ପୁରୁଷ ଜୁନିୟର ଏସିଆ କପ୍ ହକି: ଡିସେମ୍ବର ୩ରେ ଭାରତ-ମାଲେସିଆ ସେମି ମୁକାବିଲା

ନୂଆଦିଲ୍ଲୀ: ପୁରୁଷ ଜୁନିୟର ଏସିଆ କପ୍ ହକି ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ । ପୁଲ-ଏ’ ପର୍ଯ୍ୟାୟରେ ଅପରାଜେୟ ରହିବା ସହ ଭରତ ସେମିରେ ପ୍ରବେଶ କରିଛି । ଗତକାଲି ଖେଳାଯାଇଥିବା ପୁଲ-ଏ’ର ଅନ୍ତିମ ମ୍ୟାଚରେ ଭାରତୀୟ ହକି ଟିମ୍ ଦକ୍ଷିଣ କୋରିଆକୁ ୮-୧ ଗୋଲରେ ପରାସ୍ତ କରିଥିଲା । ଉକ୍ତ ମ୍ୟାଚରେ ଦକ୍ଷିଣ କୋରିଆ ଏକତରଫା ଭାବେ ପରାଜୟ ବରଣ କରିଥିଲା । ଡିସେମ୍ବର ୩ରେ ଭାରତ ଓ ମାଲେସିଆ ମଧ୍ୟରେ ପ୍ରଥମ ସେମି ମୁକାବିଲା ହେବ । ସେହିପରି ଦ୍ୱିତୀୟ ସେମିରେ ପାକିସ୍ତାନ ଓ ଜାପନ ପରସ୍ପର ସହ ମୁହାଁମୁହିଁ ହେବେ ।

ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଉଚ୍ଚକୋଟୀର ପ୍ରଦର୍ଶନ କରିବା ସହ ୪ଟି ମ୍ୟାଚରେ ବିଜୟୀ ହୋଇ ମୋଟ ୧୨ ପଏଣ୍ଟ ହାସଲ କରିଛି । ସେହିପରି ଜାପାନ ୯ ପଏଣ୍ଟ ପାଇବା ସହ ଦ୍ୱିତୀୟ ସ୍ଥାନରେ ରହି ସେମିକୁ ଉନ୍ନୀତ ହୋଇଛି । ଅନ୍ୟପକ୍ଷରେ ପୁଲ-ବି’ରେ ପାକିସ୍ତାନ ୧୨ ପଏଣ୍ଟ ପାଇ ପୁଲ୍ ଟପ୍ପର ହୋଇ ସେମିରେ ପ୍ରବେଶ କରିଛି । ମାଲେସିଆ ୭ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହି ସେମିରେ ପ୍ରବେଶ କରିଛି । ଏଥର ସେମିରେ ପ୍ରବେଶ କରିଥିବା ୪ଟି ଟିମ୍ ୨୦୨୫ ଜୁନିୟର ହକି ବିଶ୍ୱକପ ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି ।