fbpx

ଭାରତୀୟ କ୍ରିକେଟ୍ ଭଲ ନେତୃତ୍ଵକାରୀଙ୍କ ହାତରେ ରହିଛି, ବିଶ୍ଵ ଚାମ୍ପିଅନ ଅଧିନାୟକଙ୍କ ବଡ ବୟାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ରୋହିତ ଶର୍ମାଙ୍କ ପରି ଭଲ ଅଧିନାୟକଙ୍କ ହାତରେ ରହିଛି। ରୋହିତ ଶର୍ମା ସେହି ଧରଣର ଅଧିନାୟକ, ଯେଉଁଭଳି ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଥିଲେ। ଏପରି ବଡ ବୟାନ ଦେଇଛନ୍ତି ଓ୍ଵେଷ୍ଟଇଣ୍ଡିଜକୁ ଦୁଇଟି ଟି-୨୦ ବିଶ୍ଵ କପ୍ ଜିତାଇଥିବା ପୂର୍ବତନ ଅଧିନାୟକ ଡାରେନ ସାମି। ପାଞ୍ଚ ଥରର ଆଇପିଏଲ ବିଜେତା ରୋହିତ୍ ଶର୍ମା ଫେବୃଆରୀ ୬ରୁ ଅହମ୍ମଦାବାଦରେ ଆରମ୍ଭ ହେଉଥିବା ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜରେ ଦଳର ପୂର୍ଣ୍ଣକାଳୀନ ଅଧିନାୟକ ଭାବେ କାର୍ଯ୍ୟଭାର ସମ୍ଭାଳିବେ।

ସାମି ଲିଜେଣ୍ଡ୍ସ ଲିଗ୍ କ୍ରିକେଟର ଏକ ମ୍ୟାଚ୍ ସମୟରେ ପିଟିଆଇ ସହ ଆଲୋଚନା ବେଳେ ସାମି କହିଛନ୍ତି, କୋହଲି ପଡିଆରେ ନିଜ ପ୍ରଦର୍ଶନକୁ ନେଇ ଜଣେ ଅସାଧାରଣ ଖେଳାଳି। ମୋ ମତରେ କୋହଲି ଅଧିନାୟକ ପଦରୁ ହଟିବା ଭାରତୀୟ ଦଳକୁ ସେତେଟା ପ୍ରଭାବିତ କରିବ ନାହିଁ। ରୋହିତ ଜଣେ ଉତ୍କୃଷ୍ଟ ଅଧିନାୟକ ଏବଂ ଜଣେ ଭଲ ଲିଡର। ମୁଁ ତାଙ୍କୁ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ଵ ନେଇଥିବା ଦେଖିଛି। ସେ ସେହି ଅଧିନାୟକଙ୍କ ମଧ୍ୟରେ ଅଛନ୍ତି, ଯିଏ ଦଳକୁ ମ୍ୟାଚ୍ ଜିତାଇଛନ୍ତି, ଯେମିତି ମହେନ୍ଦ୍ର ସିଂହ ଧୋନୀ ଏବଂ ଗୌତମ ଗମ୍ଭୀର।

ସେ କହିଛନ୍ତି, ମୁଁ ଭାରତୀୟ କ୍ରିକେଟକୁ ନେଇ ଚିନ୍ତିତ ନୁହେଁ। କାରଣ ଦଳର ନେତୃତ୍ଵ ଜଣେ ଭଲ ଖେଳାଳିଙ୍କ ହାତରେ ରହିଛି। ସୁଚନାଯୋଗ୍ୟ, ରୋହିତ ଶର୍ମା ମୁମ୍ଵାଇ ଇଣ୍ଡିଆନ୍ସକୁ ଆଇପିଏଲରେ ପାଞ୍ଚ ଥର ଚାମ୍ପିଅନ କରାଇଥିବା ବେଳେ ମହେନ୍ଦ୍ର ସିଂହ ଧୋନୀ ଚେନ୍ନାଇ ସୁପରକିଙ୍ଗ୍ସକୁ ଚାରି ଥର ଟାଇଟଲ୍ ଜିତାଇଛନ୍ତି। ଗମ୍ଭୀର କୋଲକାତାକୁ ଦୁଇ ଥର ବିଜେତା କରିଛନ୍ତି। ଏହି କାରଣରୁ ଡାରେନ ସାମି ରୋହିତ, ଧୋନୀ ଏବଂ ଗମ୍ଭୀରଙ୍କୁ ଗୋଟିଏ ବର୍ଗରେ ରଖିଛନ୍ତି।

Get real time updates directly on you device, subscribe now.