ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ: ଅନଭିଜ୍ଞ ପ୍ଲେଇଂ-୧୧କୁ ନେଇ ପଡ଼ିଆକୁ ଓହ୍ଲାଇବ ଦଳ

ନୂଆଦିଲ୍ଲୀ: ଟି-୨୦ ସିରିଜକୁ ୩-୦ରେ କବଜା କରିବା ପରେ ଆଜି ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବ । କାନପୁରରେ ଘରୋଇ ଦଳକୁ ଭରପୁର ଫାଇଦା ମିଳିବାର ସମ୍ଭାବନା ରହିଛି । ଅପରପକ୍ଷେ ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ କୋଚ ରାହୁଲ ଦ୍ରାବିଡ଼ଙ୍କ ପାଇଁ ଏହି ମ୍ୟାଚ ଅଗ୍ନିପରୀକ୍ଷା ସଦୃଶ ହୋଇଛି । ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରି ଅଭିଜ୍ଞ ଖେଳାଳିଙ୍କ ବିନା ଟିମ୍ ଇଣ୍ଡିଆ ମୈଦାନକୁ ଓହ୍ଲାଇବ । ଆଜିର ମ୍ୟାଚ ସକାଳ ୯.୩୦ ମିନିଟରେ ଆରମ୍ଭ ହେବ ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସମୟରେ ଅଜିଙ୍କ୍ୟ ରାହାଣେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ତାଙ୍କୁ କେଏଲ ରାହୁଲ, ଋଷଭ ପନ୍ତ ଓ ମହମ୍ମଦ ସାମିଙ୍କ ସାଥ ମଧ୍ୟ ମିଳିବ ନାହିଁ । ପୂର୍ବରୁ ରାହାଣେଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ହାସଲ କରିବାରେ ସକ୍ଷମ ହୋଇଥିବାରୁ ବର୍ତ୍ତମାନ ତାହାକୁ ଦୋହରାଇବା ନେଇ କ୍ରୀଡ଼ାପ୍ରେମୀ ଆଶାବ୍ୟକ୍ତ କରିଛନ୍ତି । ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ କେବଳ ରାହାଣେ, ଚେତେଶ୍ୱର ପୂଜାରା ଓ ମୟଙ୍କ ଅଗ୍ରୱାଲ ୧୦ରୁ ଅଧିକ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଆଗାମୀ ମ୍ୟାଚଗୁଡ଼ିକରେ ମୟଙ୍କ ଯଦି ଭଲ ପ୍ରଦର୍ଶନ କରିବେ, ତେବେ ରାହୁଲଙ୍କ ଟିମକୁ ଫେରିବା କଷ୍ଟକର ହୋଇପାରେ । ଗତ ୧୧ଟି ଟେଷ୍ଟରେ ରାହାଣେ ମାତ୍ର ୧୯ ଆଭରେଜରେ ରନ ସଂଗ୍ରହ କରିଥିବାରୁ ତାଙ୍କ ଉପରେ ଫୋକସ ନିଶ୍ଚିତ ଭାବେ ରହିବ । ଆସନ୍ତା ମାସରେ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବାକୁ ଥିବାରୁ ତା’ ପୂର୍ବରୁ ଖେଳାଳିଙ୍କ ପାଇଁ ଏହା ଏକ ଭଲ ସୁଯୋଗ ସାବ୍ୟସ୍ତ ହେବ । ଆଜି ଶ୍ରେୟସ ଆୟର ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିବେ ।

ପ୍ଲେଇଂ ୧୧: ଅଜିଙ୍କି ରାହାଣେ (ଅଧିନାୟକ), ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଦ୍ଧିମାନ ଶାହା (ୱିକେଟ କିପର), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନୀ, ଅକ୍ଷର ପଟେଲ, ଉମେଶ ଯାଦବ, ଈଶାନ୍ତ ଶର୍ମା, ମହମ୍ମଦ ସିରାଜ, ଜୟନ୍ତ ଯାଦବ, ଶ୍ରୀକର ଭରତ, ପ୍ରସିଦ୍ଧ କୃଷ୍ଣ ।