fbpx
BSKY
BJD MC SKY
BJD MS SKY

CAA-UCC ଲାଗୁ ହେଲେ ଦେଶରେ କ’ଣ ସବୁ ବଦଳିବ: ସରଳ ଭାଷାରେ ଆସନ୍ତୁ ବୁଝିବା

ନୂଆଦିଲ୍ଲୀ: ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଓ ନାଗରିକ ସଂଶୋଧନ ଅଧିନିୟମ (ସିଏଏ) ଲାଗୁ ହେବା ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ପୂର୍ବରୁ ଉତ୍ତରଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହି ପ୍ରସଙ୍ଗରେ ବୟାନ ଦେଇଥିବା ବେଳେ ଏବେ ପୁଣି କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ବୟାନ ପରେ ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଦେଶରେ ସିଏଏ-ୟୁସିସି ଲାଗୁ ହେଲେ କ’ଣ ସବୁ ପରିବର୍ତ୍ତନ ହେବ ତାହା ସମସ୍ତେ ଜାଣିବା ନିହାତି ଆବଶ୍ୟକ ।

ରାଜ୍ୟରେ ଖୁବଶୀଘ୍ର ୟୁସିସି ଲାଗୁ ହେବ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଧାମୀ ସ୍ପଷ୍ଟ କରିଛନ୍ତି । ଆସନ୍ତା ମାସ ୨ ତାରିଖରେ ଏହାକୁ ଉପସ୍ଥାପନ କରାଯାଇପାରେ । ଅନ୍ୟପକ୍ଷରେ ଆସନ୍ତା ୭ ସପ୍ତାହ ମଧ୍ୟରେ ପଶ୍ଚିମବଙ୍ଗ ସମେତ ସାରା ଦେଶରେ ସିଏଏ ଲାଗୁ ହେବ ବୋଲି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଠାକୁର ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ତେଣୁ ଏହାକୁ ନେଇ ଏବେ ତର୍କ ଆରମ୍ଭ ହୋଇଯାଇଛି । ୟୁସିସି ଓ ସିଏଏକୁ ନେଇ ଦୀର୍ଘ ସମୟ ଧରି ଚର୍ଚ୍ଚା ହୋଇଆସୁଥିବା ବେଳେ ତାହା ଆଜି ପର୍ଯ୍ୟନ୍ତ ଦେଶରେ ଲାଗୁ ହୋଇ ନାହିଁ । ତେଣୁ ଏହା ଲାଗୁ ହେଲେ କ’ଣ ସବୁ ବଦଳିବ ତାହା ସଭିଙ୍କ ମନରେ ଏବେ ପ୍ରଶ୍ନ ଉଠୁଛି ।

ୟୁସିସିର ଅର୍ଥ ହେଉଛି ଦେଶରେ ରହୁଥିବା ସମସ୍ତ ନାଗରିକଙ୍କ ପାଇଁ ଗୋଟିଏ ଆଇନ ରହିବ । ହିନ୍ଦୁ, ମୁସଲମାନ ଓ ଅନ୍ୟ ଧର୍ମର ଲୋକଙ୍କ ପାଇଁ ଗୋଟିଏ ଧର୍ମ କାର୍ଯ୍ୟକାରୀ ହେବ । ଏହାଫଳରେ ବହୁତ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ । ୟୁସିସି ଲାଗୁ ହେବା ଫଳରେ ବିବାହ କରିବା, ପୋଷ୍ୟ ସନ୍ତାନ ଗ୍ରହଣ କରିବା, ତଲାକ, ଉତ୍ତରାଧିକାର ସୂତ୍ର ସହ ଜଡ଼ିତ ଆଇନ ସମସ୍ତ ଧର୍ମ ପାଇଁ ଏକପ୍ରକାର ହୋଇଯିବ । ତେବେ ଭାରତ ବିଶ୍ୱର ପ୍ରଥମ ଦେଶ ନୁହେଁ, ଯିଏ ୟୁସିସି ଲାଗୁ କରିବାକୁ ପ୍ରସ୍ତୁତ ହେଉଛି । ପୂର୍ବରୁ ଆମେରିକା, ଇଣ୍ଡୋନେସିଆ, ଆୟର୍ଲାଣ୍ଡ, ମିଶର, ମାଲେଶିଆ, ପାକିସ୍ତାନ ଓ ବାଂଲାଦେଶ ସମେତ ଅନେକ ଦେଶରେ ଏହା ଲାଗୁ ହୋଇ ସାରିଛି । ଏହି ସବୁ ଦେଶମାନଙ୍କରେ ଧର୍ମ ଯାହା ଥାଉନା କାହିଁକି, ସମସ୍ତଙ୍କୁ ଗୋଟିଏ ଆଇନ ମାନିବାକୁ ପଡ଼ୁଛି ।

