fbpx

ଜାତିସଂଘ ସାଧାରଣ ଅଧିବେଶନରେ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

ନ୍ୟୁୟର୍କ: ମିଳିତ ଜାତିସଂଘ ସାଧାରଣ ଅଧିବେଶନରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଅନଓ୍ଵାର-ଉଲ-ହକ୍ କାକରଙ୍କ କଶ୍ମୀର ପ୍ରସଙ୍ଗକୁ କଡ଼ା ଜବାବ ଦେଇଛି ଭାରତ। ମିଳିତ ଜାତିସଂଘ ସାଧାରଣ ସଭାରେ ଭାରତର ପ୍ରଥମ ସଚିବ ପେଟାଲ ଗେହଲଟ କହିଛନ୍ତି ଯେ ପଡ଼ୋଶୀ ପ୍ରଥମେ ପିଓକେ ଖାଲି କରିବା ଉଚିତ। ସେ ବେଆଇନ ଭାବେ ପିଓକେ ଦଖଲ କରିଛନ୍ତି। ଭାରତୀୟ କୂଟନୀତିଜ୍ଞ ପେଟାଲ ଗେହଲଟଙ୍କ ବୟାନକୁ ସ୍ଥାନୀୟ ଗଣମାଧ୍ୟମରେ ବ୍ୟାପକ ଗୁରୁତ୍ୱ ଦିଆଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ କହିଛନ୍ତି ଯେ ପାକିସ୍ତାନ ପ୍ରଥମେ ଆତଙ୍କବାଦ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ବନ୍ଦ କରନ୍ତୁ। ଆପଣଙ୍କ ଦେଶରେ ସଂଖ୍ୟାଲଘୁଙ୍କ ମାନବିକ ଅଧିକାର ଉଲ୍ଲଂଘନ ବନ୍ଦ କରନ୍ତୁ। ମିଳିତ ଜାତିସଂଘ ସାଧାରଣ ସଭାରେ ଭାରତ ପାକିସ୍ତାନକୁ କହିଛି ଯେ ପାକିସ୍ତାନ ହେଉଛି ବିଶ୍ୱର ସବୁଠାରୁ ଖରାପ ମାନବାଧିକାର ରେକର୍ଡ ଥିବା ଦେଶ । ବିଶେଷ କରି ସଂଖ୍ୟାଲଘୁ ଓ ମହିଳାଙ୍କ ଅଧିକାର ପ୍ରସଙ୍ଗରେ ପାକିସ୍ତାନର ଅବସ୍ଥା ଅତ୍ୟନ୍ତ ଖରାପ ରହିଛି। ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଉପରେ ଆଙ୍ଗୁଠି ଉଠାଇବାର ସାହସ କରିବା ପୂର୍ବରୁ ପାକିସ୍ତାନ ପ୍ରଥମେ ନିଜ ଘର ମରାମତି କରିବା ଭଲ ହେବ। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

ପାକିସ୍ତାନରେ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସାର ଜ୍ୱଳନ୍ତ ଉଦାହରଣ ୨୦୨୩ ଅଗଷ୍ଟରୁ ଆସିଛି। ପାକିସ୍ତାନର ଫୈସଲାବାଦ ଜିଲ୍ଲାର ଜାରାନୱାଲାରେ ସଂଖ୍ୟାଲଘୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ବିରୋଧରେ ହୋଇଥିବା ଏକ ବଡ଼ ଧରଣର ନୃଶଂସ ଆକ୍ରମଣରେ ୧୯ଜଣଙ୍କ ମୃତ୍ୟୁ ଘଟିଛି। ଚର୍ଚ୍ଚ ନଷ୍ଟ ହେବା ସହ ୮୯ଜଣ ଖ୍ରୀଷ୍ଟିଆନଙ୍କ ଘର ପୋଡ଼ି ଦିଆଯାଇଥିଲା। ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବିଶେଷକରି ହିନ୍ଦୁ, ଶିଖ ଓ ଖ୍ରୀଷ୍ଟିଆନ ସଂପ୍ରଦାୟର ମହିଳାଙ୍କ ଅବସ୍ଥା ଦୟନୀୟ। ନିକଟରେ ପାକିସ୍ତାନର ନିଜସ୍ୱ ମାନବାଧିକାର ଆୟୋଗର ଏକ ରିପୋର୍ଟ ଅନୁଯାୟୀ ପାକିସ୍ତାନରେ ପ୍ରତିବର୍ଷ ପ୍ରାୟ ୧୦୦୦ ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳା ଅପହରଣ, ବଳପୂର୍ବକ ଧର୍ମପରିବର୍ତ୍ତନ ଏବଂ ବିବାହର ଶିକାର ହୁଅନ୍ତି।

Get real time updates directly on you device, subscribe now.