fbpx

ଅନଲାଇନ ଗେମରେ ହାରିଗଲା ପଇସା: ୧୨ ବର୍ଷର ସାନଭାଇକୁ ହତ୍ୟା କରି ପୋତିଦେଲା

ନୂଆଦିଲ୍ଲୀ: ଆଜିକାଲିର ଅତ୍ୟାଧୁନିକ ଯୁଗରେ ପିଲା ପଡିଆକୁ ଯାଇ ଖେଳିବା ଭୁଲିଗଲେଣି । ଘରେ ବସି ଅନଲାଇନ୍ ଗେମ୍ ଖେଳିବା ସେମାନଙ୍କ ନିଶା ପାଲଟିଗଲାଣି । ଘଣ୍ଟା ଘଣ୍ଟା ଫୋନ ଧରି ଅନଲାଇନ୍ ଗେମ୍ରେ ନିଜକୁ ବ୍ୟସ୍ତ ରଖୁଛନ୍ତି ପିଲାମାନେ । ଏହି ଖେଳର ନିଶାରେ ଅନେକ ଜୀବନ ମଧ୍ୟ ଯାଉଛି । ଅନଲାଇନ ଗେମ ପାଇଁ ଜଣେ ୧୬ ବର୍ଷୀୟ ବାଳକ ନିଜ ସମ୍ପର୍କୀୟ ସାନ ଭାଇକୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି। ହତ୍ୟା କରିବା ପରେ ସେ ଶବକୁ ନିକଟସ୍ଥ ପଡ଼ିଆରେ ପୋତି ଦେଇଥିଲା। ଏହାପରେ ହତ୍ୟାର ଶିକାର ହୋଇଥିବା ୧୨ ବର୍ଷୀୟ ବାଳକଙ୍କର ବାପାଙ୍କୁ ୫ ଲକ୍ଷ ଟଙ୍କା ଦେଲେ ପୁଅ ମିଳିବ ବୋଲି ଧମକ ଦେଇଥିଲା। ରାଜସ୍ଥାନର ନାଗୁର ଜିଲ୍ଲା ଲାଡନୁରେ ଏପରି ଘଟଣା ଘଟିଛି। ଦୁଇ ଭାଇ ସବୁବେଳେ ଏକାଠି ଅନଲାଇନରେ ଗେସ୍‌ ଖେଳୁଥିଲେ। ତେବେ ଗେମିଂ ଟୋକନ ପାଇଁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ୧୬ ବର୍ଷୀୟ ବାଳକ ଜଣଙ୍କ ତା’ ସାନ ଭାଇର ତଣ୍ଟି ଚିପି ହତ୍ୟା କରିଛି।

ପୁଲିସ ଦେଇଥିବା ତଥ୍ୟ ଅନୁଯାୟୀ, ୧୬ ବର୍ଷୀୟ ରାଜୁ(ଛଦ୍ମନାମ) ସବୁବେଳେ ଅନଲାଇନ ଗେମ୍‌ ଖେଳୁଥିଲା। ଗେମ ଖେଳିବା ପାଇଁ ସେ ଟଙ୍କା ମଧ୍ୟ ପୈଠ କରୁଥିଲା। ସେ ଗେମରେ ଏତେ ଅଭ୍ୟସ୍ତ ହୋଇଯାଇଥିଲା ଯେ ପଡ଼ୋଶୀ ଓ ଅନ୍ୟମାନଙ୍କ ଠାରୁ କରଜ ଆଣିବାକୁ ମଧ୍ୟ ପଛାଉ ନଥିଲା। ଦିନକୁ ଦିନ କରଜ ବଢ଼ୁଥିବା ବେଳେ ସେ ଏହାକୁ ପରିଶୋଧ କେମିତି କରିବ, ତା’କୁ ନେଇ ଚିନ୍ତାରେ ରହୁଥିଲା। ଧୀରେଧୀରେ ସେ ନିଜ ସମ୍ପର୍କୀୟ ସାନ ଭାଇକୁ ମଧ୍ୟ ଅନଲାଇନ ଗେମିଂ ସମ୍ପର୍କରେ ଜଣାଇ ଖେଳିବାକୁ ପ୍ରବର୍ତ୍ତାଇ ଥିଲା। ଡିସେମ୍ବର ୯ରେ ଉଭୟ ଏକାଠି ଗେମ୍‌ ଖେଳୁଥିବା ବେଳେ ଗେମିଂ ଟୋକନ ପାଇଁ ପାଟିତୁଣ୍ତ ହୋଇଥିଲା।

ଏଥିରେ ରାଗି ଯାଇ ରାଜୁ ସାନ ଭାଇ ବିଜୁର ତଣ୍ଟି ଚିପି ହତ୍ୟା କରିଥିଲା। ଏହାପରେ ଶବକୁ ନେଇ ନିକଟସ୍ଥ ପଡ଼ିଆରେ ପୋତି ଦେଇଥିଲା। ଶବ ପୋତି ସାରିବା ପରେ ସୋଶାଲ ମିଡିଆରେ ସେ ବିଜୁର ବାପାଙ୍କୁ ୫ ଲକ୍ଷ ଟଙ୍କା ଦେଲେ ପୁଅକୁ ପାଇବ ବୋଲି ଧମକପୂର୍ଣ୍ଣ ବାର୍ତ୍ତା ଦେଇଥିଲା। ଏହାକୁ ଦେଖି ବିଜୁର ବାପା ପୁଲିସ ନିକଟରେ ପହଞ୍ଚିଥିଲେ। ଡିସେମ୍ବର ୮ ତାରିଖ ସକାଳ ୯ଟାରୁ ବିଜୁ ନିଖୋଜ ହୋଇଯାଇଥିବା ସେ ପୁଲିସ୍‌କୁ ଜଣାଇଥିଲେ। ପୁଲିସ୍ ତୁରନ୍ତ ସୋଶାଲ ମିଡିଆର ଆଇପି ଠିକଣା ଯାଞ୍ଚ କରି ଧମକ ଦେଇଥିବା ଅଭିଯୁକ୍ତ ସେହି ଗାଁର ବୋଲି ଜାଣିବାକୁ ପାଇଥିଲା।

Get real time updates directly on you device, subscribe now.