fbpx

ବିଶ୍ୱକପ୍ ୱାର୍ମଅପରେ ହରମନପ୍ରୀତ କୌରଙ୍କ ଶତକ: ସାଉଥ୍ ଆଫ୍ରିକାକୁ ୨ ରନରେ ହରାଇଲା ଭାରତ

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ମହିଳା ବିଶ୍ୱକପର ୱାର୍ମ ଅପ ପର୍ଯ୍ୟାୟ । ପ୍ରଥମ ମୁକାବିଲାରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । କଡା ସଂଘର୍ଷପୂର୍ଣର୍ ମୁକାବିଲାରେ ସାଉଥ୍ ଆଫ୍ରିକାକୁ ୨ ରନରେ ପରାସ୍ତ କରିଛି ମିଥାଲି ରାଜଙ୍କ ଭାରତ । ହରମନପ୍ରୀତ କୌରଙ୍କ ଶତକ ଏବଂ ଶେଷ ଓଭରରେ ରାଜେଶ୍ୱରୀ ଗାଏକ୍ୱାଡଙ୍କ ଚମକ୍ରାର ବୋଲିଂ ଫଳରେ ଭାରତ ଏହି ମ୍ୟାଚକୁ ୨ ରନରେ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ନିର୍ଦ୍ଧାରିତ ଓଭରରେ ୨୪୪ ରନ କରି ଅଲଆଉଟ ହୋଇଥିଲା । ଜବାବରେ ସାଉଥ୍ ଆଫ୍ରିକା ୨ ରନ ପଛରେ ରହିଯିବା ସହିତ ପରାଜିତ ହୋଇଥିଲା ।

ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପୂର୍ବତନ ଅଧିନାୟିକା ହରମନପ୍ରତ କୌର ଶତକ ହାସଲ କରିଥିବା ବେଳେ ୟସ୍ତିକା ଭାଟିଆ ଅର୍ଦ୍ଧଶତକ ହାସଲ କରିଥିଲେ । ଭାଟିଆ୭୮ ବଲ ଖେଳି ୪ ଚୌକା ଓ ୧ ଛକା ସହିତ ୫୮ ରନ କରିଥିଲେ । ଦୀପ୍ତି ଶର୍ମା(୫) ଓ ମିଥାଲି ରାଜ(୦) ବିଫଳ ହେବା ପରେ ହରମନ ପ୍ରୀତ ଚମକ୍ରାର ୧୦୩ ରନ କରିଥିଲେ । ଦୀର୍ଘ ଦିନ ହେବ ଫର୍ମ ପାଇଁ ସଂଘର୍ଷ କରୁଥିବା ହରମନପ୍ରୀତ ୧୧୪ ବଲରୁ ୯ଟି ଚୌକା ମାରିଥିଲେ । ସାଉଥ ଆଫ୍ରିକା ପକ୍ଷରୁ ଆୟାବୋଙ୍ଗା ଖାଖା ୨୩ ରନ ଦେଇ ୩ଟି ୱିକେଟ ନେଇଥିଲେ ।

ସାଉଥ୍ ଆଫ୍ରିକା ପକ୍ଷରୁ ସୁନ୍ ଲୁସ୍ ସର୍ବାଧିକ ୯୪ ରନ ସଂଗ୍ରହ କରିଥିଲେ । ଲୌରା ଓଲ୍ଭଡର୍ଟ ମଧ୍ୟ ୭୫ ରନ ସଂଗ୍ରହ କରିଥିଲେ । ଶେଷ ଓଭରରେ ମାତ୍ର ୬ ରନ ଆବଶ୍ୟକ ରହିଥିବା ବେଳେ ରାଜେଶ୍ୱରୀ ଗାଏକ୍ୱାଡ ଦୁଇଟି ୱିକେଟ ନେଇଥିଲେ । ପ୍ରଥମ ବଲରେ ସୁନ ଲୁସଙ୍କୁ ଆଉଟ କରିବା ପରେ ଚତୁର୍ଥ ବଲରେ କ୍ଲୋଏ ଟ୍ରାୟନଙ୍କୁ ଆଉଟ କରିଥିଲେ ରାଜେଶ୍ୱରୀ । ରାଜେଶ୍ୱରୀ ମାତ୍ର ୪୪ ରନ ବ୍ୟୟ କରି ୪ଟି ୱିକେଟ ନେବା ସହିତ ଦଳକୁ ବିଜୟୀ କରାଇଥିଲେ ।

Get real time updates directly on you device, subscribe now.