ମିଆଁମାରର ଏହି ରାଜ୍ୟକୁ ନଯିବାକୁ ନାଗରିକଙ୍କୁ କହିଲା ଭାରତ

ନୂଆଦିଲ୍ଲୀ: ମିଆଁମାରର ରଖାଇନ୍ ରାଜ୍ୟକୁ ଯାତ୍ରା ନ କରିବାକୁ ଭାରତ ତା’ର ନାଗରିକମାନଙ୍କୁ କହିଛି। ଏ ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ନିରାପତ୍ତା ସ୍ଥିତି ବିଗିଡ଼ିବା, ଯୋଗାଯୋଗ ସେବା ବାଧାପ୍ରାପ୍ତ ହେବା, ଲ୍ୟାଣ୍ଡଲାଇନ୍ ଏବଂ ମୌଳିକ ଭିତ୍ତିଭୂମିର ଘୋର ଅଭାବ ଯୋଗୁଁ ସମସ୍ତ ଭାରତୀୟଙ୍କୁ ମିଆଁମାର ରଖାଇନ୍ ରାଜ୍ୟକୁ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି। ଯେଉଁ ଭାରତୀୟମାନେ ପୂର୍ବରୁ ରଖାଇନ୍ ରାଜ୍ୟରେ ଅଛନ୍ତି ସେମାନେ ତୁରନ୍ତ ଏହି ଅଞ୍ଚଳ ଖାଲି କରନ୍ତୁ। ୨୦୧୬ ରୁ ରଖାଇନ୍ ରାଜ୍ୟରେ ହିଂସା ଜାରି ରହିଛି। ତେବେ ଗତ କିଛି ଦିନ ହେବ ମିଆଁମାରର ସାମରିକ ଶକ୍ତି ଏବଂ ବିଦ୍ରୋହୀ ସଙ୍ଗଠନ ଆରାକାନ ଆର୍ମି (ଏଏ) ମଧ୍ୟରେ ସଂଘର୍ଷ ତୀବ୍ର ହେବାରେ ଲାଗିଛି।

ସେପଟେ ମିଆଁମାର ସହ ଲାଗିଥିବା ୧୬୪୩ କିଲୋମିଟର ଦୀର୍ଘ ସୀମାରେ ବାଡ଼ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏହାଦ୍ୱାରା ସୀମାରେ ଉନ୍ନତ ତଦାରଖ, ପାଟ୍ରୋଲିଂ ଏବଂ ଟ୍ରାକିଂ ହୋଇପାରିବ ବୋଲି ସେ କହିଛନ୍ତି। ମଣିପୁରର ମୋରେହଠାରେ ୧୦ କିଲୋମିଟର ଦୀର୍ଘ ସୀମାରେ ବାଡ଼ ଲଗାଯାଇଛି। ହାଇବ୍ରିଡ୍ ସର୍ଭିଲାନ୍ସ ସିଷ୍ଟମ (ଏଚ୍ଏସ୍ଏସ୍) ଜରିଆରେ ବାଡ଼ ଲଗାଇବା ପାଇଁ ଦୁଇଟି ପାଇଲଟ୍ ପ୍ରୋଜେକ୍ଟ ଚାଲିଛି। ଏହା ଅଧୀନରେ ଅରୁଣାଚଳ ପ୍ରଦେଶ ଓ ମଣିପୁରର ଏକ କିଲୋମିଟର ଦୀର୍ଘ ସୀମାକୁ ବାଡ଼ ଲଗାଯିବ।