fbpx

ଅସଲି ଏବଂ ନକଲି ମହୁ ଚିହ୍ନିବେ କିପରି ? ଏହି ଉପାୟରେ କରନ୍ତୁ ଶୁଦ୍ଧତାର ଯାଞ୍ଚ୍‌

ଓଡ଼ିଶା ଭାସ୍କର: ଆୟୁର୍ବେଦରେ ମହୁକୁ ମହାଔଷଧି ବୋଲି ବିବେଚିତ କରାଯାଇଛି । ମହୁରେ ଅନେକ ରୋଗ ଦୂର କରିବାର କ୍ଷମତା ରହିଛି । ମୁହୁରେ ଥିବା ଏଣ୍ଟି ଇନଫ୍ଲେମେଟୋରୀ ଗୁଣ ଥଣ୍ଡା ଓ କାଶ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ । ତେଣୁ ମହୁକୁ ଲିକ୍ୱିଡ୍ ଗୋଲ୍ଡ ମଧ୍ୟ କୁହାଯାଏ । ସ୍ୱାସ୍ଥ୍ୟ ପାଇଁ ବରଦାନ ସଦୃଶ ମହୁ ମଧ୍ୟ ଅପମିଶ୍ରିତ ହୋଇ ବଜାରରେ ବିକ୍ରି ହେଉଛି । ଏହାର ସେବନ କରି ବ୍ୟକ୍ତି ଅନେକ ସ୍ୱାସ୍ଥ୍ୟ ସମସ୍ୟା ଭୋଗିଥାଏ । ତେବେ ମହୁର ଶୁଦ୍ଧତା ଯାଞ୍ଚ୍ କରିବା ପାଇଁ ଆସନ୍ତୁ ଜାଣିବା କେଉଁ ସବୁ ଉପାୟ ଆପଣାଇବା ଉଚିତ ।

୧. ପାଣି: ମହୁର ପ୍ରକୃତି ଗାଢ଼ ବା ମୋଟା ଅଟେ । ତେଣୁ ଗୋଟିଏ ଗ୍ଲାସ ପାଣିରେ ଗୋଟିଏ ବୁନ୍ଦା ମହୁ ପକାନ୍ତୁ । ଯଦି ଏହା ତଳେ ଜମିଯାଏ ତେବେ ଏହା ଅସଲି । ନକଲି ମହୁ ସାଙ୍ଗେ ସାଙ୍ଗେ ରଂଗ ଛାଡ଼ିବ ଏବଂ ପାଣିରେ ସହଜରେ ମିଳେଇଯିବ ।

୨. ନିଆଁ(ଫ୍ଲେମ୍ ଟେଷ୍ଟ): ଛୋଟ କାଠିର ଗୋଟିଏ ପାଖରେ ତୁଳା ବାନ୍ଧି ଦିଅନ୍ତୁ । ଏହା ପରେ କିଛି ମହୁ ଲଗାଇ ନିଆଁରେ ପୋଡ଼ି ଦିଅନ୍ତୁ । ଅସଲି ମହୁ ହୋଇଥିଲେ ଏହା ସହଜରେ ଜଲିଯିବ । ଅପମିଶ୍ରିତ ମହୁ ହୋଇଥିଲେ ଏହା ଆଦ୍ରତା କିମ୍ବା ଫର୍ମେଣ୍ଟେସନ୍ ହେତୁ ସଠିକ୍ ଭାବରେ ଜଳିପାରିନଥାଏ । ଅପମିଶ୍ରିତ ମହୁ ଏହାର ଗୁଣବତ୍ତା ଏବଂ ସ୍ୱାଦକୁ ପ୍ରଭାବିତ କରିଥାଏ ।

୩. ଭିନେଗାର: ଭିନେଗାର ଏସିଟିକ୍ ଏସିଡ୍ ଏବଂ ଜଳର ମିଶ୍ରଣ ଯାହା ଅମ୍ଳୀୟ ପ୍ରକୃତିର ଅଟେ । ସାଧାରଣତଃ ଭିନେଗାର ପ୍ରିଜର୍ଭେଟିଭ ଭାବେ ବ୍ୟବହୃତ ହୋଇଥାଏ । ଏହା ଯେକୌଣସି ଜିନିଷ ସହ ମିଶିଲେ ରିଆକ୍ଟ କରିବା ସହ ତରଳାଇଥାଏ । ଗୋଟିଏ ଚାମୁଚ୍ ମହୁରେ ଗୋଟିଏ ବୁନ୍ଦା ଭିନେଗାର ମିଶାନ୍ତୁ । ଏଥିରୁ ବାଷ୍ପ ବାହାରିବା ସହ ଏହାର ରଂଗ ପରିବର୍ତ୍ତନ ହେଲେ ମହୁ ଅପମିଶ୍ରିତ ବୋଲି ଜାଣିବେ । ମହୁରେ କୌଣସି ପରିବର୍ତ୍ତନ ନହେଲେ ଏହା ଅସଲି ।

୪. ବ୍ରେଡରେ ଲଗାଇ ଦେଖନ୍ତୁ: ବ୍ରେଡରେ ଜାମ୍ କିମ୍ବା ବଟର ଭଳି ମହୁକୁ ଲଗାନ୍ତୁ । ଯଦି ଏହା ବ୍ରେଡ୍ ଉପରେ ସେମିତି ଲାଗି ରୁହେ ଏହା ଅସଲି । ସେହିପରି ବ୍ରେଡ୍ ମହୁ ଶୋଷଲେ କିମ୍ବା ଓଦା ହୋଇଗଲେ ଏହା ଶୁଦ୍ଧ ନୁହେଁ ବୋଲି ଜାଣିବେ । ବାସ୍ତବରେ ମହୁ ଓଦା ହେବା ସେଥିରେ ଚିନି ମିଶିଥିବା ସୂଚାଇଥାଏ ।

୫. ଆଙ୍ଗଳି ସାହାଯ୍ୟରେ: ନିଜ ଆଙ୍ଗୁଳିରେ ଟିକିଏ ମହୁ ନିଅନ୍ତୁ । ଏହା ଅନ୍ୟ ତରଳ ପଦାର୍ଥ ଭଳି ଝରିଗଲେ ଜାଣିବେ ଏହା ନକଲି । ଅସଲି ମହୁର ପ୍ରକୃତି ଗାଢ଼ ବା ମୋଟା ଅଟେ ।

୬. ମହୁକୁ ଗରମ କରନ୍ତୁ: ମହୁକୁ ଗରମ କରି ଏହାର ବାସ୍ତବତା ଯାଞ୍ଚ୍ କରିବା ଏକ ଉତ୍ତମ ଉପାୟ । ଗୋଟିଏ ଚାମୁଚରେ ଅଳ୍ପ ମହୁ ନେଇ ଗରମ କରନ୍ତୁ । ମହୁ ଅଠାଳିଆ ଏବଂ ଏଥିରୁ ଫେଣ ନ ବାହାରିଲେ ଏହା ଅସଲି । ଅପମିଶ୍ରିତ ମହୁକୁ ଗରମ କଲେ ଏଥିରୁ ଫେଣ ବାହାରିଥାଏ ।

Get real time updates directly on you device, subscribe now.