fbpx

ICCର ଆଉ ଏକ ବଡ ଘୋଷଣା: ଏହି ମଇଦାନରେ ଖେଳାଯିବ ୨୦୨୩ ଏବଂ ୨୦୨୫ ଫାଇନାଲ

ନୂଆଦିଲ୍ଲୀ: ଆସନ୍ତା ବିଶ୍ୱ ଟେଷ୍ଟ ଚମ୍ପିଆନସିପକୁ ନେଇ ବଡ ଘୋଷଣା କରିଛି ଆଇସିସି । ୨୦୨୩ ଏବଂ ୨୦୨୫ ମସିହାରେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ କେଉଁ ମଇଦାନରେ ଖେଳାଯିବ, ସେ ନେଇ ସୂଚନା ଦେଇଛି କ୍ରିକେଟ ପରିଷଦ । ଇଂଲଣ୍ଡର ବର୍ମିଂଘମରେ ହୋଇଥିବା ଆଇସିସିର ସାଧାରଣ ବାର୍ଷିକ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ୨୦୨୩ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ ଇଂଲଣ୍ଡର ‘ଦ ଓଭାଲ’ରେ ଖେଳାଯିବ । ସେହିପରି ୨୦୨୫ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଐତିହାସିକ ‘ଲର୍ଡସ’ ଗ୍ରାଉଣ୍ଡରେ ଖେଳାଯିବା ନେଇ ଆଇସିସି ଘୋଷଣା କରିଛି ।

ଆସନ୍ତା ଦୁଇଟି ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚକୁ ନେଇ ଏଭଳି ଏକ ଘୋଷଣା କରିଛନ୍ତି ଆଇସିସିର ମୁଖ୍ୟ କାର୍ଯ୍ୟକାରୀ ଜ୍ୟୋଫ ଅଲାର୍ଡିସ । ସେ କହିଛନ୍ତି ଯେ, ଗତବର୍ଷ ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ସାଉଥାମ୍ପଟନରେ ହୋଇଥିଲା ୨୦୨୧ର ଫାଇନାଲ ମ୍ୟାଚ, ଯାହା ଖୁବ ରୋମାଞ୍ଚକର ରହିଥିଲା । ତେବେ ମୋର ସମ୍ପୂର୍ଣ୍ଣ ଭରସା ଅଛି ଯେ, ଦ ଓଭାଲରେ ହେବାକୁ ଥିବା ଆଗାମୀ ଡବ୍ଲୁଟିସି ଫାଇନାଲ ମ୍ୟାଚକୁ ନେଇ ସମସ୍ତେ ଅପେକ୍ଷା କରିଥିବେ ।

ଆସନ୍ତା ଦୁଇଟି ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ପାଇଁ ମଇଦାନ ଘୋଷଣା ହୋଇଯାଇଥିଲେ ମଧ୍ୟ ଏହାର ତାରିଖକୁ ନେଇ କୌଣସି ସୂଚନା ଦେଇନାହିଁ ଆଇସିସି । ଗତ ଅଗଷ୍ଟ ୪ ତାରିଖରୁ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଦ୍ୱିତୀୟ ଅଧ୍ୟାୟ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତାବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ତେବେ ଏହି ତାଲିକାରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ।

Get real time updates directly on you device, subscribe now.