fbpx
BSKY
BJD MC SKY
BJD YOUTH SKY

ଭାରତ ନ ଆସିଲେ ପାକିସ୍ତାନ ବି ଯିବନି… ଦିନିକିଆ ବିଶ୍ୱକପକୁ ନେଇ ପୁଣି ଜିଦି ଧରିଲେ ପାକ୍ କ୍ରୀଡାମନ୍ତ୍ରୀ

ନୂଆଦିଲ୍ଲୀ: ଏସିଆ କପ୍ ପାଇଁ ଭାରତ ଯଦି ପାକିସ୍ତାନକୁ ନ ଆସେ, ତେବେ ଦିନିକିଆ ବିଶ୍ୱକପ ପାଇଁ ପାକିସ୍ତାନ ମଧ୍ୟ ଭାରତକୁ ଯିବ ନାହିଁ । ପୁଣିଥରେ ଏହି ଜିଦି ଧରିଛନ୍ତି ପାକିସ୍ତାନର କ୍ରୀଡାମନ୍ତ୍ରୀ ଏହସାନ ମଜାରୀ । ସମାଧାନ ହେବାକୁ ଯାଉଥିବା ସମସ୍ୟାକୁ ପୁଣିଥରେ ସେ ବଢାଇ ଦେଇଛନ୍ତି । ପାକିସ୍ତାନ ଧିରେ ଧିରେ ଦିନିକିଆ ବିଶ୍ୱକପରେ ଯୋଗ ଦେବାକୁ ରାଜି ହେଉଥିବା ବେଳେ ବର୍ତ୍ତମାନ କ୍ରୀଡାମନ୍ତ୍ରୀ ଏଥିରେ କନ୍ଦୋଳ ଆରମ୍ଭ କରିଛନ୍ତି । ଏସିଆନ୍ କ୍ରିକେଟ କାଉନ୍ସିଲରେ ଏ ନେଇ ହୋଇଥିବା ଏକ ବୈଠକରେ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି ମଜାରୀ ।

ଅଗଷ୍ଟ ୩୧ ତାରିଖରୁ ହେବାକୁ ଥିବା ଏସିଆ କପ୍ ହାଇବ୍ରିଡ ମଡେଲରେ ଖେଳାଯିବାକୁ ଥିବା ବେଳେ ଏଥିରୁ ୪ଟି ମ୍ୟାଚ ପାକିସ୍ତାନ ଏବଂ ବାକି ୯ଟି ମ୍ୟାଚ ଶ୍ରୀଲଙ୍କାରେ ଖେଳାଯିବ । ତେବେ ଏହି ୪ଟି ମ୍ୟାଚରେ ଭାରତ ସାମିଲ ନାହିଁ, ଯାହାକୁ ନେଇ ପୁଣିଥରେ ବିବାଦ ଆରମ୍ଭ କରିଛନ୍ତି ପାକିସ୍ତାନ କ୍ରୀଡାମନ୍ତ୍ରୀ ଏହସାନ ମଜାରୀ । ସେ ଏସିସିର ନିଷ୍ପତ୍ତିକୁ ବିରୋଧ କରିବା ସହ ଭାରତକୁ ପାକିସ୍ତାନ ଯିବା ପାଇଁ ତାଙ୍କର ପୁରୁଣା ଜିଦିକୁ ଧରିଛନ୍ତି । ସେ କହିଛନ୍ତି ଯେ, ଯଦି ଏସିଆ କପ୍ ଖେଳିବା ପାଇଁ ଭାରତ ପାକିସ୍ତାନକୁ ଆସୁନାହିଁ, ତେବେ ପାକିସ୍ତାନ ମଧ୍ୟ ଦିନିକିଆ ବିଶ୍ୱକପ ଖେଳିବାକୁ ଭାରତ ଗସ୍ତରେ ଯିବନାହିଁ । ତେଣୁ ଆମକୁ ମଧ୍ୟ ହାଇବ୍ରିଡ ମଡେଲ ଦରକାର । ଏସିଆ କପ୍ ଯଦି ହାଇବ୍ରିଡ ମଡେଲରେ ଖେଳାଯିବ, ତେବେ ଦିନିକିଆ ବିଶ୍ୱକପରେ ମଧ୍ୟ ହାଇବ୍ରିଡ ମଡେଲ ଲାଗୁ ହେବା ଉଚିତ୍ । ପାକ୍ କ୍ରୀଡାମନ୍ତ୍ରୀଙ୍କ ଏଭଳି ବୟାନ ପରେ ଉଭୟ ଦେଶ ମଧ୍ୟରେ ପୁଣିଥରେ ବିଶ୍ୱକପକୁ ନେଇ ଆରମ୍ଭ ହୋଇଛି ମତାନ୍ତର ।

ଭାରତ-ପାକିସ୍ତାନ ମଧ୍ୟରେ ଏହି ଦ୍ୱନ୍ଦ୍ୱ ପାଇଁ ଏସିଆ କପ୍ ହାଇବ୍ରିଡ ମଡେଲରେ ଖେଳାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଫାଇନାଲ ମ୍ୟାଚ ସହିତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୩ଟି ମ୍ୟାଚ ଖେଳାଯିବ । ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ, ଏବଂ ନେପାଳ ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ହେବେ । ଦୁଇଟି ଗ୍ରୁପରେ ଭାଗ ହୋଇ ସବାଧିକ ପଏଣ୍ଟ ସହ ଶୀର୍ଷ ସ୍ଥାନ ହାସଲ କରିଥିବା ଦୁଇଟି ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ।

Get real time updates directly on you device, subscribe now.