fbpx

ସୀମାରେ ଚୀନ ସେନାକୁ ଅଟକାଇବ କେ-୯ ବଜ୍ର; ୫୦ କିମି ଦୂରରୁ କରିପାରିବ ଟାର୍ଗେଟ

ନୂଆଦିଲ୍ଲୀ: ଏଲଏସିରେ ଚୀନ ସହ ଲାଗିରହିଥିବା ବିବାଦ ମଧ୍ୟରେ ଭାରତୀୟ ସେନା ପୂର୍ବ ଲଦାଖରେ ନିଜର କେ-୯ ବଜ୍ର ତୋପକୁ ନିୟୋଜିତ କରିଛି । ଏହି କେ-୯ ବଜ୍ର ଲଦାଖର ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ୧୨୦୦୦ ରୁ ୧୬୦୦୦ ଫୁଟ ଉଚ୍ଚରେ ନିୟୋଜିତ କରାଯାଇଛି ।

ଗତ ଏକ ବର୍ଷରୁ ଅଧିକ ସମୟ ଧରି ଲଦାଖରେ ଭାରତ ଏବଂ ଚୀନ ମଧ୍ୟରେ ବିବାଦ ଲାଗିରହିଛି । ଏବେ ପୁଣି ଏଲଏସିରେ ଚୀନ ଏହାର ଶକ୍ତି ବଢ଼ାଇବାରେ ଲାଗିଛି । ତେବେ ଚୀନର କୌଣସି ବି କାର୍ଯ୍ୟକଳାପକୁ ମାତ୍ ଦେବା ପାଇଁ ଭାରତୀୟ ସେନା ନିୟୋଜିତ କରିଛି ଏହି କେ-୯ ବଜ୍ର । ଏହାର ବିଶେଷତ୍ୱ ହେଉଛି ଏହା ୫୦ କିଲୋମିଟର ଦୂରରେ ଥିବା ଶତ୍ରଙ୍କୁ ଠିକଣାକୁ ଟାର୍ଗେଟ କରିପାରେ ଏବଂ ଏହାକୁ ଉଡ଼ାଇପାରିବ । ଏହା ସହ ଏଥିରେ ଅନେକ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇଛି ।

ଉଭୟ ଦେଶର ସୈନ୍ୟ ସେନା ପଛକୁ ହଟିଥିଲେ ବି ଭାରତୀୟ ସେନା ଚୀନର କୌଣସିବି କାର୍ଯ୍ୟକଳାପକୁ ସାମ୍ନା କରିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । କେ-୯ ବଜ୍ର ସ୍ୱୟଂଚାଳିତ ତୋପର ପ୍ରଥମ ରେଜିମେଣ୍ଟ ପୂର୍ବ ଲଦାଖରେ କରାଯାଇଛି । ସେପଟେ ସେନା ମୁଖ୍ୟ ଜେନେରାଲ ଏମ ଏମ ନରୱଣେ ଶୁକ୍ରବାର ଦୁଇ ଦିନିଆ ଗସ୍ତରେ ପୂର୍ବ ଲଦାଖରେ ପହଞ୍ଚିଛନ୍ତି । ସେଠାରେ ସେ ସୁରକ୍ଷା ଯାଞ୍ଚ କରିଛନ୍ତି । ଏହି ଅବସରରେ ସେନା ମୁଖ୍ୟ କହିଛନ୍ତି ଯେ ବର୍ତ୍ତମାନ ସୀମାରେ ସ୍ଥିତି ନିୟନ୍ତ୍ରଣରେ ଅଛି । ଅବଶ୍ୟ ସେ କହିଛନ୍ତି ଯେ ଚୀନ ଏହାର ସୀମାରେ ଅନେକ ନିର୍ମାଣ କାର୍ଯ୍ୟ କରିଛି କିନ୍ତୁ ଭାରତୀୟ ସେନା ସବୁ ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ରହିଛି ।

Get real time updates directly on you device, subscribe now.