ନୂଆଦିଲ୍ଲୀ: ଭାରତରେ ଅନେକ ଲୋକ ନିଜର ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଭିକ୍ଷାବୃତ୍ତି କରିଥାନ୍ତି । ତେବେ ଯେଉଁ ବ୍ୟକ୍ତି ପାଇଁ ଜୀବନର ସବୁ ବୃତ୍ତିର ବାଟ ବନ୍ଦ ହୋଇଯାଇଥାଏ, ସେ ବାଧ୍ୟ ହୋଇ ଭିକ ମାଗେ ବୋଲି କୁହାଯାଇଥାଏ । ମାତ୍ର ଏହା ଶତ ପ୍ରତିଶତ ଠିକ୍ ନୁହେଁ । ଆଜି ବି ଭାରତର ବଡ଼ ବଡ଼ ସହରରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଧନୀ ଭିକାରି ରହିଛନ୍ତି । ଏମାନଙ୍କୁ ନେଇ ସୋସିଆଲ ମିଡ଼ିଆରେ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ ।
୨୦୧୧ ଜନଗଣନା ମୁତାବକ, ସାରା ଦେଶରେ ୪ ଲକ୍ଷରୁ ଅଧିକ ଭିକାରି ରହିଛନ୍ତି । ସେମାନଙ୍କ ମଧ୍ୟରୁ ୬୧ ହଜାରରୁ ଅଧିକ ଭିକାରିଙ୍କ ବୟସ ୧୯ ବର୍ଷରୁ କମ୍ ରହିଛି । ସାଧାରଣ ଭାବେ ଦେଶରେ ଭିକ୍ଷା କରିବାକୁ ନେଇ ସେପରି କୌଣସି ଆଇନ ନାହିଁ । ମାତ୍ର ଏପରି ଏକ ଆଇନ ଅଛି, ଯାହା କି ଭିକ୍ଷାବୃତ୍ତିକୁ ଅପରାଧ ଭାବେ ଦର୍ଶାଇଥାଏ । ଯଦି ଏହି ଆଇନରେ ଜଣେ ଦୋଷୀ ସାବ୍ୟସ୍ତ ହୁଏ, ତେବେ ସେ କ୍ଷେତ୍ରରେ କଠୋର ଦଣ୍ଡ ବିଧାନ ହୋଇପାରେ ।
ଗତ ୨୦୧୮ରେ ଦିଲ୍ଲୀ ହାଇକୋର୍ଟର ସେ ସମୟର ମୁଖ୍ୟ ବିଚାରପତି ଜଷ୍ଟିସ ଗୀତା ମିତ୍ତଲ ଓ ଜଷ୍ଟିସ ହରିଶଙ୍କର ନିଜର ନିଷ୍ପତ୍ତିରେ ଏହି ପ୍ରସଙ୍ଗରେ ଲେଖିଥିଲେ । ଭିକ୍ଷା ବୃତ୍ତି କରିବାକୁ ‘ଅପରାଧ’ ଭାବେ ଗ୍ରହଣ କରୁଥିବା ଆଇନକୁ ଅଦାଲତ ରଦ୍ଦ କରିଦେଇଥିଲା । ଏଥିସହିତ ଭିକ୍ଷାବୃତ୍ତିକୁ ଅପରାଧ ଭାବେ ବିଚାର କଲେ କିଛି ଅତି ଦୁର୍ବଳ ଶ୍ରେଣୀର ଲୋକଙ୍କ ମୌଳିକ ଅଧିକାରର ଉଲ୍ଲଂଘନ ହେବ ବୋଲି ଅଦାଲତ କରିଥିଲେ । ପରବର୍ତ୍ତୀ ସମୟରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଭିକ୍ଷା ମାଗିବା ଉପରେ ରୋକ ଲାଗୁ କରିବା ନେଇ ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେଇଥିଲେ ।
ବର୍ତ୍ତମାନ ଭାରତରେ ଭିକ ମାଗିବାକୁ ନେଇ ପେରି କୌଣସି କେନ୍ଦ୍ରୀୟ ଆଇନ ନାହିଁ । ମାତ୍ର ୧୯୫୯ର ବମ୍ବେ ପ୍ରିଭେନସନ ଅଫ୍ ବେଗିଂ ଆକ୍ଟ ଦିଲ୍ଲୀ ସହିତ ୨୦ରୁ ଅଧିକ ରାଜ୍ୟରେ ଲାଗୁ ହୋଇଥିବା ୨୦୨୩ରେ ରିପୋର୍ଟ ପ୍ରକାଶ ପାଇଥିଲା । ଏହି ଆଇନ ଭିକ ମାଗିବାକୁ ଅପରାଧ ଭାବେ ଗ୍ରହଣ କରେ । ଏହି ଆଇନ କେବଳ ସଡ଼କ ଉପରେ ଭିକ୍ଷାବୃତ୍ତିକୁ ଅପରାଧ ଭାବେ ଗ୍ରହଣ କରେନାହିଁ । ଯଦି ଜଣେ ସାର୍ବଜନିକ ସ୍ଥାନରେ ଡ୍ୟାନ୍ସ କରେ, ଗୀତ ଗାଏ, କିଛି ଚିତ୍ର ଆଙ୍କେ ଓ ଅର୍ଥ ରୋଜଗାର କରେ ତେବେ ତାହାକୁ ମଧ୍ୟ ‘ଭିକ୍ଷା’ ଭାବେ ଗ୍ରହଣ କରେ ।
ଯଦି କୌଣସି ବ୍ୟକ୍ତି ଭିକ ମାଗିବା ସମୟରେ ଧରାପଡ଼େ, ତେବେ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ବେଗାର ହୋମରେ ଅଟକ ରଖାଯାଇଥାଏ । ସେ ଯଦି ଦ୍ୱିତୀୟ ଥର ଧରାପଡ଼ିବେ, ତେବେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ । ଭିକ ମାଗିବାକୁ ନେଇ ପୋଲିସ ବିନା କୌଣସି ୱାରେଣ୍ଟରେ ଗିରଫ କରିପାରେ । ସେହିପରି ୧୯୭୫ରୁ ଉତ୍ତରପ୍ରଦେଶରେ ଏକ ଆଇନ ଲାଗୁ ହୋଇ ଆସୁଛି । ଉକ୍ତ ଆଇନ ଆଧାରରେ ଘରୋଇ ସ୍ଥାନରେ ଭିକ ମାଗିଲେ ଉକ୍ତ ବ୍ୟକ୍ତିଙ୍କୁ ପୋଲିସ ବିନା ୱାରେଣ୍ଟରେ ଗିରଫ କରିପାରେ । ରେଲୱେ ଆକ୍ଟର ଧାରା ୧୪୪ ଅନୁଯାୟୀ, ରେଳ ଷ୍ଟେସନ ବା ପ୍ଲାଟଫର୍ମରେ ଭିକ ମାଗିବା ଅପରାଧ ଅଟେ ।