IND vs NZ: ନ୍ୟୁଜିଲାଣ୍ଡକୁ ୨୫୫ ରନରେ ଅଲଆଉଟ୍ କଲା ଭାରତ; ସାମ୍ନାରେ ରହିଛି ୩୫୯ ରନର ଟାର୍ଗେଟ୍

ମୁମ୍ୱାଇ: ପୁନେରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ଜୋରଦାର ଜବାବ ଦେଇଛି। ଲାଗୁଥିଲା ନ୍ୟୁଜିଲାଣ୍ଡ ଦଳ ଏହି ମ୍ୟାଚ୍ କୁ ସହଜରେ ଜିତିବ, କିନ୍ତୁ ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦରଙ୍କ ଦମଦାର ସ୍ପିନ୍ ବୋଲିଂ ବଳରେ ବାଜି ବଦଳାଇ ଦେଲା ଟିମ୍ ଇଣ୍ଡିଆ। ଦ୍ୱିତୀୟ ଇନିଂସରେ ନ୍ୟୁଜିଲାଣ୍ଡ ଦଳ ମାତ୍ର ୨୫୫ ରନ୍ କରିପାରିଥିଲା। ଏବେ ଟିମ୍ ଇଣ୍ଡିଆକୁ ଜିତିବା ପାଇଁ ୩୫୯ ରନ୍ କରିବାକୁ ପଡ଼ିବ। ପ୍ରଥମ ଇନିଂସରେ ଡେଭୋନ୍ କନୱେ ଓ ରାଚିନ୍ ରବୀନ୍ଦ୍ରଙ୍କ ଦମଦାର ଅର୍ଧଶତକ ବଳରେ ନ୍ୟୁଜିଲାଣ୍ଡ ୨୫୯ ରନ୍ କରିଥିଲା।

ସେହିପରି ଭାରତ ପକ୍ଷରୁ ଓ୍ଵାସିଂଟନ ସୁନ୍ଦର ୭ଟି ୱିକେଟ୍ ନେଇଥିଲେ। ଏହାପରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୧୫୬ ରନ୍ କରିଥିଲା। ଫଳରେ କିୱି ଦଳ ୧୦୩ ରନ୍ ର ବିଶାଳ ଅଗ୍ରଣୀ ହାସଲ କରିଥିଲା। ଏବେ ଦ୍ୱିତୀୟ ଇନିଂସରେ ନ୍ୟୁଜିଲାଣ୍ଡ ୨୫୫ ରନ୍ କରି ଭାରତକୁ ୩୫୯ ରନର ଟାର୍ଗେଟ ଦେଇଛି।  ନ୍ୟୁଜିଲାଣ୍ଡ ପକ୍ଷରୁ ଅଧିନାୟକ ଟମ୍ ଲାଥାମ୍ ଦ୍ୱିତୀୟ ଇନିଂସରେ ୮୬ ରନ୍ କରିଥିଲେ। ଡେଭୋନ୍ କନୱେ ୧୭, ୱିଲ୍ ୟଙ୍ଗ୍ ୨୩, ରାଚିନ୍ ରବୀନ୍ଦ୍ର ୦୯ ଓ ଡାରିଲ୍ ମିଚେଲ୍ ୧୮ ରନ୍ କରିଥିଲେ।

ଟମ୍ ବ୍ଲାଣ୍ଡେଲ ୪୧ ଓ ଗ୍ଲେନ ଫିଲିପ୍ସ ଅପରାଜିତ ୪୮ ରନ୍ କରି ଷଷ୍ଠ ୱିକେଟ୍ ପାଇଁ ୪୮ ରନ୍ ର ଭାଗିଦାରୀ କରିଥିଲେ। କିନ୍ତୁ ତୃତୀୟ ଦିନର ପ୍ରଥମ ଅଧିବେଶନରେ ଭାରତୀୟ ବୋଲରମାନେ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲେ। ତୃତୀୟ ଦିନରେ ଭାରତୀୟ ବୋଲରମାନେ ନ୍ୟୁଜିଲାଣ୍ଡକୁ ଗୋଟିଏ ଘଣ୍ଟାରେ ୫ ୱିକେଟ୍ ଦେଇଥିଲେ। ତେବେ ଗ୍ଲେନ ଫିଲିପ୍ସ ୪୮ ରନ୍ କରି ଅପରାଜିତ ରହି ଫେରିଥିଲେ। ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୩ଟି, ୱାଶିଂଟନ ସୁନ୍ଦର ୪ଟି ଓ ରବିଚନ୍ଦ୍ରନ ଅଶ୍ୱିନ ୨ଟି ୱିକେଟ ନେଇଥିଲେ।