fbpx

IND vs WI ଦ୍ୱିତୀୟ ଟେଷ୍ଟର ଶେଷ ଦିନରେ ବାଧା ସାଜିବ ବର୍ଷା! କିଏ ନେବ ସିରିଜ?

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ କଳାବାଦଲ ଢାଙ୍କି ହୋଇ ରହିଛି । ମ୍ୟାଚରେ ଭାରତ ଦ୍ରୁତ ଗତିରେ ବିଜୟ ଦିଗରେ ଆଗେଇ ଚାଲିଥିବା ବେଳେ ଦଳକୁ କ୍ଲିନ ସ୍ୱିପ କରିବାରେ ରୋକ ଲଗାଇପାରେ ବର୍ଷା ପାଣି । ଦ୍ୱିତୀୟ ମ୍ୟାଚର ଶେଷ ଦିନରେ ଖେଳ ଆରମ୍ଭ ହେବା ପୂର୍ବରୁ ବର୍ଷା ହେବା ନେଇ ଆଶଙ୍କା କରାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ଭାରତ ୱେଷ୍ଟଇଣ୍ଡିଜଠାରୁ ଖୁବ ଆଗରେ ରହିଛି । ୱେଷ୍ଟଇଣ୍ଡିଜ ବିଜୟଠାରୁ ୨୯୮ ରନ୍ ପଛରେ ରହିଥିବା ବେଳେ ଭାରତ ୮ ୱିକେଟ ଦୂରରେ ରହିଛି ।

ସୂଚନା ଅନୁସାରେ ଦ୍ୱିତୀୟ ଇନିଂସରେ ଚତୁର୍ଥ ଦିନ ଟିମ ଇଣ୍ଡିଆ ୧୮୧ ରନରେ ପାଳି ଘୋଷଣା କରିଥିଲା । ଏହାପରେ ୩୬୫ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ଘରୋଇ ଦଳ ୱେଷ୍ଟଇଣ୍ଡିଜ । ତେବେ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୨୦ ଓଭର ମଧ୍ୟରେ ଦଳ ମାତ୍ର ୭୬ ରନ କରିଥିବା ବେଳେ ୨ଟି ମୂଲ୍ୟବାନ ୱିକେଟ ହରାଇ ସାରିଛି । ପଞ୍ଚମ ଦିନରେ ୱେଷ୍ଟଇଣ୍ଡିଜ ପାଇଁ ୨୮୯ ରନର ବିଜୟ ଲକ୍ଷ୍ୟ ରହିଛି । ସେପଟେ ରୋହିତ ସେନା ଆଗରେ ୱେଷ୍ଟଇଣ୍ଡିଜର ୮ ଟି ୱିକେଟ ନେବାକୁ ପଡ଼ିବ । ଏହି ମ୍ୟାଚରେ ବିଜୟଲାଭ କଲେ ଭାରତ ୱେଷ୍ଟଇଣ୍ଡିଜକୁ କ୍ଲିନ ସ୍ୱିପ କରିବାରେ ସଫଳ ହୋଇପାରିବ ।

ସୂଚନା ଅନୁସାରେ, ଦ୍ୱିତୀୟ ଇନିଂସରେ ଉଭୟ ୱିକେଟ ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ମିଳିଛି । ତେବେ ପ୍ରଥମ ଇନିଂସରେ ମହମ୍ମଦ ସିରାଜ ୫ଟି ସଫଳତା ପାଇଥିବା ବେଳେ ମୁକେଶ କୁମାର ଏବଂ ରବିନ୍ଦ୍ର ଜାଡେଜା ୨ ଲେଖାଏଁ ୱିକେଟ ହାସଲ କରିଥିଲେ । ଏହାବ୍ୟତୀତ ରବିଚନ୍ଦ୍ରନ ଅଶ୍ୱୀନ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ଟେଷ୍ଟ ସିରିଜର ପ୍ରଥମ ମ୍ୟାଚକୁ ପାଳି ଏବଂ ୧୪୧ ରନରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ତେବେ ଅଧିନାୟକ ରୋହିତ ଶର୍ମା ଏବଂ ଯୁବ ଓପନର ଯଶସ୍ୱୀ ଜଏସ୍ୱାଲ ଏହି ମ୍ୟାଚରେ ଦମଦାର ଶତକ ହାସଲ କରିଥିଲେ ।

Get real time updates directly on you device, subscribe now.