ଦୁବାଇ: ନିକଟରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ କ୍ରିକେଟ ସିରିଜରେ ଅତି ଉତ୍ତମ ପ୍ରଦର୍ଶନ କରି ଭାରତୀୟ କ୍ରିକେଟ ଦଳର ସିନିୟର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଇସିସି ଟେଷ୍ଟ ବୋଲିଂ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । କାନପୁରରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ସଫଳ ହୋଇଥିବା ଅଶ୍ୱିନ ମୁମ୍ବାଇରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟର ଉଭୟ ଇନିଂସରେ ୪ ଲେଖାଏଁ ୱିକେଟ ଅକ୍ତିଆର କରି ମ୍ୟାନ ଅଫ ଦି ମ୍ୟାଚ ହେବା ସହିତ ୪୩ ରେଟିଂ ପଏଣ୍ଟ ପାଇଥିଲେ । ତେଣୁ ବର୍ତ୍ତମାନ ସେ ବୋଲିଂ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ପେସ୍ ବୋଲର ପ୍ୟାଟ୍ କ୍ୟୁମିନ୍ସଙ୍କ ଠାରୁ ପଛରେ ଅଛନ୍ତି । ଅଶ୍ୱିନ୍ ମୋଟ ୮୮୩ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିବା ବେଳେ ତୃତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ଜୋସ୍ ହାଜେଲଉଡଙ୍କ ଠାରୁ ୬୭ ପଏଣ୍ଟ ଆଗରେ ଅଛନ୍ତି । ସେହିପରି ଆଇସିସି ଅଲରାଉଣ୍ଡର ମାନ୍ୟତାରେ ୱେଷ୍ଟଇଣ୍ଡିଜର ଜାସୋନ ହୋଲଡର ପ୍ରଥମ ସ୍ଥାନରେ ଥିବା ବେଳେ ଅଶ୍ୱିନ ଦ୍ୱିତୀୟ ,ଇଂଲଣ୍ଡର ବେନ ଷ୍ଟୋକ୍ସ ତୃତୀୟ ଓ ରବିନ୍ଦ୍ର ଜାଡେଜା ଚତୁର୍ଥ ସ୍ଥାନରେ ଅଛନ୍ତି । ଭାରତୀୟ ଟେଷ୍ଟ ଦଳ ଅଧିନାୟକ ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୦,୩୬ ରନ କରିଥିବା ବେଳେ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାର ଷଷ୍ଠ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳି ନ ଥିବା ରୋହିତ ଶର୍ମା ପୂର୍ବପରି ପଞ୍ଚମ ସ୍ଥାନରେ ଅଛନ୍ତି । ସେହିପରି ଭାରତୀୟ ଦଳର ଓପନର ମୟଙ୍କ ଅଗ୍ରୱାଲ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱି୍ୀୟ ଟେଷ୍ଟରେ ଶତକ ଓ ଅର୍ଦ୍ଧଶତକ ଅର୍ଜନ କରି ୩୦ ସ୍ଥାନ ଉପରକୁ ଉଠି ୧୧ତମ ସ୍ଥାନ ପାଇଛନ୍ତି ।