fbpx

କେମିତି ଥିଲା ସ୍ୱାଧୀନତାର ପୂର୍ବ ରାତି? ଅଗଷ୍ଟ ୧୪ ମଧ୍ୟରାତ୍ରିରେ ଏପରି ଥିଲା ରାଇସିନା ହିଲ୍ସର ଦୃଶ୍ୟ…

୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତାର ସ୍ୱାଦ ଚାଖିଥିଲା ଆମ ଦେଶ ଭାରତ । ୨୦୦ ବର୍ଷର ବ୍ରିଟିଶ ଛାଟରୁ ସେଦିନ ମୁକ୍ତ ହୋଇଥିଲେ ଦେଶ ପ୍ରତ୍ୟେକଟି ନାଗରିକ । ମୁକ୍ତ ଆକାଶରେ ଡେଣା ମେଲାଇ ଉଡ଼ି ବୁଲୁଥିଲେ ବିହଙ୍ଗ, ଆଉ ଗାଇ ବୁଲୁଥିଲେ ସ୍ୱାଧୀନତାର ଗାନ । ଦେଶର ଆବାଳ ବୃଦ୍ଧ ବନିତା ମଧ୍ୟ ସେଦିନରୁ ଖୁସିର ଏକ ନୂଆ ପରିଭାଷା ପାଇଥେିଲ । ନା ଥିଲା ଯନ୍ତ୍ରଣାଦାୟକ ଦଣ୍ଡ ନା ଥିଲା କେଉଁ ବିଦେଶୀ ଶାସନର ଭୟ । ବାସ୍ ଜୀବନକୁ ଏକ ନୂଆ ରୂପରେ ଗଢି ତୋଳିବା ଆରମ୍ଭ କରିଥିଲା ଭାରତ । କିନ୍ତୁ ଏହି ନୂଆ ସକାଳର ପୂର୍ବ ରାତି ଖୁବ ଭୟଙ୍କର ଥିଲା । ରାଇସିନା ହିଲ୍ସରେ ମୁହାଁମୁହିଁ ହୋଇଥିଲା ଭାରତ ଏବଂ ଇଂରେଜ ଶାସନ । କଣ ହୋଇଥିଲା ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ଅର୍ଥାତ୍ ସ୍ୱାଧୀନତାର ପୂର୍ବ ଦିନ ରାତିରେ । ସେଦିନ ରାତିରେ କଣ ଘଟିଥିଲା? କେମିତି ଥିଲା ରାଇସିନା ହିଲ୍ସର ଦୃଶ୍ୟ? ଆସନ୍ତୁ ଜାଣିବା ଅଗଷ୍ଟ ୧୪ର ସେହି ସତ୍ୟକୁ । ଯାହାକୁ ଭାରତର ପ୍ରତ୍ୟେକ ନାଗରିକ ଜାଣିବାକୁ ଚାହିଁବେ । ଅଗଷ୍ଟ ୧୪ ତାରିଖର ଏହା ରାତି ଏମିତି ଏକ ରାତି ଥିଲା, ଯାହା ଭାରତର ଇତିହାସ, ଭୂଗୋଳ, ଭବିଷ୍ୟ ଏବଂ ଚିନ୍ତାଧାରାକୁ ବଦଳାଇ ଦେଇଥିଲା । ସେହି ରାତି ଥିଲା ସ୍ୱାଧୀନତାର ରାତି ।

ଏ କାହାଣୀ ହେଉଛି ୧୯୪୭ ମସିହା ଅଗଷ୍ଟ ୧୪ ତାରିଖର । ଦିଲ୍ଲୀରେ ୧୪ ଅଗଷ୍ଟ ଅପରାହ୍ନରୁ ହିଁ ପ୍ରବଳ ମାତ୍ରାରେ ବର୍ଷା ହେଉଥିଲା । ରାତି ୯ଟା ବେଳକୁ ରାଇସିନା ହିଲ୍ସରେ ଜମା ହୋଇଥିଲେ ପାଖାପାଖି ୫ ଲକ୍ଷ ଲୋକ । ଘନ ଘନ ବର୍ଷା ମଧ୍ୟରେ ଲୋକେ ଅପେକ୍ଷା କରିଥିଲେ ସ୍ୱାଧୀନତାର ଏକ ନୂଆ ସକାଳକୁ । କେତେବେଳେ ସକାଳ ହେବ ଏବଂ ରାଇସିନା ହିଲ୍ସରେ ଉଡ଼ିବ ଭାରତର ତ୍ରିରଙ୍ଗା ପତାକା । ରାତି ୧୦ଟାରେ ସରଦାର ବଲ୍ଲଭ ଭାଇ ପଟେଲ, ଜବାହାରଲାଲ ନେହେରୁ, ଡକ୍ଟର ରାଜେନ୍ଦ୍ର ପ୍ରସାଦ ଏବଂ ମାଉଣ୍ଟ ବ୍ୟାଟେନ ଏକା ସାଙ୍ଗରେ ସେଠାରେ ପହଞ୍ଚିଥିଲେ ଭାଇସରଏରେ ।

