fbpx

‘କରୋନାକୁ ହାଲକାରେ ନିଅନ୍ତୁ ନାହିଁ..’, ଦିଲ୍ଲୀର ଗର୍ଭବତୀ ମହିଳାଙ୍କ ଶେଷ ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ,୧୨ ।୫: କରୋନାକୁ ନେଇ ସବୁଆଡେ ହାହାକାର ସୃଷ୍ଟି ହୋଇଛି । ଅନେକ ଲୋକଙ୍କର କରୋନା ଯୋଗୁଁ ମୃତ୍ୟୁ ହେଉଥିବା ବେଳେ ଆଜି ବି କିଛି ଲୋକ ଲୋକେ ଏହାକୁ ହାଲକାରେ ନେଉଛନ୍ତି । ଏହାରି ମଧ୍ୟରେ ଦିଲ୍ଲୀରେ ଜଣେ ଗର୍ଭବତୀ ମହିଳା କରୋନା ସହ ଲଢି ଲଢି ଜୀବନ ହାରିଛନ୍ତି । କିନ୍ତୁ ମୃତ୍ୟୁ ପୂର୍ବରୁ ସେ ଜନସାଧାରଣଙ୍କ ପାଇଁ ସେ ଏକ ଭିଡିଓ ଛାଡି ଯାଇଛନ୍ତି, ଯାହାକି ଶୁଣିଲେ ଆପଣଙ୍କର ମନରେ ବି ଭୟ ସୃଷ୍ଟି ହେବ । ଏହି ଭିଡିଓଟି ତାଙ୍କର ଶେଷ ମୁହୁର୍ତ୍ତର ଭିଡିଓ, ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଭିଡିଓରେ ମହିଳା ଜଣକ କହିଛନ୍ତି ଯେ, “ହ୍ୟାଲୋ ଏଭ୍ରିୱାନ୍ । ବହୁତ କଷ୍ଟରେ ମୁଁ ଏହି ଭିଡିଓ କରୁଛି । ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି, ଦୟାକରି କରୋନାକୁ ହାଲକା ଭାବେ ନିଅନ୍ତୁ ନାହିଁ । ଏହା ବହୁତ ଖରାପ । ବହୁତ ଖରାପ ଲକ୍ଷଣ । ମୁଁ ଠିକ୍ ଭାବେ କଥା ହୋଇପାରୁ ନାହିଁ, ହେଲେ ମୋର ମେସେଜ ମୁଁ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଚାହୁଁଛି । ଯେତେବେଳେ ବି ବାହାରକୁ ଯାଉଛନ୍ତି, ଦୟାକରି ମାସ୍କ ପିନ୍ଧନ୍ତୁ । କାହିଁକି ନା ଆପଣଙ୍କ ଘରେ ବୟସ୍କ ବ୍ୟକ୍ତି, ଛୋଟ ପିଲା ଓ ଗର୍ଭବତୀ ମହିଳା ଥିବେ ଏବଂ ସେମାନଙ୍କ ଉପରେ ଏହାର ବେଶୀ ପ୍ରଭାବ ପଡ଼ିବ ।’

ଦିଲ୍ଲୀର ଗର୍ଭବତୀ ମହିଳା ଜଣକ ତାଙ୍କ ଶେଷ ଭିଡିଓରେ କାନ୍ଦି କାନ୍ଦି ଏଭଳି କିଛି କହିଛନ୍ତି । ସେ ଜାଣିନଥିଲେ ଏହା ତାଙ୍କର ଶେଷ ଭିଡିଓ ବୋଲି । ତଥାପି କରୋନା କେତେ ଭୟଙ୍କର ସେ ତାଙ୍କ ଶେଷ ଭିଡିଓରେ ଲୋକମାନଙ୍କୁ ଚେତାଇଛନ୍ତି । ଏହି ଭିଡିଓକୁ ତାଙ୍କ ସ୍ୱାମୀ ରବିଶ ଚାୱଲା ଟ୍ୱିଟରରେ ସେୟାର କରିଛନ୍ତି ।

ସୂଚନା ମୁତାବକ, ମହିଳାଙ୍କ ନାଁ ଦୀପିକା ହୋଇଥିବା ବେଳେ ଏପ୍ରିଲ ୧୧ରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ଏପ୍ରିଲ ୧୭ରେ ସେ ଏହି ଭିଡିଓକୁ ରେକର୍ଡିଂ କରିଥିଲେ । ଏହାପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଶେଷରେ ଏପ୍ରିଲ ୨୬ରେ ଦୀପିକାଙ୍କ ମୃତ୍ୟୁ ଘଟିଥିଲା । ତାଙ୍କର ୩ ବର୍ଷର ପୁଅ ଥିବାବେଳେ ମୃତ୍ୟୁ ବେଳକୁ ସେ ଗର୍ଭବତୀ ଥିଲେ। ମଦର୍ସ ଡେ ଦିନ ତାଙ୍କ ସ୍ୱାମୀ ଏହି ଭିଡିଓଟିକୁ ପୋଷ୍ଟ କରିଥିଲେ ।

Get real time updates directly on you device, subscribe now.