ଶବ ସତ୍କାରର 18ମାସ ପରେ ଘରକୁ ଫେରିଲା ଝିଅ, କାରଣ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ

ପରିବାର ଲୋକଙ୍କ ଚିହ୍ନଟ ପରେ ଶବ ସତ୍କାର ହୋଇଥିଲା, କିନ୍ତୁ 18 ମାସ ପରେ ଜୀବନ୍ତ ଅବସ୍ଥାରେ ଘରକୁ ଫେରିଲା ଝିଅ

ମଧ୍ୟପ୍ରଦେଶ: ମୃତ୍ୟୁ ହୋଇଥିବା ଲୋକ ପୁଣି ଥରେ ଜୀବନ୍ତ ହୋଇ ଘରକୁ ଫେରିବା କଥା ଆପଣ କେବେ ଶୁଣିଛନ୍ତି? ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯାହାଙ୍କ ବଳାତ୍କାର ଏବଂ ହତ୍ୟା ମାମଲାରେ 3ଜଣ ଜେଲ ଯାଇଥିଲେ, ସେହି ଲୋକ ଦୀର୍ଘ 18ମାସ ପରେ ଜୀବିତ ହୋଇ ଘରକୁ ଫେରି ଆସିଛନ୍ତି।

ଘଟଣାଟି ଦେଖିବାକୁ ମିଳିଥିଲା ମଧ୍ୟପ୍ରଦେଶର ଝାବୁଆରେ। 2023 ମସିହାରେ ଏକ ଝିଅକୁ ସେଠାରେ ଅପହରଣ କରାଯାଇଥିଲା।
ତା ପରଦିନ ସେହି ଝିଅର ମୃତଦେହ ମିଳିଥିଲା, ଯାହାକୁ ଘର ଲୋକ ଚିହ୍ନଟ କରିଥିଲେ ଏବଂ ବଳାତ୍କାର ଓ ହତ୍ୟା ମାମଲା ରୁଜୁ କରି ସବ ସତ୍କାର କରିଥିଲେ।

ଏହି ମାମଲାରେ 3ଜଣଙ୍କୁ ଜେଲ ଦଣ୍ଡ ମଧ୍ୟ ଦିଆଯାଇଥିଲା। କିନ୍ତୁ 18ମାସ ପରେ ମୃତ୍ୟୁ ହୋଇଥିବା ଝିଅ ଜୀବନ୍ତ ଅବସ୍ଥାରେ ଘରକୁ ଫେରିଥିଲା। ଯାହାକୁ ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ହେବା ସହିତ ପୋଲିସକୁ ମଧ୍ୟ ସୂଚନା ଦେଇଥିଲେ। ପୋଲିସ ଏହି ଖବର ପାଇଲା ପରେ ବିଚଳିତ ହୋଇପଡିଲେ ଏବଂ ତାଙ୍କ ମୁଣ୍ଡ ଭିତରେ ଅନେକ ପ୍ରଶ୍ନ ଉଙ୍କି ମାରିଲା।

ସେ ଭାବୁଥିଲେ ଏହା କିପରି ସମ୍ଭବ? ଯଦି ଏହି ଝିଅ ଜୀବିତ ତେବେ ଯାହାର ଚିହ୍ନଟ କରାଯାଇ ଶେଷକୃତ୍ୟ କରାଯାଇଛି ସେ କିଏ? ଆଉ ଏ ଝିଅ ଏତେଦିନ ଯାଏଁ ଥିଲା କେଉଁଠି? ଝିଅଟିକୁ ପଚରାଉଚରା କରିବା ପରେ ସତ ସାମ୍ନାକୁ ଆସିଥିଲା।

କଣ ଥିଲା ପୁରା ଘଟଣା? ଝିଅ ଜଣଙ୍କ ପରିବାରକୁ ନଜଣାଇ 2023 ଅଗଷ୍ଟରେ ପ୍ରେମିକଙ୍କ ସହିତ ଘର ଛାଡି ଚାଲିଯାଇଥିଲେ।
କିନ୍ତୁ ତାଙ୍କ ପ୍ରେମିକ ତାଙ୍କୁ କୋଟାରେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ବନ୍ଦୀ କରି ରଖି ବଳାତ୍କାର କରିଥିଲେ। ମନ ବୁଝିଗଲା ପରେ ସେ ତାଙ୍କୁ 5 ଲକ୍ଷ ଟଙ୍କାରେ ଅନ୍ୟ କାହାକୁ ବିକିଦେଲେ।

ପୀଡିତାଙ୍କ କହିବା ଅନୁସାରେ , ସେ ବହୁ କଷ୍ଟରେ ଅଭିଯୁକ୍ତଙ୍କ କବଳରୁ ଖସି ଆସିବାରେ ସକ୍ଷମ ହୋଇଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ, ୧୮ ମାସ ପୂର୍ବରୁ ଯେଉଁ ମହିଳାଙ୍କ ମୃତଦେହ ମିଳିଥିଲା ​​ତାଙ୍କ ପୋଷାକ ସେ ମୃତ ଝିଅ ପାଖରେ କିପରି ପହଞ୍ଚିଲା ତାହା ସେ ଜାଣି ନାହାଁନ୍ତି।

ଅନ୍ୟପକ୍ଷରେ ପୋଲିସ ଏହା ବିଷୟରେ ଅଧିକ ତଦନ୍ତ କରିବା ସହିତ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ ଝିଅଟିର ହତ୍ୟା ପାଇଁ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଜାମିନ ପ୍ରଦାନ କରିଛି।