fbpx

ସଫଳ ହେଲା ଅମ୍ରିତ ପ୍ରଧାନଙ୍କ ଫୁସଫୁସ୍ ପ୍ରତିରୋପଣ, ୧୯ ଘଣ୍ଟା ଧରି ଚାଲିଥିଲା ଅସ୍ତ୍ରୋପଚାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘଦିନ ଧରି ଏକମୋରେ ଚିକିତ୍ସିତ ହେଉଥିବା ଅମ୍ରିତ ପ୍ରଧାନଙ୍କ ଫୁସଫୁସ୍ ପ୍ରତିରୋପଣ ହୋଇଛି । ଫୁସଫୁସ୍ ଯୋଗାଡ଼ କରାଯିବା ପରେ ତାଙ୍କର ଅପରେସନ ଆରମ୍ଭ ହୋଇଥିଲା । ୧୯ ଘଣ୍ଟାର ଅପରେସନ୍ ପରେ ସଫଳତାର ସହ ଫୁସଫୁସ୍ ପ୍ରତିରୋପଣ କରାଯାଇଛି । ଫୁସଫୁସ ପ୍ରତିରୋପଣ ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିବାକୁ ନେଇ ଏବେ ପରିବାରଲୋକେ ଚିନ୍ତାରେ ପଡ଼ିଛନ୍ତି । ଏନେଇ ତାଙ୍କ ଭଉଣୀ ମନୀଷା ପ୍ରଧାନ ସୋସିଆଲ ମିଡିଆରେ ଚିକିତ୍ସା ବାବଦ ଅର୍ଥ ପାଇଁ ଓଡ଼ିଶାବାସୀଙ୍କ ସହାୟତା ଲୋଡ଼ିଛନ୍ତି ।

ତେବେ କରୋନାରେ ପୀଡ଼ିତ ହୋଇ ଅମ୍ରିତଙ୍କ ଫୁସଫୁସ୍ ସଂକ୍ରମିତ ହୋଇଥିଲା । ତାଙ୍କୁ ଏକମୋରେ ଚିକିତ୍ସା କରାଇବା ଜରୁରୀ ହୋଇପଡ଼ିବାରୁ ପରିବାରଲୋକେ ଜୁନ୍ ୩ ତାରିଖ ଦିନ ଭୁବନେଶ୍ବର ଏମସରୁ ଏୟାରଲିଫ୍ଟ କରି ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ସେଠାରେ ଦୀର୍ଘ ଦିନ ଧରି ତାଙ୍କର ଏକମୋ ଚିକିତ୍ସା ଚାଲିଥିଲା। ୧୪୧ ଦିନ ଧରି ଏକମୋ ଚିକିତ୍ସା ଚାଲିଥିବା ବେଳେ ବି ସ୍ୱାସ୍ଥ୍ୟରେ ସେଭଳି କିଛି ସୁଧାର ଆସିନଥିଲା । ଟ୍ରାକୋଷ୍ଟୋମି ଅସ୍ତ୍ରୋପଚାର କରାଯିବାପରେ ଅମ୍ରିତଙ୍କର ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିଲା। ଫଳରେ ସେ ଠାର ମାଧ୍ୟମରେ କଥାବାର୍ତ୍ତା କରିପାରୁଥିଲେ। କିନ୍ତୁ ଫୁସଫୁସ୍‌ରେ କୌଣସି ପ୍ରକାର ଉନ୍ନତି ଦେଖା ନଦେବାରୁ ହସ୍ପିଟାଲ ପକ୍ଷରୁ ଫୁସଫୁସ୍ ପ୍ରତିରୋପଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପରିବାର ଲୋକଙ୍କ ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଛାତରୁ ଖସି ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚକିତ୍ସିତ ହେଉଥିଲେ । ଦୀର୍ଘ ସମୟ ଧରି ଭେଣ୍ଟିଲେଟରରେ ରହିବା ପରେ ଜୀବନ ହାରିଥିଲେ । ସେହି ଯୁବକଙ୍କ ଫୁସଫୁସ୍ ପ୍ରତିରୋପଣ କରାଯାଇଛି ।

Get real time updates directly on you device, subscribe now.