fbpx

Covid-19ର ନୂଆ ଭାରିଆଣ୍ଟ BF.7 କବଳରୁ ବର୍ତ୍ତିବେ କିପରି: ଆପଣାନ୍ତୁ ବିଶେଷଜ୍ଞଙ୍କ ସ୍ପେଶାଲ ରୁଲ୍

ନୂଆଦିଲ୍ଲୀ: ଚୀନରେ ତାଣ୍ଡବ ରଚିଥିବା କରୋନାର ନୂଆ ଭାରିଆଣ୍ଟ ବିଏଫ.୭ ବେଳକୁ ବେଳ ବିଶ୍ୱର ବିଭିନ୍ନ ଦେଶକୁ ବ୍ୟାପିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ମଧ୍ୟ ଆଲର୍ଟ ମୋଡ଼କୁ ଆସିବା ସହ ରାଜ୍ୟମାନଙ୍କୁ ଏନେଇ ଚେତାବନୀ ଦେଇସାରିଛନ୍ତି । କୋଭିଡ-୧୯ ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ତେବେ ପୁଣି ଥରେ କରୋନା ଫେରିବା ଫଳରେ ଜନତାଙ୍କୁ କର୍ଫ୍ୟୁ ଓ ଲକଡାଉନ୍ ଚିନ୍ତା ଘାରିଛି ।

ସାଧାରଣ ଭାବେ କରୋନା ସମାପ୍ତ ହୋଇଗଲା ବୋଲି ଅଧିକାଂଶ ଲୋକଙ୍କ ଧାରଣା ରହିଥିଲା । ମାତ୍ର ଅଚାନକ ସଂକ୍ରମଣ ବୃଦ୍ଧି ପୁଣି ଥରେ ସମସ୍ତଙ୍କର ଚିନ୍ତା ବଢ଼ାଇ ଦେଇଛି । ତେବେ ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମଏ)ର ଡାକ୍ତର ଅନିଲ ଗୋୟଲ କହିଛନ୍ତି, ଭାରତର ୯୫ ପ୍ରତିଶତ ଜନସଂଖ୍ୟାଙ୍କ ମଧ୍ୟରେ କରୋନା ପ୍ରତିରୋଧୀ ଇମ୍ୟୁନିଟି ସୃଷ୍ଟି ହୋଇଛି । ଏପରି ସ୍ଥିତିଳେ ଦେଶରେ ଲକଡାଉନ ଲାଗିବ ନାହିଁ । ଚାଇନିଜ ଲୋକଙ୍କ ତୁଳନାରେ ଭାରତୀୟଙ୍କ ଇମ୍ୟୁନିଟି ବେଶ୍ ମଜବୁତ ।

କୋଭିଡ୍ ସହିତ ଲଢ଼ିବା ପାଇଁ ଭାରତରେ ପୁରୁଣା ଫର୍ମୂଲା ଟେଷ୍ଟିଂ, ଟ୍ରିଟିଂ ଓ ଟ୍ରେସିଂକୁ ଆପଣାଇବା ଦରକାର । ଦେଶରେ ଲକଡାଉନ ଲାଗୁ ହେବାର ଆବଶ୍ୟକତା ପଡ଼ିବନି । ମାତ୍ର ଡାକ୍ତରମାନେ ଭାଇରସକୁ ନେଇ ସତର୍କ ରହିବାକୁ ଲୋକଙ୍କୁ ଅପିଲ କରୁଛନ୍ତି । ଏଥିସହିତ ଗାଇଡଲାଇନ୍ସକୁ ଫଲୋ କରିବାକୁ ମଧ୍ୟ କୁହାଯାଇଛି । ସମସ୍ତ ପଜିଟିଭ୍ ମାମଲାର ଜିନୋମ ସିକ୍ୱେନସିଂ କରିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ୨୦୨୦-୨୧ର ଘାତକ ଲହର ସମୟରେ ଭାରତରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରିଥିଲେ । ତେଣୁ ସୁରକ୍ଷା ନ ରହିଲେ ପୁଣି ଥରେ ଦେଶରେ ସଂକ୍ରମଣ ବୃଦ୍ଧି ପାଇପାରେ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, କରୋନା ସଙ୍କଟରୁ ବର୍ତ୍ତିବା ପାଇଁ ହାଇଜିନ ଉପରେ ନଜର ଦେବା ଜରୁରୀ । ସମୟ ସମୟରେ ନିଜର ହାତକୁ ପାଣି ଓ ସାବୁନରେ ଧୋଇବା ସହିତ ସାଇଟାଇଜରର ବ୍ୟବହାର କରନ୍ତୁ । ଛିଙ୍କିବା ସମୟରେ ମୁହଁ ଓ ନାକକୁ କହୁଣୀ ବା ଟିସୁ ପେପରରେ ଢାଙ୍କି ରଖାନ୍ତୁ । କବାଟର ହ୍ୟାଣ୍ଡେଲ, ଫୋନ ସ୍କ୍ରିନକୁ ନିୟମିତ ପରିସ୍କାର କରନ୍ତୁ । କାରଣ ଏହିସବୁ ଜିନିଷକୁ ସବୁଠାରୁ ବେଶି ସ୍ପର୍ଶ କରାଯାଇଥାଏ ।

