fbpx

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ, ଏହି ଖେଳାଳିଙ୍କୁ ଧରି ପଡିଆକୁ ଓହ୍ଲାଇବେ ଶିଖର ଧାଓ୍ଵନ !

ନୂଆଦିଲ୍ଲୀ : ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ଆଜି ଘରୋଇ ଦଳ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିବ। ଏହି ମୁକାବିଲା ଭାରତୀୟ ସମୟ ଅପରାହ୍ନ ୩ଟାରେ କଲୋମ୍ବୋର ପ୍ରେମଦାସା  ଷ୍ଟାଡିୟମରେ ଖେଳାଯିବ। ସିନିୟର ଖେଳାଳିଙ୍କ ଅନୁପସ୍ଥିତି ଦଳର ନେତୃତ୍ଵ ନେଉଛନ୍ତି ଶିଖର ଧାଓ୍ଵନ। ଏହି ଗସ୍ତରେ ଅନେକ ଯୁବ ଏବଂ ପ୍ରତିଭାବାନ ଖେଳାଳିଙ୍କୁ ସାମିଲ କରାଯାଇଛି। ସୂର‌୍ୟ୍ୟକୁମାର ଯାଦବ, ପୃଥ୍ଵୀ ଶ, ସଞ୍ଜୁ ସାମସନ ଓ ଇଶାନ କିଶନଙ୍କ ପରି ଖେଳାଳିଙ୍କୁ ନିଜକୁ ସାବ୍ୟସ୍ତ କରିବାର ଭଲ ସୁଯୋଗ ମିଳିଛି। ହେଲେ ଦେଖିବା ବାକି ରହିଲା ଯେ, କୋଚ୍ ରାହୁଲ ଦ୍ରାବିଡ ଓ ଅଧିନାୟକ ଶିଖର ଧାଓ୍ଵନ କେଉଁ ଯୁବ ଖେଳାଳିଙ୍କୁ ପ୍ରଥମ ମ୍ୟାଚରେ ସୁଯୋଗ ଦେବେ। ସ୍ପିନ ଉପଯୋଗୀ ଶ୍ରୀଲଙ୍କା ପିଚରେ ଧାଓ୍ଵନ ତିନି ଜଣ ସ୍ପିନରଙ୍କ ସହ ପଡିଆକୁ ଓହ୍ଲାଇ ପାରନ୍ତି।

ଓପନିଂ ଭାବେ ଅଧିନାୟକ ଶିଖର ଧାଓ୍ଵନଙ୍କ ସହ ପୃଥ୍ଵୀ ଶ, ଦେବଦତ୍ତ ପାଡିକଲ ଓ ଋତୁରାଜ ଗାଏକକଓ୍ଵାଡଙ୍କ ପରି ଖେଳାଳି  ଅଛନ୍ତି। ହେଲେ ପୃଥ୍ଵୀ ଶ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ସେହି ପରି ମଧ୍ୟ କ୍ରମରେ ସୂର୍ଯ୍ୟକୁମାର ଯାଦବଙ୍କ ଖେଳିବା ନିଶ୍ଚିତ। ଆଶା କରାଯାଉଛି ସେ ନମ୍ବର ୩ରେ ବ୍ୟାଟିଂ କରିବେ। ଅନ୍ୟପଟେ ସଞ୍ଜୁ ସାମସନ କିମ୍ବା ଇଶାନ କିଶନ ଉଭୟଙ୍କ ମଧ୍ୟରୁ ଜଣେ ଖେଳାଳିଙ୍କୁ ଦିନିକିଆରେ ପଦାର୍ପଣ କରିବାର ସୁଯୋଗ ମିଳିପାରେ। ହେଲେ ସଞ୍ଜୁ ସାମସନଙ୍କୁ ଅଭିଜ୍ଞତା ଦୃଷ୍ଟିରୁ ଦଳରେ ସାମିଲ କରାଯାଇପାରେ। ନମ୍ବର ୪ରେ ସେ ବ୍ୟାଟିଂ କରି ପାରନ୍ତି। ନମ୍ବର ୫ରେ ମନୀଷ ପାଣ୍ଡେ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି।

