ଉପରକୁ ଉଠେ, ପୁଣି ଥଣ୍ଡା ହୁଏ । କେନ୍ଦ୍ରରେ ଚାପ ସବୁଠୁ କମ୍ ଥାଏ ଏବଂ ଧୀରେ ଧୀରେ ଏହା ବାହାର ଆଡ଼କୁ ବଢ଼ି ବଢ଼ି ଚାଲେ । ଦକ୍ଷିଣ ଗୋଲାର୍ଦ୍ଧରେ ବାମରୁ ଡାହାଣକୁ ଓ ଉତ୍ତର ଗୋଲାର୍ଦ୍ଧରେ ଡାହାଣରୁ ବାମକୁ ଘୂରି ଥାଏ ଏହି ବାୟୁଚକ୍ର ବା ଚକ୍ରବାତ । ପୃଥିବୀ ପୃଷ୍ଠରେ ତାପମାତ୍ରାଜନିତ ଅସମାନତା କାରଣରୁ ବାୟୁ ଚାପରେ ତାରତମ୍ୟ ସୃଷ୍ଟି ହୋଇଥାଏ । ଯାହା ବାତ୍ୟା ସୃଷ୍ଟି ହେବାର ମୂଳ କାରଣ ଅଟେ । ଏଥିରେ ଉଚ୍ଚଚାପ ବିଶିଷ୍ଟ ଚତୁର୍ପାଶ୍ୱର୍ ଅଞ୍ଚଳରୁ ନିମ୍ନଚାପ ବିଶିଷ୍ଟ କେନ୍ଦ୍ରାଞ୍ଚଳକୁ ପ୍ରବଳ ବେଗରେ ପବନ ବହିଥାଏ । ପବନର ବେଗ ଅନୁଯାୟୀ ଏହାର ପ୍ରକାର ଭେଦ କରାଯାଇଥାଏ । ଯାହାକୁ ବାତ୍ୟା, ଭୀଷଣ ବାତ୍ୟା, ଅତି ଭୀଷଣ ବାତ୍ୟା କିମ୍ବା ମହାବାତ୍ୟା ବୋଲି କୁହାଯାଇଥାଏ ।