fbpx

ଦକ୍ଷିଣ କୋରିଆକୁ ହରାଇ ପ୍ରଥମ ମହିଳା ଜୁନିୟର ଏସିଆ କପ୍ ଜିତିଲା ଭାରତ

ନୂଆଦିଲ୍ଲୀ: ଏକ ଐତିହାସିକ ମୁକାବିଲାରେ ଭାରତୀୟ ମହିଳା ଜୁନିୟର ହକି ଟିମ୍ ୪ ଥର ବିଜେତା ଦକ୍ଷିଣ କୋରିଆକୁ ହରାଇ ପ୍ରଥମ ଥର ପାଇଁ ଏସିଆ କପ୍ ଚାମ୍ପିୟନ ହୋଇଛି । ଜାପାନରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତ ଦକ୍ଷିଣ କୋରିଆକୁ ୨-୧ ଗୋଲ୍‌ରେ ପରାସ୍ତ କରିଛି । ମହିଳା ଦଳର ଏହି ସଫଳତା ପରେ ଭାରତୀୟ ହକି ପ୍ରତ୍ୟେକ ଖେଳାଳିଙ୍କ ପାଇଁ ୨ ଲକ୍ଷ ଏବଂ ସପୋର୍ଟ ଷ୍ଟାଫ୍‌ଙ୍କ ପାଇଁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛି ।

ଏହି ମ୍ୟାଚ୍‌ରେ ପ୍ରଥମ କ୍ୱାଟର୍‌ରେ କୌଣସି ଦଳ ଗୋଲ୍ କରିବାରେ ସକ୍ଷମ ହୋଇ ନଥିବା ବେଳେ ଦ୍ୱିତୀୟ କ୍ୱାଟରରେ ୨୨ତମ ମିନିଟ୍‌ରେ ଭାରତ ପାଇଁ ପ୍ରଥମ ଗୋଲ୍ କରିଥିଲେ ଅନୁ । ଏକ ପେନାଲ୍ଟି କର୍ଣ୍ଣରକୁ ଅନୁ ସଫଳ ଭାବେ ଗୋଲ୍‌ରେ ପରିଣତ କରିଥିଲେ । ଭାରତର ଏହି ଗୋଲ୍ ଜବାବରେ ଦକ୍ଷିଣ କୋରିଆ ତୁରନ୍ତ ଜବାବ ଦେଇ ମାତ୍ର ୩ ମିନିଟ୍ ପରେ ଗୋଲ୍ ବରାବର କରିଥିଲା । ପାର୍କ ସି ୟୋନ୍ ଡାହାଣ ପାଶ୍ୱର୍ରୁ ଏକ ଚମତ୍କାର ଗୋଲ୍ ସ୍କୋର କରିଥିଲେ ।

ଏହାପରେ ୪୧ ତମ ମିନିଟ୍‌ରେ ଭାରତ ପାଇଁ ଦ୍ୱିତୀୟ ଗୋଲ୍ ସ୍କୋର କରିଥିଲେ ନିଲମ । ଏହାପରେ ଭାରତୀୟ ଦଳର ଡିଫେନ୍ସ ବିଭାଗ ଦକ୍ଷିଣ କୋରିଆ ଦଳକୁ କୌଣସି ସୁଯୋଗ ଦେଇ ନଥିଲେ । ଦକ୍ଷିଣ କୋରିଆ ଗୋଟିଏ ପରେ ଗୋଟିଏ ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ଏହାକୁ ଗୋଲ୍‌ରେ ପରିଣତ କରିପାରି ନଥିଲେ ।

ଏହାପୁର୍ବରୁ ୨୦୧୨ ବ୍ୟାଙ୍ଗକଙ୍ଗ୍‌ରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଭାରତ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା । ତେବେ ଏଠାରେ ଭାରତ ଚିନ୍ ପାଖରୁ ୨-୫ ଗୋଲ୍‌ରେ ଏକମାତ୍ର ପରାଜୟ ବରଣ କରିଥିଲା ।

Get real time updates directly on you device, subscribe now.