ICC କରିପାରେ ବଡ଼ ପରିବର୍ତ୍ତନ: ଟେଷ୍ଟ ସିରିଜ ପାଇଁ ନୂଆ ନିୟମ, ବଦଳିବ କି ଦିନିକିଆ ଫର୍ମାଟ ?

ନୂଆଦିଲ୍ଲୀ: ଖୁବଶୀଘ୍ର କ୍ରିକେଟରେ ଏକ ବଡ଼ ପରିବର୍ତ୍ତନ ଆଣିପାରେ ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ । ଟେଷ୍ଟ କ୍ରିକେଟ ସହିତ ଦିନିକିଆ କ୍ରିକେଟରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ଆଶା କରାଯାଉଛି । ଟେଷ୍ଟ ଏବଂ ଦିନିକିଆ କ୍ରିକେଟକୁ ଗୁରୁତ୍ୱ ଦେବା ପାଇଁ ଆଇସିସି ପ୍ଲାନ କରୁଛି । ଏହାଦ୍ୱାରା ଆଗାମୀ ଟେଷ୍ଟ ଚମ୍ପିଆନସିପ୍ ଚକ୍ରରେ ଅତି କମରେ ୩ ଟେଷ୍ଟ ମ୍ୟାଚର ସିରିଜ ହେବା ଉଚିତ । ଏହାବ୍ୟତୀତ ଦିନିକିଆ କ୍ରିକେଟରେ ୨୫ ଓଭର ପର୍ଯ୍ୟନ୍ତ ୨ଟି ନୂଆ ବଲ ବ୍ୟବହାର କରାଯାଉ । ଏହାପରେ ବାକି ୨୫ ଓଭର ପର୍ଯ୍ୟନ୍ତ ଗୋଟିଏ ବଲରେ ଖେଳାଯିବ । ଏଭଳି କିଛି ପରିବର୍ତ୍ତନକୁ ନେଇ ବର୍ତ୍ତମାନ ଯୋଜନା ଲାଗି ରହିଛି ।

ରିପୋର୍ଟ ଅନୁସାରେ, ଦୁବାଇରେ ଅନୁଷ୍ଠିତ ହୋଇଯାଇଛି ଆଇସିସିର ଏକ ଗୁରୁତ୍ୱପୂର୍ଣ୍ଣ ବୋର୍ଡ ବୈଠକ । ଏହି ବୈଠକରେ ମହିଳା କ୍ରିକେଟକୁ ନେଇ ଅନେକ ବଡ଼ ଘୋଷଣା କରାଯାଇଛି । ଆଇସିସିର କ୍ରିକେଟ କମିଟିକୁ ବୋର୍ଡ ମିଟିଙ୍ଗରେ ଅନେକ ପ୍ରସ୍ତାବ ମିଳିଛି । ତେଣୁ ଟେଷ୍ଟ କ୍ରିକେଟକୁ ପ୍ରମୋଟ କରିବା ପାଇଁ ଆସନ୍ତା ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଚକ୍ରରେ ଅଧିକରୁ ଅଧିକ ଡେ-ନାଇଟ ଟେଷ୍ଟ ଟେଷ୍ଟ ବା ପିଙ୍କ ବଲ ଟେଷ୍ଟ ଆୟେଜିତ କରାଯିବା ଉଚିତ୍ । ଏହାସହିତ ଟେଷ୍ଟ ସିରିଜ ମଧ୍ୟ ଅତିକମରେ ୩ ମ୍ୟାଚ ବିଶିଷ୍ଟ କରିବା ପାଇଁ କ୍ରିକେଟ କମିଟି ତରଫରୁ ସୁପାରିଶ କରାଯାଇଛି ।

ଆଇସିସିର ଏକ ସୂତ୍ରରୁ ପ୍ରକାଶ ପାଇଛି ଯେ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା ଭଳି କିଛି ଦେଶ ଅଧିକାଂଶ ସମୟରେ କେବଳ ୨ଟି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳୁଛନ୍ତି । କେବଳ ଭାରତ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଲମ୍ବା ଟେଷ୍ଟ ସିରିଜ ଖେଳୁଛନ୍ତି । ଏହାଦ୍ୱାରା ଟେଷ୍ଟ କ୍ରିକେଟକୁ ଗୁରୁତ୍ୱ ମିଳି ପାରୁ ନଥିବା ବେଳେ ପଏଣ୍ଟ ବିତରଣ ମଧ୍ୟ ଅନୁଚିତ ଉପାୟରେ ହେଉଛି । ଏଭଳି ଅସମାନତାକୁ ହଟାଇବା ପାଇଁ ଏଭଳି ସୁପାରିଶ କରାଯାଇଛି ।

Get real time updates directly on you device, subscribe now.