ସେହିପରି ସିଏଏ ନାଗରିକତା ସହ ଜଡ଼ିତ ଏକ ଆଇନ । ଏହା ଲାଗୁ ହେବା ଫଳରେ ସିଧାସଳଖ ଭାବେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସିଥିବା ଲୋକଙ୍କୁ ନାଗରିକତା ମିଳିଯିବ । ୨୦୧୪ ପୂର୍ବରୁ ବିଭିନ୍ନ କାରଣରୁ ଭାରତକୁ ଆସିଥିବା ବିଦେଶୀ ନାଗରିକଙ୍କୁ ଏହି ନାଗରିକତା ମିଳିବ । ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ, ଖ୍ରୀଷ୍ଟିୟାନ ପରି ଅଣମୁସଲିମ୍ ସଂଖ୍ୟାଲଘୁଙ୍କୁ ଭାରତୀୟ ନାଗରିକତା ମିଳିଯିବ । ଦେଶର ବିଭିନ୍ନ ରାଜ୍ୟରରେ ରହୁଥିବା ସଂଖ୍ୟାଲଘୁମାନେ ମଧ୍ୟ ନାଗରିକତା ପାଇ ପାରିବେ ।

୨୦୧୬ ମସିହାରେ ପ୍ରଥମ ଥର ପାଇଁ ଏହା ଲୋକସଭାରେ ଆଗତ ହେବା ସହ ପାସ୍ ହୋଇଯାଇଥିଲା । ମାତ୍ର ରାଜ୍ୟସଭାରେ ତାହା ଅଟକି ଯାଇଥିଲା । ୨୦୧୯ରେ ମୋଦୀ ସରକାର ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ପୁଣି ଥରେ ଲୋକସଭାରେ ଏହାକୁ ପାସ୍ କରାଯାଇଥିଲା । ଏହାପରେ ତାହା ରାଜ୍ୟସଭାରେ ପାସ୍ ହୋଇଯିବା ପରେ ୨୦୨୦ ମସିହା ଜାନୁଆରୀ ୧୦ ତାରିଖରେ ତାହା ରାଷ୍ଟ୍ରପତିଙ୍କ ମଞ୍ଜୁରୀ ଲାଭ କରିଥିଲା । ମାତ୍ର ଏହା ବର୍ତ୍ତମାନ ସୁଦ୍ଧା ଲାଗୁ ହୋଇପାରିନାହିଁ ।

ୟୁସିସି ଓ ସିଏଏ ଲାଗୁ ହେବା ନେଇ ଦେଶରେ ହଙ୍ଗାମା ସୃଷ୍ଟି ହୋଇଥିଲା । ବିରୋଧ ପ୍ରଦର୍ଶନ କରାଯିବା ପରେ ଏହା ଲାଗୁ ହୋଇ ପାରିନଥିଲା । ଯେଉଁ ପର୍ଯ୍ୟନ୍ତ ଦେଶରେ ୟୁସିସି ଲାଗୁ ହୋଇ ନାହିଁ ସେ ପର୍ଯ୍ୟନ୍ତ ଲୈଙ୍ଗିକ ଆଧାରରେ ସମାନତା ଲାଗୁ ହୋଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର କହିଥିଲେ । ତେବେ ଏହା ଦ୍ୱାରା ସମାନତା ଆସିପାରିବ ନାହିଁ ବୋଲି ଲୋକମାନେ କହିଥିଲେ । ତେବେ ୟୁସିସିକୁ ନେଇ କିଛି ପ୍ରଶ୍ନର ଉତ୍ତର ମିଳିପାରି ନଥିବା ବିଶେଷଜ୍ଞ କହିଛନ୍ତି । ବିବାହ-ତଲାକ ମାମଲାରେ କେଉଁ ନିୟମ ଲାଗୁ ହେବ? ଯଦି ଶିଶୁକୁ ପୋଷ୍ୟ ଭାବେ ଗ୍ରହଣ କରାଯିବ ତେବେ କ’ଣ ହେବ? ତଲାକ ହେଲେ ଗୁଜୁରାଣ ଭତ୍ତା ଓ ସମ୍ପତ୍ତି ବଣ୍ଟନର ଅଧିକାର କାହାକୁ ମିଳିବ ଆଦିକୁ ନେଇ ସସପେନ୍ସ ଦେଖାଦେଇଥିଲା ।

ପୂର୍ବ-ଉତ୍ତର ରାଜ୍ୟମାନଙ୍କରେ ୟୁସିସିକୁ ନେଇ ଅଧିକ ବିରୋଧାଭାସ ଦେଖିବାକୁ ମିଳିଥିଲା । ୭ଟି ରାଜ୍ୟରେ ୨୩୮ଟି ସମଲିଙ୍ଗୀ ସମ୍ପ୍ରଦାୟ ରହିଛନ୍ତି । ସେମାନଙ୍କର ନିଜର ଅଲଗା ଅଲଗା ପରମ୍ପରା ରହିଛି । ଏଥିସହିତ ସେମାନଙ୍କର ପରିଚୟ, ରହିବା, ଖାଇବା ମଧ୍ୟ ଅଲଗା ଅଲଗା । ପଡ଼ୋଶୀ ଦେଶରୁ ଆସିଥିବା ଲୋକଙ୍କୁ ନାଗରିକତା ମିଳିବା ଫଳରେ ସେମାନଙ୍କର ହକ୍ ବିଭାଜନ ହୋଇଯିବା ଏହି ରାଜ୍ୟମାନଙ୍କର ଲୋକଙ୍କର ଧାରଣ ରହିଛି । ଏପରି ହେଲେ ସେମାନେ ପଛରେ ପଡ଼ିଯିବେ ବୋଲି ସେମାନଙ୍କୁ ହୃଦବୋଧ ହୋଇଛି ।

Get real time updates directly on you device, subscribe now.