ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବେଳକୁ ବେଳ ସମାଧାନ ହେବା ବଦଳରେ ବଗିଡ଼ିବାରେ ଲାଗିଛି ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ଦାମ୍ପତ୍ୟ କଳହ । ଗତ ୧୭ ତାରିଖରୁ ଦ୍ୱିତୀୟ ଥର ପାଇଁ ଶ୍ୱଶୁର ପ୍ରମୋଦ ସାହୁଙ୍କ ଘର ଆଗରେ ଧାରଣାରେ ବସି ରହିଥିଲେ ତପସ୍ୱନୀ । ଇତିମଧ୍ୟରେ ଗତକାଲି ଏସଡିଜେଏମଙ୍କ କୋର୍ଟରେ ଦମ୍ପତିଙ୍କ ମାମଲାର ଶୁଣାଣି ହୋଇଥିଲା । ପୂର୍ବ ରାୟକୁ ପୁଣି ଥରେ କୋର୍ଟ ଦୋହରାଇ ଏକ ଭଡ଼ାଘରର ବ୍ୟବସ୍ଥା କରି ତପସ୍ୱିନୀଙ୍କୁ ସେଠାରେ ରଖିବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତେବେ ବର୍ତ୍ତମାନ ସୁମିତ କେଉଁଠି ଅଛନ୍ତି ତାହା କେହି ଜାଣି ନଥିବାରୁ କୋର୍ଟଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଥିଲେ ତପସ୍ୱିନୀ ।
ଅନ୍ୟପଟେ ସୁମିତଙ୍କ ପକ୍ଷରୁ କାଗଜପତ୍ର ସଂଗ୍ରହ ପାଇଁ ମଗାଯାଇଥିବା ୧୫ ଦିନ ସମୟ ପିଟିସନକୁ ଖାରଜ କରିଥିଲେ କୋର୍ଟ । ଗତକାଲି ସୁମିତଙ୍କ ଘରର ମେନ୍ ଗେଟ୍ ଭାଙ୍ଗି ଭିତରକୁ ଧସେଇ ପଶିଥିଲେ କିଛି ମହିଳା । ତପସ୍ୱିନୀଙ୍କୁ ନ୍ୟାୟ ଦେବାକୁ ସେମାନେ ଗେଟ୍ ଭାଙ୍ଗିଥିବା ମହିଳାମାନେ କହିଥିବା ବେଳେ ଘଟଣାସ୍ଥଳରେ ଅତିରିକ୍ତ ଏସପି ପହଞ୍ଚି ବୁଝାସୁଝା କରିଥିଲେ । ତେବେ ଆଜି ଡାକ୍ତର ସୁମିତଙ୍କ ଘର ଥିବା ବ୍ରହ୍ମପୁରର ବ୍ରହ୍ମାନଗର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ସୁମିତଙ୍କ ଘର ଆଗରେ ୨ ସେକ୍ସନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି, ସୁମିତଙ୍କ ଗେଟ ଭାଙ୍ଗିବାର ଅଧିକାର କ’ଣ ଏହି ମହିଳାମାନଙ୍କର ସତର ଅଛି? ତେବେ କିଛି ସାଧାରଣ/ ଅସାଧାରଣ ଜନତା ଯଦି ସମସ୍ତଙ୍କୁ ନ୍ୟାୟ ଦେବେ, ତା’ହେଲେ ପୋଲିସ, ନ୍ୟାୟାଳୟ କୁଆଡ଼େ ଯିବେ? ତପସ୍ୱିନୀ ଆଉ ସୁମିତଙ୍କ ମଧ୍ୟରୁ କିଏ ଠିକ୍ ଆଉ କିଏ ଭୁଲ୍ ତାହା ଅଲଗା କଥା । କିନ୍ତୁ ଏପରି ମହିଳା ହୁଅନ୍ତୁ ବା ପୁରୁଷ ପୂର୍ବରୁ ରାଜ୍ୟରେ ଘଟିଥିବା ଏକାଧିକ ମାମଲା ସମୟରେ ସେମାନେ କୁଆଡ଼େ ଯାଇଥିଲେ? ଯଦି ବାହାରିବ, ସମସ୍ତଙ୍କ ପାଇଁ ଆଗକୁ ଆସ । ତପସ୍ୱିନୀଙ୍କ ପରି ଗୋଟିଏ ଝିଅକୁ ନ୍ୟାୟ ଦେବାକୁ ଯାଇ ଧସ୍ତାଧସ୍ତିରେ ଯଦି ଆଉ କାହାର କିଛି ଅଘଟଣ ଘଟିଥାନ୍ତା, ତେବେ ସେଥିପାଇଁ ଦାୟୀ କିଏ ହୋଇଥାନ୍ତା? ସମସ୍ତେ ନ୍ୟାୟ ପାଆନ୍ତୁ, କାହାକୁ ସପୋର୍ଟ କରିବା ଆମର ଲକ୍ଷ୍ୟ ନୁହେଁ । ଗଣତନ୍ତ୍ରରେ ଜନତା ଉଠିବା ନିଶ୍ଚିତଭାବେ ସ୍ୱାଗତଯୋଗ୍ୟ ପଦକ୍ଷେପ, କିନ୍ତୁ ଏହା ପୁରୁଷ, ନାରୀ, ଶିଶୁ, ବୃଦ୍ଧ, ଧନୀ, ଗରିବ, ମଧ୍ୟବିତ ସମସ୍ତଙ୍କ କ୍ଷେତ୍ରରେ ସମାନ ଭାବେ ଲାଗୁ ହେଲେ ଆଗାମୀ କିଛି ବର୍ଷ ମଧ୍ୟରେ ଓଡ଼ିଶା କାହିଁକି, ଏ ଦେଶ ବଦଳି ଯାଆନ୍ତା ।