ଶାର୍ଦ୍ଦୁଳ ଠାକୁରଙ୍କ ଘାତକ ବୋଲିଂ, ଦ. ଆଫ୍ରିକା ୨୨୯ ରନରେ ଅଲଆଉଟ୍, ୨୭ ରନର ଅଗ୍ରଣୀ ହାସଲ

ନୂଆଦିଲ୍ଲୀ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋହାନ୍ସବର୍ଗର ଓ୍ଵାଣ୍ଡରର୍ସ ଷ୍ଟାଡିୟମରେ ଖେଳାଯାଉଥିବା ସିରିଜ୍ର ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ର ଦ୍ଵିତୀୟ ଦିନରେ ଚମକିଛନ୍ତି ଭାରତୀୟ ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁର। ଠାକୁରଙ୍କ ଘାତକ ବୋଲିଂର ସାମ୍ନା କରିନପାରି ଦକ୍ଷିଣ ଆଫ୍ରିକା ୨୨୯ ରନରେ ଅଲଆଉଟ୍ ହୋଇଛି। ୭ଟି ଓ୍ଵିକେଟ୍ ନେଇ ଶାର୍ଦ୍ଦୁଳ ଘରୋଇ ଦଳକୁ ବଡ ସ୍କୋର କରିବାକୁ ଦେଇ ନାହାନ୍ତି । ତେବେ ଘରୋଇ ଦଳ ଭାରତଠୁ ୨୭ ରନର ମହତ୍ଵପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ କିଗାନ ପିଟରସନ ୬୨ ଏବଂ ତେମ୍ବା ବାଭୁମା ୫୧ ରନର ମହତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଶାର୍ଦ୍ଦୁଳ ଠାକୁର ୬୧ ରନରେ ୭ ଓ୍ଵିକେଟ୍ ନେଇ ଟେଷ୍ଟରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ତାଙ୍କ ବୋଲିଂ ଦମରେ ଘରୋଇ ଦଳ ୨୨୯ ରନରେ ସୀମିତ ରହିଛି। ଆଜିର ଶେଷ ସେସନର ଖେଳ ଭାରତ ପାଇଁ ବେଶ୍ ଗୁରୁତ୍ଵପୂର୍ଣ୍ଣ ରହିଛି। ମ୍ୟାଚ୍ ଜିତିବାକୁ ହେଲେ ଭାରତକୁ ବଡ ସ୍କୋର କରିବାର ଆବଶ୍ୟକତା ରହିଛି।

ପ୍ରଥମ ଦିନର ଅସମାପ୍ତ ଖେଳ ୩୫/୧ରୁ ବ୍ୟାଟିଂ ଆରମ୍ଭ କରିଥିବା ଦକ୍ଷିଣ ଆଫ୍ରିକାକୁ ଦ୍ଵିତୀୟ ଦିନର ପ୍ରଥମ ସେସନରେ ଭଲ ବ୍ୟାଟିଂ କରିଥିଲା। ତେବେ ଦ୍ଵିତୀୟ ସେସନରେ ଶାର୍ଦ୍ଦୁଳ ଠାକୁର ବୋଲିଂ କରିବାକୁ ଆସି ଘରୋଇ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। କିଗାନ ପିଟରସନ (୬୨) ଏବଂ ତେମ୍ବା ବାଭୁମା (୫୧)ଙ୍କୁ ବାଦ୍ ଦେଲେ ବାକି ବ୍ୟାଟସମ୍ୟାନ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଡିନ ଏଲଗର ୨୮, କାଇଲ ଭେରିନେ ୨୧, ମାର୍କୋ ଜନସେନ ୨୧, କେଶବ ମହାରାଜ ୨୧ ରନ କରିଥିଲେ ହେଁ ଏହାକୁ ବଡ ସ୍କୋରରେ ପରିଣତ କରି ପାରିନଥିଲେ। ଲୁଙ୍ଗି ଏନଗିଡି(୦)ଙ୍କୁ ଆଉଟ୍ କରି ଶାର୍ଦ୍ଦୁଳ ଠାକୁର ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସକୁ ୨୨୯ରେ ସୀମିତ ରଖିଛନ୍ତି। ତାଙ୍କ ବ୍ୟତୀତ ମହମ୍ମଦ ଶାମି ୨ ଓ ଯଶପ୍ରୀତ ବୁମରା ଗୋଟିଏ ଓ୍ଵିକେଟ୍ ନେଇଛନ୍ତି।

ଶାର୍ଦ୍ଦୁଳଙ୍କ ଶିକାର ହୋଇଥିବା ବ୍ୟାଟସମ୍ୟାନ ହେଉଛନ୍ତି ଡିନ ଏଲଗର(୨୮), କିଗାନ ପିଟରସନ(୬୨), ରସି ଭାନ ଡର ଡସେନ(୧), ତେମ୍ବା ବାଭୁମା(୫୧), କାଇଲ ଭେରିନେ (୨୧), ମାର୍କୋ ଜନସେନ (୨୧) ଓ ଲୁଙ୍ଗି ଏନଗିଡି(୦)।