ରୋଚକ ମୋଡରେ ଓ୍ଵାଣ୍ଡରର୍ସ ଟେଷ୍ଟ: ୨ୟ ଇନିଂସରେ ଭାରତ ୮୫/୨, ଦ୍ଵିତୀୟ ଦିନରେ ଚମକିଲେ ଶାର୍ଦ୍ଦୁଳ

ନୂଆଦିଲ୍ଲୀ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋହାନ୍ସବର୍ଗର ଓ୍ଵାଣ୍ଡରର୍ସ ଷ୍ଟାଡିୟମରେ ଖେଳାଯାଉଥିବା ସିରିଜ୍ର ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ ରୋଚକ ମୋଡରେ ପହଞ୍ଚି ଯାଇଛି। ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୨୯ ରନରେ ଅଲଆଉଟ୍ ହେବା ପରେ ଭାରତ ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ଦୁଇ ଓ୍ଵିକେଟ୍ ହରାଇ ୮୫ ରନ କରିଛି। କ୍ରିଜରେ ଚେତେଶ୍ଵର ପୂଜାରା(୩୫) ଓ ଆଜିଙ୍କ୍ୟ ରାହାଣେ(୧୧) ଅପରାଜିତ ଅଛନ୍ତି। ଏ ପର୍ଯ୍ୟନ୍ତ ଭାରତ ଘରୋଇ ଦକ୍ଷିଣ ଆଫ୍ରିକାଠୁ ୫୮ ରନର ଅଗ୍ରଣୀ ହାସଲ କରିଛି। ତୃତୀୟ ଦିନର ଖେଳ ବେଶ ରୋମାଞ୍ଚକର ହେବାକୁ ଯାଉଛି। ଭାରତର ଇନିଂସ ଅନେକାଂଶରେ ଏହି ଦୁଇ ଅଭିଜ୍ଞ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନିର୍ଭର କରେ।

ଦ୍ଵିତୀୟ ଦିନର ତୃତୀୟ ସେସନରେ ଦ୍ଵିତୀୟ ଇନିଂସ ଆରମ୍ଭ କରିଥିବା ଭାରତ ଦୁଇ ଓପନରଙ୍କୁ ହରାଇଛି। ଲୋକେଶ ରାହୁଲ(୮)ଙ୍କ ଭାବେ ଭାରତ ପ୍ରଥମ ଓ୍ଵିକେଟ୍ ହରାଇଛି। ମୟଙ୍କ ଅଗ୍ରଓ୍ଵାଲ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ବଡ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। ସେ ୨୩ ରନ କରି ବିଦାୟ ନେଇଛନ୍ତି। ଏହା ପରେ ସଭିଙ୍କ ନଜର ଚେତେଶ୍ଵର ପୂଜାରା ଏବଂ ଆଜିଙ୍କ୍ୟ ରାହାଣେଙ୍କ ଉପରେ ରହିଥିଲା। ତେବେ ଦୁଇ ବ୍ୟାଟସମ୍ୟାନ ଦ୍ଵିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତକୁ ଆଉ କୌଣସି କ୍ଷତି ହେବାକୁ ଦେଇ ନାହାନ୍ତି। ପୂଜାରା ନିଜର ପୁରୁଣା ଫର୍ମରେ ନଜର ଆସି ୩୫ ରନ କରି ଅପରାଜିତ ଅଛନ୍ତି। ରାହାଣେ କ୍ରିଜରେ ସଂଘର୍ଷ କରି ୧୧ ରନ କରି ଖେଳୁଛନ୍ତି।

ଏହା ପୂର୍ବରୁ ଦ୍ଵିତୀୟ ଦିନରେ ଚମକିଛନ୍ତି ଭାରତୀୟ ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁର। ଠାକୁରଙ୍କ ଘାତକ ବୋଲିଂର ସାମ୍ନା କରିନପାରି ଦକ୍ଷିଣ ଆଫ୍ରିକା ୨୨୯ ରନରେ ଅଲଆଉଟ୍ ହୋଇଛି। ୭ଟି ଓ୍ଵିକେଟ୍ ନେଇ ଶାର୍ଦ୍ଦୁଳ ଘରୋଇ ଦଳକୁ ବଡ ସ୍କୋର କରିବାକୁ ଦେଇ ନାହାନ୍ତି । ତେବେ ଘରୋଇ ଦଳ ଭାରତଠୁ ୨୭ ରନର ମହତ୍ଵପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ କିଗାନ ପିଟରସନ ୬୨ ଏବଂ ତେମ୍ବା ବାଭୁମା ୫୧ ରନର ମହତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଶାର୍ଦ୍ଦୁଳ ଠାକୁର ୬୧ ରନରେ ୭ ଓ୍ଵିକେଟ୍ ନେଇ ଟେଷ୍ଟରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ତାଙ୍କ ବୋଲିଂ ଦମରେ ଘରୋଇ ଦଳ ୨୨୯ ରନରେ ସୀମିତ ରହିଛି।

ପ୍ରଥମ ଦିନର ଅସମାପ୍ତ ଖେଳ ୩୫/୧ରୁ ବ୍ୟାଟିଂ ଆରମ୍ଭ କରିଥିବା ଦକ୍ଷିଣ ଆଫ୍ରିକାକୁ ଦ୍ଵିତୀୟ ଦିନର ପ୍ରଥମ ସେସନରେ ଭଲ ବ୍ୟାଟିଂ କରିଥିଲା। ତେବେ ଦ୍ଵିତୀୟ ସେସନରେ ଶାର୍ଦ୍ଦୁଳ ଠାକୁର ବୋଲିଂ କରିବାକୁ ଆସି ଘରୋଇ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। କିଗାନ ପିଟରସନ (୬୨) ଏବଂ ତେମ୍ବା ବାଭୁମା (୫୧)ଙ୍କୁ ବାଦ୍ ଦେଲେ ବାକି ବ୍ୟାଟସମ୍ୟାନ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଡିନ ଏଲଗର ୨୮, କାଇଲ ଭେରିନେ ୨୧, ମାର୍କୋ ଜନସେନ ୨୧, କେଶବ ମହାରାଜ ୨୧ ରନ କରିଥିଲେ ହେଁ ଏହାକୁ ବଡ ସ୍କୋରରେ ପରିଣତ କରି ପାରିନଥିଲେ। ଲୁଙ୍ଗି ଏନଗିଡି(୦)ଙ୍କୁ ଆଉଟ୍ କରି ଶାର୍ଦ୍ଦୁଳ ଠାକୁର ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସକୁ ୨୨୯ରେ ସୀମିତ ରଖିଛନ୍ତି। ତାଙ୍କ ବ୍ୟତୀତ ମହମ୍ମଦ ଶାମି ୨ ଓ ଯଶପ୍ରୀତ ବୁମରା ଗୋଟିଏ ଓ୍ଵିକେଟ୍ ନେଇଛନ୍ତି।

ଶାର୍ଦ୍ଦୁଳଙ୍କ ଶିକାର ହୋଇଥିବା ବ୍ୟାଟସମ୍ୟାନ ହେଉଛନ୍ତି ଡିନ ଏଲଗର(୨୮), କିଗାନ ପିଟରସନ(୬୨), ରସି ଭାନ ଡର ଡସେନ(୧), ତେମ୍ବା ବାଭୁମା(୫୧), କାଇଲ ଭେରିନେ (୨୧), ମାର୍କୋ ଜନସେନ (୨୧) ଓ ଲୁଙ୍ଗି ଏନଗିଡି(୦)।