fbpx

‘ବିଜେପି କାଶ୍ମୀର ପଣ୍ଡିତଙ୍କ କେତେ ଥଇଥାନ କରିଛି, ଫିଲ୍ମର ଆୟ ଅର୍ଥକୁ କାହିଁକି ସେମାନଙ୍କ ପାଇଁ ଖର୍ଚ୍ଚ କରାଯାଉନି’

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦ କାଶ୍ମୀର ଫାଇଲ୍ସକୁ ନେଇ ବିଜେପି ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି । ସେ ବିଜେପିକୁ ପ୍ରଶ୍ନ କରିଛନ୍ତି ଯେ ବିଜେପି ସରକାର ଗଠନ ହେବା ପରେ କେତେ କାଶ୍ମୀର ପଣ୍ଡିତଙ୍କୁ କାଶ୍ମୀରରେ ଥଇଥାନ କରାଯାଇଛି । ଦ କଶ୍ମୀର ଫାଇଲ୍ସକୁ ନେଇ ବିଜେପି ଏବଂ ଆପ୍ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି । ଅନ୍ୟପଟେଏହି ଫିଲ୍ମଟି ସମସ୍ତେ ଦେଖିବା ଦରକାର, ତେଣୁ ଏହାକୁ ୟୁଟ୍ୟୁବରେ ଛାଡିବାକୁ ଫିଲ୍ମର ନିର୍ମାତାଙ୍କୁ ଅନୁରୋଧ କରିଛନ୍ତି ଅରବିନ୍ଦ କେଜ୍ରିୱାଲ । ଏହାସହ ଏହି ଫିଲ୍ମରେ ଆୟ ହୋଇଥିବା ଟଙ୍କାକୁ କାଶ୍ମୀର ପଣ୍ଡିତଙ୍କ ଥଇଥାନ ପାଇଁ ଖର୍ଚ୍ଚ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।

ଫିଲ୍ମ ଉପରେ ଟିପ୍ପଣୀ କରି କେଜରିୱାଲ କହିଛନ୍ତି ଗତ ୨୫ ବର୍ଷରେ କାଶ୍ମୀର ପଣ୍ଡିତ କାଶ୍ମୀର ଛାଡିବା ପରେ ବିଜେପି କେନ୍ଦ୍ରରେ ୧୩ ବର୍ଷ କ୍ଷମତାରେ ରହିଛି । ତେବେ ଏହି ଅବଧିରେ କେତେ କାଶ୍ମୀର ପଣ୍ଡିତଙ୍କୁ ପୁନଶ୍ଚ ଥଇଥାନ ବ୍ୟବସ୍ଥା ସରକାର କରିଛନ୍ତି । ତେଣୁ ଏ ପ୍ରସଙ୍ଗରେ ରାଜନୀତି ନକରି , କାଶ୍ମୀର ପଣ୍ଡିତଙ୍କ ଥଇଥାନ ବ୍ୟବସ୍ଥା କରାଯାଉ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ।

କେଜ୍ରିୱାଲ କହିଛନ୍ତି, ଦ କାଶ୍ମୀର ଫାଇଲ୍ସ ପ୍ରାୟ ୨୦୦ କୋଟି ଆୟ କରି ସାରିଛି । ସେ ସଙ୍ଗୀନ ଅଭିଯୋଗ କରିଛନ୍ତି ଯେ, ବିଜେପି ଫିଲ୍ମ ଜରିଆରେ କାହାରି ବେଦନା ଏବଂ ଦୁଃଖ ଉପରେ ଅର୍ଥ କମାଉଛି । ଏମିତି କରିବା ଏକ ଅପରାଧ । ଦେଶ ଏହାକୁ କଦାପି ବରଦାସ୍ତ କରିବ ନାହିଁ । ବିଜେପି ଏହି ପ୍ରସଙ୍ଗରେ ରାଜନୀତି କରୁଛି । ତେଣୁ ଆମର ଦାବି ଦ କାଶ୍ମୀର ଫାଇଲ୍ସକୁ ୟୁଟ୍ୟୁବରେ ଅପଲୋଡ କରାଯାଉ । ଏଥିରୁ ହେଉଥିବା ଆୟକୁ କାଶ୍ମୀରୀ ପଣ୍ଡିତଙ୍କ କଲ୍ୟାଣ ଉପରେ ଖର୍ଚ୍ଚ କରାଯାଉ ।

Get real time updates directly on you device, subscribe now.