୧୪ ଅଗଷ୍ଟ ୧୯୪୭ରେ ରାତି ୧୨ଟା ବାଜିବାକୁ କିଛି ସମୟ ବାକି ଥିଲା । ଠିକ୍ ସେତିକି ବେଳେ ଜବାହରଲାଲ ନେହେରୁ ଆରମ୍ଭ କରିଥିଲେ ତାଙ୍କର ଭାଷଣ । ଭାଷଣ ନୁହେଁ ତ, ପ୍ରତ୍ୟେକ ଦେଶବାସୀଭ୍କ ପାଇଁ ଥିଲା ଏକ ଶକ୍ତିଶାଳୀ ଆହ୍ୱାନ । ସେ କହିଥିଲେ କି ରାତିର ଅନ୍ଧକାରରେ ଯେତେବେଳେ ପୁରା ବିଶ୍ୱ ଶୋଇଥିବ, ଠିକ୍ ସେତିକି ବେଳେ ଭାରତ ଉଠିବ ନୂଆ ଏକ ଜୀବନ ଏବଂ ସ୍ୱାଧୀନତା ନେଇ । ଏହି ଭାଷଣ ମାତ୍ର କିଛି ମୁହୂର୍ତ୍ତ ପରେ ସବୁ ଭାରତୀୟଙ୍କ ପାଇଁ ନେଇ ଆସିଥିଲା ଅସୁମାରୀ ଖୁସି । କାରଣ ୨ ଶହ ବର୍ଷ ପରେ ଦେଶ ବ୍ରିଟିଶ ଶାସନ କବଳରୁ ସ୍ୱାଧୀନ ହୋଇଥିଲା । ହେଲେ ଏହି ଖୁସି ସହିତ ଭାରତୀୟଙ୍କୁ ଏକ ବଡ଼ ଦୁଃଖର ସମ୍ମୁଖୀନ କରିବାକୁ ପଡ଼ିଥିଲା । କାରଣ ଭାରତ ତାର ୩ ଲକ୍ଷ ୪୬ ହଜାର ୭୩୭ ସ୍କୋୟାର କିଲୋମିଟର ସ୍ଥାନ ଏବଂ ୮ କୋଟିରୁ ଅଧିକ ଲୋକଙ୍କୁ ହରାଇଥିଲା । ଭାରତରୁ ଅଲଗା ହୋଇ ପାକିସ୍ତାନ ଆଉ ଏକ ନୂଆ ଦେଶ ତିଆରି ହୋଇଥିଲା ।

୧୫ ଅଗଷ୍ଟ ସକାଳ ୮ଟାରେ ପଣ୍ଡିତ ନେହେରୁଙ୍କ ସହ ତାଙ୍କର କ୍ୟାବିନେଟ୍ ପଦ ଏବଂ ଗୋପନିୟତାର ଶପଥ ନେଇଥିଲେ । ରାତିର ଘନ ଘନ ବର୍ଷା ପରେ ସକାଳର ଆକାଶ ପୁରା ସଫା ଥିଲା । ଲୋକେ ଅପେକ୍ଷା କରିଥିଲେ ସ୍ୱାଧୀନ ଭାରତର ତ୍ରିରଙ୍ଗାକୁ ଉଡ଼ୁଥିବାର ସେ ମନଲୋଭା ଦୃଶ୍ୟ ଦେଖିବା ପାଇଁ । ଦେଶର ତ୍ରିରଙ୍ଗାକୁ ଭବ୍ୟ ରାଷ୍ଟ୍ର ଗାନ ସହିତ ବ୍ରିଟିଶ ପତାକାକୁ ଅବତରଣ କରାଯାଇ ତ୍ରିରଙ୍ଗାକୁ ଉଡ଼ାଯାଇଥିଲା । ସେତେବେଳେ ଦେଶର ପ୍ରତିଟି ନାଗରିକଙ୍କର ଆଖିରେ ଖୁସିର ଲୁଅ ବହୁଥିଲା । ଆଉ ସେଦିନଠୁ ଭାରତ ପାଇଥିଲା ସ୍ୱାଧୀନତା ସୁଖ ଆଉ ପାଳନ କରୁଛି ସ୍ୱାଧୀନତା ଦିବସ । ଯାହା ଚଳିତବର୍ଷ ୭୭ ତମ ବର୍ଷରେ ପହଞ୍ଚିଛି ।

Get real time updates directly on you device, subscribe now.