fbpx

ପଟିଆଲା ହିଂସାକାଣ୍ଡ: ‘ଖଲିସ୍ତାନ ମୁର୍ଦ୍ଦାବାଦ’ ନାରାକୁ ନେଇ ମୁହାଁମୁହିଁ ହେଲେ ଦୁଇଗୋଷ୍ଠୀ, ଦେଖନ୍ତୁ ଖଣ୍ଡା, ପଥରମାଡ଼ର Video

ନୂଆଦିଲ୍ଲୀ: ପଞ୍ଜାବରେ ଖଲିସ୍ତାନୀ ସମର୍ଥକ ଓ ହିନ୍ଦୁ ସଂଗଠନର କର୍ମକର୍ତ୍ତାଙ୍କ ମଧ୍ୟରେ ବିବାଦ ଜାରି ରହିଛି । ପଟିଆଲାର ମା’ କାଳୀ ମନ୍ଦିରରେ ନିକଟରେ ଏନେଇ ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ । ଶିବସେନା ପକ୍ଷରୁ ‘ଖଲିସ୍ତାନ ମୁର୍ଦ୍ଦାବାଦ ସ୍ଲୋଗାନ୍ ଦିଆଯାଇ ବିକ୍ଷୋଭ କରାଯାଉଥିବା ବେଳେ ଖଲିସ୍ତାନ ସମର୍ଥକମାନେ ଖଣ୍ଡା ଓ ପଥରରେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଘଟଣାରେ ବହୁ ଲୋକ ଆହତ ହୋଇଥିଲେ । ଏହି ଭୟଙ୍କର ଆକ୍ରମଣାତ୍ମକ ଭିଡିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

ଏହି ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପଟିଆଲାରେ ସକାଳ ୯.୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଇଣ୍ଟରନେଟ ବନ୍ଦ କରି ଦିଆଯାଇଛି । ଗୁଜବକୁ ରୋକିବା ପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପଟିଆଲା ଆଇଜି ରାକେଶ ଅଗ୍ରୱାଲ, ସିନିୟର ଏସପି ଓ ସିଟି ଏସପିଙ୍କୁ କାର୍ଯ୍ୟରୁ ହଟାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ଅନ୍ୟପଟେ ହିନ୍ଦୁ ସଂଗଠନଗୁଡ଼ିକ ପକ୍ଷରୁ ଆଜି ପଟିଆଲା ବନ୍ଦ ଆହ୍ୱାନ ଦିଆଯାଇଛି । ଏଥିସହିତ ମାତାଙ୍କ ମନ୍ଦିର ଉପରେ ଆକ୍ରମଣ କରିଥିବା ଦୋଷୀଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଛି । ପଟିଆଲାରେ ପରିସ୍ଥିତି ନିୟନ୍ତ୍ରଣ ଥିବା ଏସଏସପି ସୂଚନା ଦେଇଛନ୍ତି । ପଟିଆଲାରେ ହୋଇଥିବା ହିଂସାକାଣ୍ଡରେ ୪ ଜଣ ଆହତ ହୋଇଥିବା ଏସଏସପି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତକାଲି ଶିବସେନାର କାର୍ଯ୍ୟକାରୀ ଅଧ୍ୟକ୍ଷ ହରିଶ ସିଙ୍ଗଲା ଖଲିସ୍ତାନ ମୁର୍ଦ୍ଦାବାଦ ଘୋଷଣା କରି ପଞ୍ଜାବକୁ ଖଲ୍ଲିସ୍ତାନ କରାଇ ଦିଆଯିବ ନାହିଁ ବୋଲି କହିଥିଲେ । ଏହାପରେ ଶିବସେନା ଏକାଧିକ ସ୍ଥାନରେ ଖଲିସ୍ତାନ ମୁର୍ଦ୍ଦାବାଦ ନାରା ଦେଇ ଧାରଣା ଦେଇଥିଲା । ଏହାପରେ ଖଲିସ୍ତାନ ସମର୍ଥକମାନେ ମଧ୍ୟ ରାଲିରେ ବାହାରିଥିଲେ । ଏହାପରେ ଦୁଇଗୋଷ୍ଠୀ ମୁହାଁମୁହିଁ ହେବା ଦ୍ୱାରା ଭୟଙ୍କର ପରିସ୍ଥିତି ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.