fbpx

IND vs SA: ଟି-୨୦ କ୍ରିକେଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ପଲ୍ଲା ଭାରି, ଦେଖନ୍ତୁ ଦୁଇ ଦଳର ରେକର୍ଡ

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସମେତ ଅନେକ ତାରକା ଖେଳାଳିଙ୍କ ଅନୁପସ୍ଥିତିରେ ଭାରତୀୟ ଦଳ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାର ମୁକାବିଲା କରିବ। ଭାରତ ଲଗାତାର ୧୨ଟି ଟି-୨୦ ମ୍ୟାଚ୍ ଜିତି ବିଶ୍ଵ ରେକର୍ଡଠୁ ଆଉ ଗୋଟିଏ ବିଜୟ ଦୂରରେ ରହିଛି। ଯଦି ଆସନ୍ତାକାଲିର ମ୍ୟାଚ୍ ଭାରତ ଜିତିନିଏ ତେବେ ଦଳ ଲଗାତାର ସର୍ବାଧିକ ଅନ୍ତର୍ଜାତୀୟ ଟି-୨୦ ଜିତିବାର ବିଶ୍ଵ ରେକର୍ଡ ନିଜ ନାମରେ କରିବ। କେଏଲ ରାହୁଲଙ୍କ ନେତୃତ୍ଵରେ ଦଳ ମଇଦାନକୁ ଓହ୍ଲାଇବ। ଯଦି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ରେକର୍ଡ ଉପରେ ନଜର ପକାଇବା ତେବେ ଭାରତର ପଲ୍ଲା ଭାରି ରହିଛି।

ଦୁଇ ଦଳ ମଧ୍ୟରେ ଏ ପର‌୍ୟ୍ୟନ୍ତ ୧୫ଟି ଟି-୨୦ ମୁକାବିଲା ଖେଳାଯାଇଛି। ଏଥିରୁ ଭାରତ ୯ଟି ଏବଂ ଦକ୍ଷିଣ ଆଫ୍ରିକା ୬ଟି ମ୍ୟାଚ୍ ମୁକାବିଲା ଜିତିଛି। ରେକର୍ଡ ଦେଖିଲେ ଭାରତର ପଲ୍ଲା ଭାରି ରହିଛି। କିନ୍ତୁ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ରେକର୍ଡ ନୈରାଶ୍ୟଜନକ ରହିଛି। ଦୁଇ ଦଳ ମଧ୍ୟରେ ଭାରତରେ ୫ଟି ମୁକାବିଲା ଖେଳାଯାଇଛି। ଏଥିରୁ ଭ୍ରମଣକାରୀ ଦଳ ତିନୋଟି ଜିତିଥିବା ବେଳେ ଭାରତ ମାତ୍ର ଗୋଟିଏ ଜିତି ପାରିଛି।

ଦୁଇ ଦେଶ ମଧ୍ୟରେ ଅଦ୍ୟାବଧି ଛଅ ଟି-୨୦ ଶୃଙ୍ଖଳା ଖେଳାଯାଇଛି। ଏଥିରେ ଗୋଟିଏ ମ୍ୟାଚଠୁ ନେଇ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ସାମିଲ୍। ଭାରତ ଏଥିରୁ ତିନୋଟି ସିରିଜ୍ ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ଦୁଇଟି ସିରିଜ ଜିତିଛି ଏବଂ ଗୋଟିଏ ସିରିଜ ଡ୍ର ରହିଛି। ତେବେ ଦୁଇ ଦେଶ ମଧ୍ୟରେ ପ୍ରଥମ ଥର ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳାଯାଉଛି। ପ୍ରଥମ ମ୍ୟାଚ୍ ଆସନ୍ତାକାଲି ଦିଲ୍ଲୀରେ ଖେଳାଯାଉଥିବା ବେଳେ ଦ୍ଵିତୀୟ ମ୍ୟାଚ୍ ଜୁନ ୧୨ରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏ ନେଇ ଓସିଏ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର‌୍ୟ୍ୟାୟରେ ପହଞ୍ଚି ଯାଇଛି।

Get real time updates directly on you device, subscribe now.