ଭାରତକୁ ବିପଦ ମଙ୍କିପକ୍ସ! ଜାଣନ୍ତୁ ଏ ନେଇ କେତେ ଦୂର ପ୍ରସ୍ତୁତ ରହିଛନ୍ତି ସରକାର?

ନୂଆଦିଲ୍ଲୀ: କରୋନା ପରେ ମଙ୍କିପକ୍ସ ଏବେ ଦେଶବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏପର୍ଯ୍ୟନ୍ତ ୭୫ଟି ଦେଶର ମୋଟ ୧୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ତେବେ ଭାରତରୁ ଚିହ୍ନଟ ହୋଇଥିବା ୪ଟି କେସ ମଧ୍ୟରୁ ଦିଲ୍ଲୀର ଆକ୍ରାନ୍ତଙ୍କର କୌଣସି ବିଦେଶ ଯାତ୍ରାର ତଥ୍ୟ ମିଳି ପାରୁନାହିଁ । ଏହାକୁ ନେଇ ମଙ୍କିପକ୍ସ ସହ ଲଢିବା ନିମନ୍ତେ ବିଭିନ୍ନ ସନ୍ଦେଶ ଜାରି କରିଛନ୍ତି ସରକାର । ତେବେ ମଙ୍କିପକ୍ସ ଭାଇରସକୁ ନେଇ ବିଶେଷଜ୍ଞମାନେ ଦେଇଛନ୍ତି ଏକ ବଡ ସୂଚନା । ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଗ୍ଲୋବାଲ ହେଲଥ ଇମରଜେନ୍ସି ଘୋଷଣା କରିଛି ।

ଏହି ଭାଇରସ ଭାରତ ପାଇଁ ବର୍ତ୍ତମାନ ଏତେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ନାହିଁ ବୋଲି ମତ ରକିଛନ୍ତି ବିଶେଷଜ୍ଞ । ମଙ୍କିପକ୍ସ ଆଗକୁ କରୋନା ଭଳି ସ୍ଥିତି ସୃଷ୍ଟି କରି ନପାରେ ବୋଲି ସେମାନେ ମତ ରଖିଛନ୍ତି । ମଙ୍କିପକ୍ସ ମାମଲାରେ ଲଗାତାର ନଜର ରଖିଛନ୍ତି କେନ୍ଦ୍ର ସରକାର । କେରଳରେ ସଂକ୍ରମିତ ଚିହ୍ନଟ ହେବା ପରେ ସେଠାକୁ ଏକ ଉଚ୍ଚସ୍ତରୀୟ ଟିମ ପଠାଯାଇଥିଲା । ତେବେ ଏହାପରେ ଗୁରୁବାର କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ମଙ୍କିପକ୍ସକୁ ନେଇ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି । ଭାଇରସକୁ ନେଇ ଅଧିକ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ।

ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ଏୟାରପୋର୍ଟ ଯାଞ୍ଚ କରାଯିବା ସହ ଉପଯୁକ୍ତ ଚିକିତ୍ସା ଏବଂ ସଂକ୍ରମିତଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିମାନଙ୍କୁ ନଜରରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ସମସ୍ତ ରାଜ୍ୟ ସରକାରଙ୍କୁ ଡେଡିକେଟେଡ ହେଲଥ ସେଣ୍ଟର ପ୍ରସ୍ତୁତ କରିବାକୁ ମଧ୍ୟ କୁହାଯାଉଛି ।

ମଙ୍କିପକ୍ସକୁ ପୂର୍ବରୁ ଆଉ ୬ଟି ସଂକ୍ରମଣକୁ ଗ୍ଲୋବାଲ ହେଲଥ ଇମରଜେନ୍ସି ଜାରି କରିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ୨୦୦୯ରେ ସ୍ୱାଇନ ଫ୍ଲୁ, ୨୦୧୪ରେ ପୋଲିଓ ଏବଂ ଇବୋଲା, ୨୦୧୮ରେ ଜୀକା, ୨୦୧୮ରେ କେ. ଇବୋଲା ଏବଂ ୨୦୧୯ରେ କୋଭିଡକୁ ଏହି ହାଇ ଆଲର୍ଟ ଜାରି କରାଯାଇଛି ।