fbpx

ଏକ ଅଜବ ପ୍ରକାରର ଛାଡ଼ପତ୍ର ମାମଲା: ପତ୍ନୀ ଦେଲେ ଡିଭୋର୍ସ, ପତି କହିଲେ- ‘ମୁଁ ତୁମକୁ କିଡନୀ ଡୋନେଟ୍ କରିଥିଲି, ଏବେ ମୋତେ କିଡନୀ ଫେରସ୍ତ କରିଦିଅ’

ନୂଆଦିଲ୍ଲୀ: ଆଜିକାଲି ପତି-ପତ୍ନୀଙ୍କ ମଧ୍ୟରେ ଛାଡ଼ପତ୍ର ମାମଲା ବଢ଼ୁଥିବା ଦେଖାଯାଉଛି । ତେବେ ସାଧାରଣ ଭାବେ ଡିଭୋର୍ସ ପରେ ପତ୍ନୀ ଓ ଛୁଆପିଲାଙ୍କ ଭରଣପୋଷଣ ପାଇଁ ସ୍ୱାମୀ ପ୍ରତି ମାସରେ ଅର୍ଥରାଶି ପ୍ରଦାନ କରିଥାନ୍ତି । ମାତ୍ର ଛାଡ଼ପତ୍ର ପରେ କେବେ କୌଣସି ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ କୋଟି କୋଟି ଟଙ୍କାର ଅର୍ଥ ମାଗିବା କଥା ଶୁଣିଛନ୍ତି କି? ଆମେରିକାରୁ ଆସିଛି ଏଭଳି ଏକ ଅଜବ ଛାଡ଼ପତ୍ର ମାମଲା ।

ଜଣାପଡ଼ିଛି ଯେ, ଆମେରିକାରେ ରହୁଥିବା ଏକ ଦମ୍ପତ୍ତି ୧୯୯୦ରେ ବିବାହ କରିଥିଲେ ଓ ସେମାନଙ୍କର ୩ଟି ସନ୍ତାନ ରହିଛନ୍ତି । ମାତ୍ର ପତ୍ନୀ ବିମାର ଗ୍ରସ୍ତ ହେବା ଫଳରେ ସେମାନଙ୍କର ବୈବାହିକ ଜୀବନରେ ବାଧା ସୃଷ୍ଟି ହୋଇଥିଲା । ମହିଳାଙ୍କର ଦୁଇଟି ଯାକ କିଡନୀ ଅକାମୀ ହୋଇଯାଇଥିଲା । ତେଣୁ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ୨୦୦୧ରେ କିଡନୀ ଦାନ କରିଥିଲେ । ତେବେ ଏହାର ୪ ବର୍ଷ ପରେ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବା ପାଇଁ ଆବେଦନ କରିଥିଲେ ।

ପତ୍ନୀଙ୍କର ଏହି ପଦକ୍ଷେପକୁ ନେଇ ସ୍ୱାମୀ ଜଣଙ୍କ ବହୁତ ନିରାଶ ହୋଇଥିଲେ । ସେ ପତ୍ନୀଙ୍କ ଉପରେ ପରକୀୟା ପ୍ରୀତି ନେଇ ଅଭିଯୋଗ ଆଣିବା ସହିତ କିଡନୀ ଫେରସ୍ତ କରିବାକୁ କିମ୍ବା ତା’ ଅର୍ଥ ଫେରାଇବାକୁ କହିଥିଲେ । କିଡନୀ ଫେରସ୍ତ କରିବା ସମ୍ଭବ ନୁହେଁ ବୋଲି ମେଡିକାଲ ଏକ୍ସପର୍ଟ ମତ ଦେବା ପରେ କିଡନୀ ବଦଳରେ ପାଖାପାଖି ୧୨ କୋଟି ଟଙ୍କା ଫେରାଇବାକୁ ସ୍ୱାମୀ ଦାବି କରିଥିଲେ । ପତ୍ନୀ ଯଦି କିଡନୀ ଫେରସ୍ତ କରନ୍ତି ତେବେ ସେଥିପାଇଁ ଅପରେସନ କରିବାକୁ ପଡ଼ିବ ଓ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ବୋଲି ବିଶେଷଜ୍ଞ କହିଥିଲେ । ଏହାପରେ ପତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଓ ମାମଲାଟି ଖାରଜ ହୋଇଯାଇଥିଲା । କିଡନୀ ଓ ଅର୍ଥ ମାଗିବା ଆଇନ ଅନୁସାରେ ସମାଧାନର ବାଟ ନୁହେଁ । ଏହାଦ୍ୱାରା ଯୁବକ ଜଣଙ୍କ ଅପରାଧିକ ମାମଲାରେ ଫସିପାରନ୍ତି ବୋଲି କୋର୍ଟ କହିଥିଲେ ।

Get real time updates directly on you device, subscribe now.