fbpx

‘ଇଣ୍ଡିଆ ଆଉଟ୍’ ସ୍ଲୋଗାନ ଦେବାକୁ ଯାଉଥିଲେ ମୁଇଜୁ; ବିପଦ ବେଳେ ଉଦାରତା ଦେଖାଇଲା ଭାରତ, ଧନ୍ୟବାଦ ଦେଲା ମାଳଦ୍ୱୀପ

ନୂଆଦିଲ୍ଲୀ: ବରର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ମାଳଦ୍ୱୀପ। ମାଳଦ୍ୱୀପକୁ ଜରୁରୀକାଳୀନ ଆର୍ଥିକ ସହାୟତା ପ୍ରଦାନ କରି ୫୦ ନିୟୁତ ଡଲାର ମୂଲ୍ୟର ସରକାରୀ ଟ୍ରେଜେରି ବିଲ୍ ପୁନଃ ସବସ୍କ୍ରାଇବ୍ କରିବା ପାଇଁ ଏକ ବର୍ଷ ପାଇଁ ବଢ଼ାଇଛି ଭାରତ। ଚଳିତ ବର୍ଷ ଦ୍ବିତୀୟ ଥର ପାଇଁ ଭାରତ ମାଳଦ୍ୱୀପକୁ ଏଭଳି ସହାୟତା ପ୍ରଦାନ କରିଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେଇଥିବା ବେଳେ ଏହି ପଦକ୍ଷେପ ନିଆଯାଇଛି।

ଗତବର୍ଷ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଏଜୁ ‘ଇଣ୍ଡିଆ ଆଉଟ୍’ ଅଭିଯାନରେ କ୍ଷମତାକୁ ଆସିଥିଲେ ଏବଂ ୩ଟି ବିମାନ ଚଳାଇବା ପାଇଁ ନୂଆଦିଲ୍ଲୀରୁ ଦେଶରେ ମୁତୟନ ଥିବା ୮୫ରୁ ଅଧିକ ସୈନ୍ୟ କର୍ମଚାରୀଙ୍କୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ଭାରତୀୟ ହାଇ କମିଶନ ଏକ ବିବୃତିରେ କହିଛନ୍ତି ଯେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପୂର୍ବ ସବସ୍କ୍ରିପସନ୍ ଶେଷ ହେବା ପରେ ମାଳଦ୍ୱୀପ ସରକାରଙ୍କ ୫୦ ନିୟୁତ ଡଲାର ମୂଲ୍ୟର ଟ୍ରେଜେରି ବିଲ୍ କୁ ଆଉ ଏକ ବର୍ଷ ପାଇଁ ସବସ୍କ୍ରାଇବ୍ କରିଛି।

ଚଳିତ ବର୍ଷ ମେ ମାସରେ ଏସବିଆଇ ମାଳଦ୍ୱୀପ ସରକାରଙ୍କ ଅନୁରୋଧକ୍ରମେ ପୁରୁଣା ବ୍ୟବସ୍ଥା ଅନୁଯାୟୀ ୫୦ ନିୟୁତ ଡଲାରର ଟ୍ରେଜେରୀ ବିଲ୍ ଗ୍ରହଣ କରିଥିଲା। ମାଳଦ୍ୱୀପ ସରକାରଙ୍କ ସ୍ୱତନ୍ତ୍ର ଅନୁରୋଧକ୍ରମେ ଏହି ସବସ୍କ୍ରିପସନ୍ ଗୁଡ଼ିକୁ “ଜରୁରୀକାଳୀନ ଆର୍ଥିକ ସହାୟତା” ଭାବରେ ପ୍ରସ୍ତୁତ କରାଯାଇଛି। ମାଳଦ୍ୱୀପକୁ ଭାରତୀୟ ପକ୍ଷର ଏକ ପ୍ରମୁଖ ସାମୁଦ୍ରିକ ପଡ଼ୋଶୀ ଏବଂ ‘ନେବରହୁଡ୍ ଫର୍ଷ୍ଟ’ ନୀତି ଅଧୀନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ବୋଲି ବର୍ଣ୍ଣନା କରିଛି ଭାରତ।

Get real time updates directly on you device, subscribe now.