ଘରୁ ବାହାରକୁ ଯିବା ସମୟରେ ସର୍ବଦା ମୁହଁ ଓ ନାକକୁ ମାସ୍କ ଦ୍ୱାରା କଭର କରନ୍ତୁ । ମାସ୍କ ପିନ୍ଧିବା ପୂର୍ବରୁ ହାତକୁ ଭଲରେ ସଫା କରନ୍ତୁ । ମାସ୍କ ପିନ୍ଧିବା ପରେ ପୁଣି ଥରେ ହାତ ଧୁଅନ୍ତୁ । ମାସ୍କକୁ ନିୟମିତ ଧୁଅନ୍ତୁ । ଯଦି ଆପଣ ଡିସ୍ପୋଜେବଲ ମାସ୍କ ବ୍ୟବହାର କରୁଛନ୍ତି, ତେବେ ଏକରୁ ଅଧିକ ଥର ବ୍ୟବହାର କରନ୍ତୁ ନାହିଁ । ଯଦି ଆପଣଙ୍କ ଆଖପାଖର କାହାକୁ ଥଣ୍ଡା, କାଶ ହୋଇଥାଏ ତେବେ ତାଙ୍କ ପାଖକୁ ଯାଆନ୍ତୁ ନାହିଁ ।

ବନ୍ଦ ସ୍ଥାନ, ଭିଡ଼ ଓ କୌଣସି ବ୍ୟକ୍ତିଙ୍କ ନିକଟକୁ ଯାଆନ୍ତୁ ନାହିଁ । ଯଦି ଆପଣ ଘରେ ରହୁଛନ୍ତି ତେବେ ଭେଣ୍ଟିଲେସନ ପାଇଁ କବାଟ, ଝରକା ଖୋଲା ରଖନ୍ତୁ । ବାହାରେ କାହା ସହ ମିଶିଲେ ମାସ୍କ ପିନ୍ଧନ୍ତୁ । ଯଦି ଜଣେ ବୀମାର ଥିବେ, ତେବେ ଏ କ୍ଷେତ୍ରରେ କୋଭିଡ-୧୯ ନିୟମ ପାଳନ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି । ଭ୍ୟାକ୍ସିନର ଦୁଇଟି ଡୋଜ ସହିତ ବୁଷ୍ଟ ଡୋଜ ନେବା ଉପରେ ଧ୍ୟାନ ଦିଅନ୍ତୁ । ଯଦି ଆପଣ କିଛି ଅସୁସ୍ଥ ଅନୁଭବ କରନ୍ତି, ତେବେ ସଙ୍ଗେସଙ୍ଗେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । କୋଭିଡର ସାଧାରଣ ଲକ୍ଷଣ, ବୁଖାର, ଶୁଖିଲା କାଶ, ଥକ୍କାପଣ, ଘ୍ରାଣ ଶକ୍ତି ହ୍ରାସ, ସ୍ୱାଦ ହ୍ରାସ, ମୁଣ୍ଡ ବ୍ୟଥା, ଗଳାରେ ସମସ୍ୟା, ଆଖି ଲାଲ ପଡ଼ିବା ଓ କୁଣ୍ଡାଇ ହେବା, ଡାଇରିଆ ଆଦି ପ୍ରତି ସତର୍କ ରୁହନ୍ତୁ ।

Get real time updates directly on you device, subscribe now.