ନୂଆଦିଲ୍ଲୀ,୫ା୬: ଭାରତର ମହାକାଶ ଶକ୍ତିକୁ ଏକ ନୂତନ ଉଡ଼ାଣ ମିଳିଛି। ଫରାସୀ ପ୍ରତିରକ୍ଷା ଏବଂ ବିମାନ ଚଳାଚଳ କମ୍ପାନୀ ଡାସଲ୍ଟ ଆଭିଏସନ ଏବଂ ଭାରତୀୟ ମହାକାଶ କମ୍ପାନୀ ଟାଟା ଆଡଭାନ୍ସଡ ସିଷ୍ଟମ୍ସ ଲିମିଟେଡ୍ (TASL) ଭାରତରେ ରାଫାଲ ଯୁଦ୍ଧ ବିମାନର ଫ୍ୟୁଜଲେଜ୍ (ମୁଖ୍ୟ ଅଂଶ) ନିର୍ମାଣ କରିବା ପାଇଁ ଚାରୋଟି ଉତ୍ପାଦନ ସ୍ଥାନାନ୍ତର ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି।
ଏହା ପ୍ରଥମ ଥର ହେବ ଯେତେବେଳେ ରାଫାଲ ବିମାନର ଗଠନ ଫ୍ରାନ୍ସ ବାହାରେ ଭାରତରେ ନିର୍ମିତ ହେବ। ଏହି ପଦକ୍ଷେପକୁ ଭାରତର ‘ମେକ ଇନ୍ ଇଣ୍ଡିଆ’ ଏବଂ ଆତ୍ମନିର୍ଭର ଭାରତ ମିଶନ ଦିଗରେ ଏକ ପ୍ରମୁଖ ମାଇଲଖୁଣ୍ଟ ଭାବରେ ବିବେଚନା କରାଯାଉଛି।
ଏହି ଚୁକ୍ତିନାମା ଅନୁଯାୟୀ, TASL ହାଇଦ୍ରାବାଦରେ ଏକ ଅତ୍ୟାଧୁନିକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ, ଯେଉଁଠାରେ ରାଫାଲର ଅନେକ ଗୁରୁତ୍ୱପୂର୍ଣ୍ଣ ଅଂଶ ନିର୍ମାଣ କରାଯିବ, ଯେଉଁଥିରେ ପଛ ଫୁଜଲେଜର ପାର୍ଶ ସେଲ, ସମ୍ପୂର୍ଣ୍ଣ ପଛ, କେନ୍ଦ୍ରୀୟ ଏବଂ ସମ୍ମୁଖ ଅଂଶ ଅନ୍ତର୍ଭୁକ୍ତ।
ଏହି ଉତ୍ପାଦନ ୟୁନିଟ୍ FY2028 (ଆର୍ଥିକ ବର୍ଷ ୨୦୨୮) ପୂର୍ବରୁ ଏହାର ପ୍ରଥମ ଫ୍ୟୁଜଲେଜ୍ ସେକ୍ସନ ନିର୍ମାଣ ଆରମ୍ଭ କରିବ ଏବଂ ପ୍ରତି ମାସରେ ୨ଟି ପୂର୍ଣ୍ଣ ଫ୍ୟୁଜେଜ୍ ଉତ୍ପାଦନ କରିବାର କ୍ଷମତା ରଖିବ।
ଡାସଲ୍ଟ ଏଭିଏସନ ଅଧ୍ୟକ୍ଷ ଏବଂ ସିଇଓ ଏରିକ ଟ୍ରାପିଅର୍ କହିଛନ୍ତି, ‘ଏହା ପ୍ରଥମ ଥର ଯେ, ରାଫେଲର ଗଠନ ଫ୍ରାନ୍ସ ବାହାରେ ତିଆରି କରାଯିବ। ଏହା ଭାରତରେ ଆମର ଯୋଗାଣ ଚେନ୍କୁ ମଜବୁତ କରିବା ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ। TASL ଭଳି ଦୃଢ଼ ସ୍ଥାନୀୟ ଅଂଶୀଦାରଙ୍କ ସହିତ ମିଶି, ଆମେ ଆମର ଗୁଣବତ୍ତା ଏବଂ ପ୍ରତିଯୋଗିତାମୂଳକ ମାନଦଣ୍ଡ ବଜାୟ ରଖି ଉତ୍ପାଦନକୁ ଦ୍ରୁତ ଗତିରେ ବୃଦ୍ଧି କରିପାରିବୁ।
TASL ସିଇଓ ଏବଂ MD ସୁକରନ ସିଂହ କହିଛନ୍ତି, ‘ଏହି ସହଭାଗୀତା ଭାରତର ମହାକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼। ଭାରତରେ ରାଫେଲ ଫ୍ୟୁଜଲେଜର ସମ୍ପୂର୍ଣ୍ଣ ନିର୍ମାଣ ପ୍ରମାଣ କରେ ଯେ ଡାସଲ୍ଟ ଏଭିଏସନ ଆମର କ୍ଷମତା ଉପରେ ଭରସା ରଖିଛି ଏବଂ ଭାରତ ଏକ ବିଶ୍ୱସ୍ତରୀୟ ମହାକାଶ ଉତ୍ପାଦନ କେନ୍ଦ୍ର ହେବା ଦିଗରେ ଦୃଢ଼ ଭାବରେ ଆଗକୁ ବଢ଼ୁଛି।
ଏହି ଚୁକ୍ତିନାମା ଭାରତକୁ ବିଶ୍ୱସ୍ତରୀୟ ମହାକାଶ ଯୋଗାଣ ଶୃଙ୍ଖଳାରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ କରିବ ଏବଂ ସ୍ବଦେଶୀ ପ୍ରଯୁକ୍ତିବିଦ୍ୟା ଆତ୍ମନର୍ଭରତାକୁ ମଜବୁତ କରିବ।
ପ୍ରଥମ ଥର ପାଇଁ ରାଫେଲ ଯୁଦ୍ଧ ବିମାନର ଫ୍ୟୁଜେଲେଜ ଭାରତରେ ତିଆରି କରାଯିବ।
୨୦୨୮ ଆର୍ଥିକ ବର୍ଷରୁ ଉତ୍ପାଦନ ଆରମ୍ଭ ହେବ, ପ୍ରତି ମାସରେ ୨ଟି ଫ୍ୟୁଜଲେଜ୍ ତିଆରି କରିବାର କ୍ଷମତା।
‘ମେକ୍ ଇନ୍ ଇଣ୍ଡିଆ’ ଏବଂ ଆତ୍ମନିର୍ଭର ଭାରତ’କୁ ଏକ ବଡ଼ ପ୍ରୋତ୍ସାହନ ମିଳିବ।
ଏହି ସହଭାଗୀତା ବିଶ୍ୱ ସ୍ତରରେ ଭାରତର ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରକୁ ଏକ ନୂତନ ପରିଚୟ ଦେବାକୁ ଯାଉଛି।