fbpx

ରାଜ୍ୟରେ କଲବଲ କରୁଛି ଅସହ୍ୟ ତାତି: ଗରମକୁ ନେଇ ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର: ସାରା ରାଜ୍ୟରେ ତାପମାତ୍ରା ବର୍ତ୍ତମାନ ରଜ୍ୟବାସୀଙ୍କୁ କଲବଲ କରୁଛି । ଅସହ୍ୟ ଗରମ ସହ ଗୁଳୁଗୁଳି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଲୋକେ । ଓଡିଶାରେ ମୌସୂମୀ ପାଦ ଥାପିବାକୁ ବସିଥିଲେ ବି ଏପର୍ଯ୍ୟନ୍ତ ଖରା ଦାଉରୁ ମୁକ୍ତି ମିଳି ପାରିନାହିଁ । ସେପଟେ ପାଣିପାଗ ବିଭାଗରୁ ସୂଚନା ମିଳିଛି ଯେ, ଏହିଭଳି ପରିସ୍ଥିତି ଆଗକୁ ଆହୁରି ୨ ଦିନ ପର୍ଯ୍ୟନ୍ତ ଲାଗୁ ରହିବ । ଏହାସହିତ ଗରମ ଏବଂ ଗୁଳୁଗୁଳିକୁ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।

ରାଜ୍ୟରେ ପ୍ରବଳ ଗରମ ଏବଂ ଗୁଳୁଗୁଳିକୁ ନେଇ ସତର୍କ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଛୋଟ ପିଲା, ବୟସ୍କ ଏବଂ ବିଭିନ୍ନ ରୋଗରେ ପୀଡିତ ରୋଗୀମାନଙ୍କୁ ପ୍ରଚଣ୍ଡ ଖରାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଖରା ସମୟରେ ଯଥେଷ୍ଟ ପାଣି ପିଇବା ସହ ଥଣ୍ଡା ସ୍ଥାନରେ ରହିବାକୁ କହିଛି ପାଣିପାଗ ବିଭାଗ । ସେହିପରି ଚାଷୀମାନଙ୍କୁ ଜମିରେ ଜଳସେଚନ ଜାରି ରଖିବା ସହ ଗୃହପଳିତ ପଶୁମାନଙ୍କୁ ଖରାରୁ ଦୂରେଇ ରଖିବା ପଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ସୂଚନା ଅନୁଯାୟୀ, ଆଜି ସକାଳୁ ରାଜଧାନୀ ଭୁବନେଶ୍ୱରରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇଛି । ଭୋର ୫.୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୦ ଡିଗ୍ରୀ ପାର କରିସାରିଥିବା ବେଳେ ଆର୍ଦ୍ରତା ୮୮%ରେ ପହଞ୍ଚିଛି । ଆର୍ଦ୍ରତା ଅଧିକ ରହିଥିବାରୁ ଗୁଳୁଗୁଳି ମଧ୍ୟ ଖୁବ ଅଧିକ ରହିଥିବା ସୂଚନା ମିଳିଛି ।

ତେବେ ଏହି ତାତି ଆହୁରି ୨ ଦିନ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କୁ କଲବଲ କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଉକୂଳ ଅଞ୍ଚଳ ଗୁଡିକରେ ଗୁଳୁଗୁଳି ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ତାତି ଅନୁଭୂତ ହେବ । ତେବେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ହ୍ରାସ ହେବା ନେଇ ବିଶେଷ ସମ୍ଭାବନା ନାହିଁ ବୋଲି କହିଛି ପାଣିପାଗ ବିଭାଗ । କିନ୍ତୁ କିଛିଟା ସ୍ଥାନରେ ସ୍ୱାଭାବିକ ତାପମାତ୍ରା ପ୍ରାୟ ୪ରୁ ୬ ଡିଗ୍ରୀ ଅଧିକ ରହିବା ନେଇ ସମ୍ଭାବନା ଦେଖା ଦେଇଛି ।

Get real time updates directly on you device, subscribe now.