fbpx

ଭାରତ-ଇଂଲଣ୍ଡ ଖେଳିବେ ବିଶ୍ୱକପ ସେମି ଫାଇନାଲ! ଦେଖନ୍ତୁ କ’ଣ ରହିପାରେ ସମୀକରଣ

ଓଡ଼ିଶା ଭାସ୍କର: ଟି-୨୦ବିଶ୍ୱକପ ସେମି ଫାଇନାଲ ପାଇଁ ୨ଟି ଦଳ ନିଶ୍ଚିତ ହୋଇସାରିଛି । ଗ୍ରୁପ-୨ରୁ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ସେମି ଫାଇନାଲରେ ପ୍ରବେଶ କରି ସାରିଛନ୍ତି । ବର୍ତ୍ତମାନ ଗ୍ରୁପ-୧ରୁ କେଉଁ ୨ଟି ଦଳ ଯିବେ ତାହାକୁ ଅପେକ୍ଷା ରହିଛି । ଏହି ଗ୍ରୁପରେ ଭାରତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଏବଂ ବାଂଲାଦେଶ ରହିଛନ୍ତି । ତେବେ ଭାରତ ବର୍ତ୍ତମାନ ସୁଦ୍ଧା ୨ଟି ମ୍ୟାଚରେ ବିଜୟୀ ହୋଇ ତାଲିକାର ଶୀର୍ଷରେ ରହିବା ସହିତ ସେମି ଫାଇନାଲରେ ପ୍ରବେଶ କରିବା ପାଇଁ ପ୍ରମୁଖ ଦାବିଦାର ପାଲଟିଛି । ତେବେ ସେମି ଫାଇନାଲରେ ଭାରତ ଇଂଲଣ୍ଡକୁ ଭେଟିପାରେ ବୋଲି ଆକଳନ କରାଯାଉଛି । ଏମିତି ହେଲେ ଇଂଲଣ୍ଡ ନିକଟରୁ ୨୦୨୨ ଟି-୨୦ ବିଶ୍ୱକପ ସେମି ଫାଇନାଲର ପ୍ରତିଶୋଧ ନେଇପାରିବ ଟିମ ଇଣ୍ଡିଆ ।

ଗ୍ରୁପ-୨ରେ ସମସ୍ତ ମ୍ୟାଚ ଜିତି ଦକ୍ଷିଣ ଆଫ୍ରିକା ସେମି ଫାଇନାଲରେ ପ୍ରବେଶ କରିଥିବା ବେଳେ ୱେଷ୍ଟଇଣ୍ଡିଜକୁ ମାତ ଦେଇ ଇଂଲଣ୍ଡ ମଧ୍ୟ ସେମିରେ ପହଞ୍ଚିଛି । ବର୍ତ୍ତମାନ ଗ୍ରୁପ-୧ର ୨ଟି ଦଳକୁ ଅପେକ୍ଷା ରହିଛି । ତେବେ ସୁପର-୮ ମୁକାବିଲାରେ ୨ଟି ମ୍ୟାଚରେ ବିଜୟୀ ହୋଇ ଟିମ ଇଣ୍ଡିଆ ତାଲିକାର ଶୀର୍ଷରେ ରହିଛି । ଅନ୍ୟ ସମସ୍ତ ଦଳ ଗୋଟିଏ ଲେଖାଏଁ ବିଜୟୀ ହୋଇଛନ୍ତି । ତେବେ ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ମଇଦାନକୁ ଓହ୍ଲାଉଥିବା ବେଳେ ଏହି ମ୍ୟାଚରେ ବିଜୟୀ ହୋଇ ସେମି ଫାଇନାଲ ଟିକେଟ ନିଶ୍ଚିତ କରିବାକୁ ଚାହିଁବ । ତେବେ ଭାରତ ଯଦି ଶୀର୍ଷରେ ରହି ସେମି ଫାଇନାଲରେ ପ୍ରବେଶ କରେ, ତେବେ ସେମି ଫାଇନାଲ ମୁକାବିଲାରେ ଇଂଲଣ୍ଡକୁ ଭେଟିବ ରୋହିତ ସେନା । ଆଜିର ମ୍ୟାଚରେ ଭାରତ ବିଜୟୀ ହେଲେ କିମ୍ବା ବର୍ଷା ଯୋଗୁଁ ମ୍ୟାଚ ରଦ୍ଦ ହେଲେ ଦଳ ଟପ୍ ପୋଜିସନରେ ସେମି ଫାଇନାଲ ଟିକେଟ ପାଇପାରିବ ।

ସେମି ଫାଇନାଲରେ ଭାରତ-ଇଂଲଣ୍ଡ ମୁକାବିଲା ହେଲେ, ଏକ ବଡ଼ ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ଟିମ ଇଣ୍ଡିଆ । ୨୦୨୨ ଟି-୨୦ ବିଶ୍ୱକପର ସେମି ଫାଇନାଲରେ ଟିମ ଇଣ୍ଡିଆକୁ ମାତ୍ ଦେଇ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିଲା ଇଂଲଣ୍ଡ । ଏହି ମ୍ୟାଚରେ ଭାରତ ୧୬୯ ରନର ବିଜୟ ଲକ୍ଷ୍ୟ ଦେଇଥିବା ବେଳେ ମାତ୍ର ୧୬ ଓଭରରେ ଇଂଲଣ୍ଡ ୧୦ ୱିକେଟରେ ଏହି ମ୍ୟାଚ ଜିତିଥିଲା । ଏହି ମ୍ୟାଚରେ ଆଲେକ୍ସ ହେଲ୍ସ ୪୭ ବଲରୁ ୮୬ ଏବଂ ଜୋସ ବଟଲର ୪୯ ବଲରୁ ୮୦ ରନ କରି ବିଜୟୀ ହୋଇଥିଲା । ୨୦୨୨ ବିଶ୍ୱକପରେ ମିଳିଥିବା ସେହି ପରାଜୟର ପ୍ରତିଶୋଧ ନେଇପାରିବ ରୋହିତ ସେନା ।

Get real time updates directly on you device, subscribe now.