ପାଟୁଆ ଯାତ୍ରା ସମୟରେ ଅଘଟଣ: ୧୧ କେଭି ତାର ଲାଗି ଦୁଇ ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକ ଅନ୍ତର୍ଗତ ନୂଆନନ୍ଦ ଗାଁରେ ପାଟୁଆ ଯାତ୍ରା ଚାଲିଥିବା ବେଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଡିଜେ ବାଜୁଥିବା ସମୟରେ ଏକ ଡିଜେ ଗାଡ଼ି ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ରବିବାର ରାତିରେ ନୂଆନନ୍ଦ ଗାଁରେ ଚାଲିଥିବା ପାଟୁଆ ଯାତ୍ରା ସମୟରେ ଏହି ଅଘଟଣ ଘଟିଛି। ଡିଜେ ଗାଡ଼ିରୁ ବିଦ୍ୟୁତ୍ ସଂସ୍ପର୍ଶ ହେବା କାରଣରୁ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି, ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି।

ସ୍ଥାନୀୟ ପୋଲିସ ଏବଂ ବିଦ୍ୟୁତ୍ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଡିଜେ ଗାଡ଼ିର ଉଚ୍ଚତା ଯୋଗୁଁ ଏହା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା। ଏହି ଘଟଣା ଗାଁରେ ଶୋକର ଛାୟା ଖେଳାଇ ଦେଇଛି।