fbpx

WTO ବୈଠକ ୨୦୨୨ରେ ଭାରତର ବଡ଼ ପଦକ୍ଷେପ: କୃଷି, ମତ୍ସ୍ୟ ଓ କୋଭିଡ ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ବାଣିଜ୍ୟ ମନ୍ତ୍ରୀ, ଭାରତକୁ ସମର୍ଥନ କଲେ ୮୦ଟି ଦେଶ

ନୂଆଦିଲ୍ଲୀ: ଆଜି ୧୬୪ ସଦସ୍ୟ ବିଶିଷ୍ଟ ବିଶ୍ୱ ବାଣିଜ ସଂଗଠନ (ଡବ୍ଲ୍ୟୁଟିଓ)ର ମନ୍ତ୍ରିସ୍ତରୀୟ ସମ୍ମିଳନୀ ଜେନେଭାଠାରେ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଉକ୍ତ ବୈଠକ ପୂର୍ବରୁ ଭାରତ ଡବ୍ଲ୍ୟୁଟିଓର ତିନୋଟି ଡ୍ରାଫ୍ଟକୁ ନେଇ ଅସହମତି ପ୍ରକାଶ କରିଛି । ଉକ୍ତ ତିନୋଟି ପ୍ରସ୍ତାବ ମାଛ ଧରିବା, କୃଷି ଓ କୋଭିଡ୍ ଭ୍ୟାକ୍ସିନ ପେଣ୍ଟେଣ୍ଟ ଉପରେ ଆଧାରିତ ରହିଛି । ତେବେ ବିକଶିତ ଦେଶଙ୍କ ବିରୋଧରେ ଭାରତର ଏହି ପଦକ୍ଷେପକୁ ୮୦ଟି ଦେଶ ସମର୍ଥନ କରିଥିବା ଜଣାପଡ଼ିଛି ।

ଗତ ୨୦ ବର୍ଷ ଧରି ଚାଲିଆସୁଥିବା ଅବୈଧ ଓ ଅନିୟମିତ ମାଛ ଧରିବାକୁ ନେଇ ଡବ୍ଲ୍ୟୁଟିଏ ନୂଆ ରୁଲ ଲାଗୁ କରିବାକୁ ଚାପ ପ୍ରୟୋଗ କରୁଛି । ମାତ୍ର ଭାରତ ଏହାର ବିରୋଧ କରିବା ସହ କୃଷି ପରି ମାଛ ଧରିବା ଲୋକଙ୍କର ମୁଖ୍ୟ ଜୀବିକା ବୋଲି କହିଛି । ତେବେ ଭାରତକୁ ବହୁ ବିକଶିତ ଓ ଅବିକାଶିତ ରାଷ୍ଟ୍ର ସମର୍ଥନ କରିଛନ୍ତି । ଏନେଇ ସଂଗଠନରେ ଅବସ୍ଥାପିତ ଭାରତର ଆମ୍ବାସଡର ଗଜେନ୍ଦ୍ର ନବନୀତ କହିଥିଲେ, ଅନ୍ୟ ରାଷ୍ଟ୍ରମାନେ ବିସ୍ତାର କରିଥିବା ସମସ୍ୟା ଭାରତ ନିଜ ଉପରକୁ ନେଇ ପାରିବ ନାହିଁ । ଭାରତ ମାଛ ଧରାଳୀଙ୍କ ସୁରକ୍ଷା ନେଇ କାର୍ଯ୍ୟ କରିବାକୁ ଚାହୁଁଛି ।

ରୁଷ-ୟୁକ୍ରେନ ଯୁଦ୍ଧ କାରଣରୁ ସମଗ୍ର ବିଶ୍ୱରେ ଏବେ ଖାଦ୍ୟ ସଙ୍କଟ ଦେଖାଦେଇଛି । ଖାଦ୍ୟ ସବସିଡି ବିଲ ୧୯୮୬-୮୮ ଅନୁଯାୟୀ, ଗରିବ ଦେଶଙ୍କୁ ସବସିଡି ମୂଲ୍ୟର ୧୦ ପ୍ରତିଶତ ଦିଆଯିବ ବୋଲି ସଂଗଠନ ସ୍ଥିର କରିଥିଲା । ତେଣୁ ଖାଦ୍ୟ ସବସିଡି ଗଣନାର ୩୦ ବର୍ଷ ପୂର୍ବର ଫର୍ମୂଲାକୁ ସଂଶୋଧନ କରିବାକୁ ଭାରତ ଚାହୁଁଛି । ଏ ପ୍ରସଙ୍ଗରେ ୧୨୫ଟି ଦେଶରୁ ଭାରତକୁ ୮୨ଟି ଦେଶ ସମର୍ଥନ କରିଛନ୍ତି । ସେହିପରି ଗରିବ ଦେଶରୁ କୋଭିଡ୍ ମହାମାରୀକୁ ସମାପ୍ତ କରିବା ପାଇଁ ଟିକାର ବ୍ୟାପକ ନିର୍ମାଣ ପାଇଁ ପେଣ୍ଟେଣ୍ଟ ନିୟମକୁ ସହଜ କରିବା ଆବଶ୍ୟକ ବୋଲି ଭାରତ କହିଛି । ସୂଚନାଯୋଗ୍ୟ ଯେ, ଡବ୍ଲ୍ୟୁଡିଓରେ ଭାରତର ନେତୃତ୍ୱ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ନେଉଛନ୍ତି ।

Get real time updates directly on you device, subscribe now.