ନୂଆଦିଲ୍ଲୀ: ନେଟଫ୍ଲିକ୍ସରେ ରିଲିଜ ହୋଇଥିବା ୱେବ ସିରିଜ୍ ସ୍କ୍ୱିଡ ଗେମକୁ ନେଇ ପାକିସ୍ତାନରେ ବଢୁଛି ଅସନ୍ତୋଷ । ସମଗ୍ର ବିଶ୍ୱରେ ଏହି ସିରିଜକୁ ବେଶ ପସନ୍ଦ କରାଯାଇଥିବା ବେଳେ ପାକିସ୍ତାନରେ ଏହାକୁ ଦୃଢ ବିରୋଧ କରାଯାଇଛି । ଏହି ୱେ ସିରିଜରେ ଅଲୀ ଅବଦୁଲ ନାମକ ଏକ ଚରିତ୍ର ରହିଛି ଯାହାକି ପାକିସ୍ତାନୀ ଚରିତ୍ର ଭାବରେ ଦେଖାଯାଇଛି । ତେବେ ଏହି ଚରିତ୍ରକୁ ନେଇ ଫ୍ୟାନ ମାନେ ସୋସିଆଲ ମିଡିଆରେ ଅସନ୍ତୋଷ ଜାହିର କରିଛନ୍ତି । ଏହି ଚରିତ୍ରରେ ନଜର ଆସିଛନ୍ତି ଭାରତୀୟ କଳାକାର ଅନୁପମ ତ୍ରିପାଠୀ । ଏହା ପୂର୍ବରୁ ମନି ହେଇଷ୍ଟରେ ମଧ୍ୟ ଅଜୟ ଜେଠୀ ଜଣେ ପାକିସ୍ତାନୀ ହ୍ୟାକର ଭୂମିକା ନିଭାଇଥିଲେ ।
ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିବା ସହିତ ସମାଲୋଚନା କରିଛନ୍ତି ବିଭିନ୍ନ ଟ୍ୱିଟ୍ଟର ବ୍ୟବହାରକାରୀ । ଜଣେ ବ୍ୟବହାରକାରୀ ଲେଖିଛନ୍ତି ସ୍କ୍ୱିଡ ଗେମ ଦେଖିବା ଶେଷ କଲି, ପ୍ରଡକ୍ସନ ହାଉସ ଗୁଡିକ କାହିଁକି ପାକିସ୍ତାନୀ ଚରିତ୍ରରେ ଭାରତୀୟ ଅଭିନେତାଙ୍କୁ କାଷ୍ଟ କରୁଛନ୍ତି । ଆୟେଶା ନାମ୍ନୀ ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି ଅଲୀର ଚରିତ୍ରରେ ଥିବା ଅଭିନେତା ଜଣକ ପାକିସ୍ତାନୀ ନୁହନ୍ତି ତେବେ ଅତ୍ୟନ୍ତ ଦୁଃଖର ବିଷୟକି ସେ ଜଣେ ମୁସଲିମ ମଧ୍ୟ ନୁହନ୍ତି । ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି ଭାରତୀୟ ମାନେ ପାକିସ୍ତାନୀ ଚରିତ୍ରରେ ନଜର ଆସିବା ଆମ ପାଇଁ ଗାଲରେ ଚାପୁଡା । ତେବେ କିଛି ବ୍ୟବହାରକାରୀ ଏହି ଚରିତ୍ରକୁ ପସନ୍ଦ କରିବା ସହିତ ଚମକ୍ରାର ଅଭିନୟ ପାଇଁ ଅନୁପମଙ୍କୁ ଧନ୍ୟବାଦ ଜଣାଇଛନ୍ତି ।