ପାଣ୍ଡ୍ୟା ବ୍ରଦର୍ସଙ୍କ ଉପରେ ଗୁରୁ ଦାୟିତ୍ଵ

ଧାଓ୍ଵନ ଦୁଇ ଭାଇ ହାର୍ଦ୍ଦିକ ପାଣ୍ଡ୍ୟା ଓ କୃଣାଲ ପାଣ୍ଡ୍ୟାଙ୍କୁ ନେଇ ପଡିଆକୁ ଓହ୍ଲାଇବା ପ୍ରାୟ ନିଶ୍ଚିତ। ଶ୍ରୀଲଙ୍କା ପିଚକୁ ଦୃଷ୍ଟିରେ ରଖି କୃଣାଲ ପାଣ୍ଡ୍ୟା ବେଶ ଉପଯୋଗୀ ଖେଳାଳି ହୋଇ ପାରନ୍ତି। ଏଥିସହ ସେ ଶେଷ ଆଡକୁ ବିସ୍ଫୋରକ ବ୍ୟାଟିଂ କରିବାରେ ମଧ୍ୟ ସିଦ୍ଧହସ୍ତ। ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ମ୍ୟାଚ୍ ଫିନିସ୍ କରିବାର ବଡ ଦାୟିତ୍ଵ ରହିବ। ହାର୍ଦ୍ଦିକ ଦୀର୍ଘ ସମୟ ହେବ ନିଜର ଫିଟନେସ୍ ସମସ୍ୟା ଦେଇ ଗତି କରୁଛନ୍ତି। ସେ ମଧ୍ୟ ଦମଦାର ପ୍ରଦର୍ଶନ କରି ନିଜର ସମାଲୋଚକଙ୍କୁ ମୁହଁତୋଡ ଜବାବ ଦେବାକୁ ଚାହିଁବେ।

କୁଲଚା ଯୋଡି ଉପରେ ଧାଓ୍ଵନଙ୍କ ଭରସା

କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ଯୋଡି ଉପରେ ଶିଖର ଧାଓ୍ଵନ ଦିନିକିଆ ସିରିଜରେ ଭରସା ଦେଖାଇ ପାରନ୍ତି। ଶ୍ରୀଲଙ୍କାର ଦୁର୍ବଳ ବ୍ୟାଟିଂ କ୍ରମ ଏବଂ ସ୍ପିନ ଉପଯୋଗୀ ପିଚର ଫାଇଦା ଏହି ଦୁଇ ସ୍ପିନର ଉଠାଇ ପାରନ୍ତି। ବରୁଣ ଚକ୍ରବର୍ତ୍ତୀ ଓ ରାହୁଲ ଚହରଙ୍କ ରୂପେ ଧାଓ୍ଵନଙ୍କ ପାଖରେ ଦୁଇଟି ଭଲ ବିକଳ୍ପ ରହିଛି। ଦ୍ରୁତ ବୋଲରରେ ଉପ ଅଧିନାୟକ ଭୁବନେଶ୍ଵର କୁମାରଙ୍କ ସହିତ ଦୀପକ ଚହରଙ୍କୁ ଦେଖିବାକୁ ମିଳିପାରେ। ନବଦୀପ ସାଇନି ଓ ଚେତନ ସକାରିଆଙ୍କୁ ଏବେ ଅପେକ୍ଷା କରିବାକୁ ପଡିପାରେ।

ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ

ଶିଖର ଧାଓ୍ଵନ(ଅଧିନାୟକ), ପୃଥ୍ଵୀ ଶ, ସୂର‌୍ୟ୍ୟକୁମାର ଯାଦବ, ସଞ୍ଜୁ ସାମସନ, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଲ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ଵର କୁମାର, ଦୀପକ ଚହର।

Get real time updates directly on you device, subscribe now.