fbpx

ପାକିସ୍ତାନ ଆଗରେ ୨୬୭ ରନର ଟାର୍ଗେଟ୍: ଫେଲ୍ ମାରିଲେ ରୋହିତ-ବିରାଟ, ଦମ୍ ଦେଖାଇଲେ ପାଣ୍ଡ୍ୟା-କିଶାନ

ନୂଆଦିଲ୍ଲୀ: ଏସିଆ କପ ୨୦୨୩ର ତୃତୀୟ ମ୍ୟାଚରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଲା ଚାଲିଛି । ଟସ୍ ଜିତି ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଦଳୀୟ ସ୍କୋର ୧୫ ହୋଇଥିଲା ବେଳେ ଭାରତକୁ ଲାଗିଥିଲା ପ୍ରଥମ ଝଟକା । ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ରୋହିତ ଶର୍ମା ପାକିସ୍ତାନୀ ବୋଲର ଶାହିନ ଆଫ୍ରିଦିଙ୍କ ଦ୍ୱାରା ଆଉଟ୍ ହୋଇଥିଲେ ।

୧୪.୧ ଓଭରରେ ଦଳୀୟ ସ୍କୋର ୬୬ ହୋଇଥିବା ବେଳେ ଦଳ ରୋହିତ, ବିରାଟଙ୍କ ବ୍ୟତୀତ ଶ୍ରେୟସ ଆୟର ଓ ଶୁବମନ ଗିଲଙ୍କ ପରି ୪ଟି ମୂଲ୍ୟବାନ ୱିକେଟ ହରାଇ ବଡ଼ ସଙ୍କଟରେ ପଡ଼ିଥିଲା । ଏହାପରେ ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା (୮୭) ଓ ଈଶାନ କିଶାନ (୮୨) । ଏହି ଯୋଡ଼ିଙ୍କ ଶତକୀୟ ଭାଗିଦାରୀ ଦଳକୁ ଏକ ସମ୍ମାନଜନକ ତଥା ମଜବୁତ ସ୍କୋର ଛିଡ଼ା କରିବାରେ ସହାୟକ ହୋଇଥିଲା । ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ୍ ହେବା ପରେ ଆଉ କେହି କ୍ରିଜରେ ବେଶି ସମୟ ତିଷ୍ଠି ପାରିନଥିଲେ ।

ଆଜି ଭାରତ ନିର୍ଦ୍ଧାରିତ ଓଭରରେ ୩୦୦ରୁ ଅଧିକ ରନ୍ କରିବ ବୋଲି ଆଶା କରାଯାଉଥିଲା । ମାତ୍ର ଶେଷ ଓଭରଗୁଡ଼ିକରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ତିଷ୍ଠି ପାରିନଥିଲେ । ଦଳ ୨୬୬ ରନରେ ସମସ୍ତ ୱିକେଟ ହରାଇଥିଲା । ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦି ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ନସିମ ଶାହ ଓ ହାରିସ ରୌଫ ପ୍ରତ୍ୟେକେ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଦୀର୍ଘବର୍ଷ ପରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପରସ୍ପକୁ ଭେଟୁଥିବାରୁ ଆଜିର ମ୍ୟାଚ ବେଶ୍ ରୋମାଞ୍ଚଭରା ହେବ ।

Get real time updates directly on you device, subscribe now.