fbpx

ରୁଷ ଠାରୁ ଅତି ଶସ୍ତାରେ ତେଲ କିଣିବାକୁ ଚାହୁଁଛି ଭାରତ

ନୂଆଦିଲ୍ଲୀ: ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ଉପରେ ଭାରତ ଚାପ ପକାଇବା ଆରମ୍ଭ କରିଛି । ଭାରତକୁ ଶସ୍ତାରେ ଅଶୋଧିତ ତୈଳ ଯୋଗାଇ ଦେବ ବୋଲି ରୁଷ କହିଥିଲା । ଏହାର ଫାଇଦା ଉଠାଇ ଏବେ ଭାରତ ବ୍ୟାରେଲ ପିଛା ୭୦ ଡଲାରରୁ କମ୍‌ ମୂଲ୍ୟରେ ରୁଷ ଠାରୁ ତେଲ କିଣିବାକୁ ଚାହୁଁଛୁ । ଏନେଇ ଭାରତ ପକ୍ଷରୁ ରୁଷ ଉପରେ ଚାପ ମଧ୍ୟ ପକା ଯାଉଥିବା ରିପୋର୍ଟ ପ୍ରକାଶ ପାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ ୧୦୫ ଡଲାର ରହିଛି । ହେଲେ ରୁଷ ଠାରୁ ଭାରତ ସରକାର ବ୍ୟାରେଲ ପିଛା ୭୦ ଡଲାରରୁ କମ ଦାମରେ ତୈଳ ଆମଦାନୀ କରିବାକୁ ଚାହୁଁଛନ୍ତି । ଏହାଦ୍ୱାରା ଲୋକଙ୍କ ପାଖରେ ମଧ୍ୟ କମଦାମରେ ପେଟ୍ରୋଲ ଓ ଡିଜେଲ ପହଞ୍ଚି ପାରିବ । ଭାରତର ଏପରି ପ୍ରସ୍ତାବ ଉପରେ ଏବେ ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହୋଇଥିବା କୁହାଯାଉଛି । ୟୁକ୍ରେନ ଉପରେ ହମଲା କରିବା ଦିନ ଠାରୁ ରୁଷ ଠାରୁ ଉଭୟ ଘରୋଇ ଓ ସରକାରୀ ରିଫାଇନାରୀଗୁଡ଼ିକ ୪୦ ମିଲିୟନ ବ୍ୟାରେଲରୁ ଅଧିକ ତୈଳ ଆମଦାନୀ କରି ସାରିଲେଣି । ୨୦୨୧ରେ ଯେତିକି ତୈଳ ଆମଦାନୀ ହୋଇଥିଲା, ତା’ଠାରୁ ପ୍ରାୟ ୨୦% ଅଧିକ ତେଲ ବର୍ତ୍ତମାନ ରୁଷରୁ ଭାରତକୁ ଆସିସାରିଲାଣି । ଭାରତ ଦେଶର ଆବଶ୍ୟକତା ପୂରଣ କରିବା ପାଇଁ ପ୍ରାୟ ୮୫% ତୈଳ ଆମଦାନୀ କରିଥାଏ । ରୁଷ ସରକାର ୟୁକ୍ରେନ ଉପରେ ହମଲା କରିବାରୁ ଆମେରିକା ସମେତ ୟୁରୋପୀୟ ଦେଶଗୁଡ଼ିକ ମସ୍କୋ ଉପରେ କଟକଣା ଲଗାଇଛନ୍ତି ।

Get real time updates directly on you device, subscribe now.