fbpx
BSKY SKY
BSKY SKY

ଆମେ ବିଶ୍ୱ କପରେ କେବେ ନା କେବେ ପାକିସ୍ତାନଠୁ ହାରିବୁ, ସତ ହୋଇଗଲା ଧୋନୀଙ୍କ ଭବିଷ୍ୟତବାଣୀ

BSKY

ନୂଆଦିଲ୍ଲୀ : ଅକ୍ଟୋବର ୨୪ ତାରିଖକୁ ଭାରତୀୟ ପ୍ରଶଂସକ ଯଥା ଶୀଘ୍ର ଭୁଲିବାକୁ ଚାହିଁବେ । କାରଣ ଏହି ଦିନ ତାହା ହୋଇଗଲା ଯାହା ଗତ ୨୯ ବର୍ଷ ଧରି କେବେ ହୋଇନଥିଲା । ଟି-୨୦ ବିଶ୍ୱ କପ୍ ୨୦୨୧ର ମହାମୁକାବିଲାରେ ପାକିସ୍ତାନ ଭାରତକୁ ୧୦ ୱିକେଟରେ ପରାସ୍ତ କରିଛି । ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଭାରତୀୟ ବ୍ୟାଟସମ୍ୟାନଙ୍କ ନିରାଶଜନକ ପ୍ରଦର୍ଶନ ଦଳ ପରାଜୟର ପ୍ରମୁଖ କାରଣ ପାଲଟିଛି । ବିଶ୍ୱ କପ ଇତିହାସରେ ପାକିସ୍ତାନ ପ୍ରଥମ ଥର ଭାରତକୁ ହରାଇଛି । ହେଲେ ପଡୋଶୀ ଦେଶ ବିଶ୍ୱ କପରେ ଦିନେ ନା ଦିନେ ଆମ ଉପରେ ଭାରି ପଡିବେ ବୋଲି ୫ ବର୍ଷ ପୂର୍ବେ ଏମିତି ଭବିଷ୍ୟତବାଣୀ କରିଥିଲେ ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ଦଳର ମେଣ୍ଟର ଥିବା ମହେନ୍ଦ୍ର ସିଂହ ଧୋନୀ ।

୨୦୧୬ରେ ଯେବେ ମାହି ଭାରତୀୟ ଦଳର ଅଧିନାୟକ ଥିଲେ, ସେହି ସମୟରେ ଭାରତୀୟ ଦଳ ପାକିସ୍ତାନକୁ ପରାସ୍ତ କରିଥିଲା । ଏହା ପରେ ସାମ୍ବାଦିକ ସମ୍ମିଳନୀରେ ଧୋନୀ କହିଥିଲେ ଯେ, ଆମେ ଏହାକୁ ନେଇ ଗର୍ବିତ ଯେ, ଆମେ ବିଶ୍ୱ କପରେ ପାକିସ୍ତାନ ବିରୋଧରେ ୧୧-୦ରେ ଜିତିଛୁ । ମାତ୍ର ଏହା ସତ ଯେ, ଆମେ ପାକିସ୍ତାନ ହାତରୁ କେବେ ନା କେବେ ହାରିବୁ, ସେ ଆଜି ହେଉ କି ୧୦ ବର୍ଷ ପରେ ହେଉ କି ୨୦ ବର୍ଷ ପରେ ହେଉ । ଆମେ ସର୍ବଦା ଜିତିବୁ ଏମିତି ହୋଇ ପାରିବ ନାହିଁ । ମାହିଙ୍କ ଏହି ଭବିଷ୍ୟତବାଣୀ ରବିବାର ସତ୍ୟରେ ପରିଣତ ହୋଇଛି ଏବଂ ପାକିସ୍ତାନ ଭାରତ ବିରୋଧରେ ବିଶ୍ୱ କପରେ ନିଜର ପ୍ରଥମ ବିଜୟ ହାସଲ କରିଛି ।

 

ସୂଚନାଯୋଗ୍ୟ, ଗତକାଲି ଦୁବାଇରେ ଖେଳାଯାଇଥିବା ମହାମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ ୫୭ ରନ ବଳରେ ୭ ୱିକେଟ୍ ହରାଇ ୧୫୧ ରନ କରିଥିଲା । ଜବାବରେ ପାକିସ୍ତାନ ଦୁଇ ଓପନର ବାବର ଆଜମଙ୍କ ୬୮ ଏବଂ ମହମ୍ମଦ ରିଜୱାନଙ୍କ ୭୯ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ବଳରେ ୧୭.୫ ଓଭରରେ କୌଣସି ୱିକେଟ୍ ନହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ପାକିସ୍ତାନ ବିଜୟ ସହିତ ବିଶ୍ୱ କପ୍ ଅଭିଯାନ ଆରମ୍ଭ କରିଥିବା ବେଳେ ଭାରତ ପରାଜୟରୁ ନିଜର ଅଭିଯାନ କରିଛି ।

 

Get real time updates directly on you device, subscribe now.