fbpx

ପୂର୍ବତନ ମହିଳା କ୍ରିକେଟ୍ ତାରକା କେଏସ୍ ଶ୍ରାବନ୍ତୀ ନାଇଡୁଙ୍କ ମା’ଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତାର ହାତ ବଢ଼ାଇଲେ ବିରାଟ

ନୂଆଦିଲ୍ଲୀ : ଦେଶରେ କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି । ଏଥିରେ ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି ଫିଲ୍ମ କଳାକାର ଏବଂ ଖେଳ ସହ ଜଡିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ଅନେକ ଲୋକ ସାହାଯ୍ୟର ହାତ ବଢ଼ାଉଛନ୍ତି । ତେବେ ଭାରତର ପୂର୍ବତନ ମହିଳା କ୍ରିକେଟର୍ କେଏସ୍ ଶ୍ରାବନ୍ତୀ ନାଇଡୁଙ୍କ ମା’ କରୋନା ମହାମାରୀରେ ପୀଡିତ ହୋଇଛନ୍ତି । ଫଳରେ ତାଙ୍କ ପରିବାର ଏବେ ଅନେକ ଅସୁବିଧା ଦେଇ ଗତି କରୁଛନ୍ତି । ବର୍ତ୍ତମାନ ତାଙ୍କ ପରିବାରରେ ଆର୍ଥିକ ସଙ୍କଟ ଦେଖାଦେଇଥିବା ବେଳେ ତାଙ୍କୁ ଭାରତୀୟ କ୍ରିକେଟ୍ ଟିମ୍ ର ଅଧିନାୟକ ବିରାଟ କୋହଲି ଆର୍ଥିକ ସାହାଯ୍ୟର ହାତ ବଢ଼ାଇଛନ୍ତି । ସେ କେଏସ୍ ଶ୍ରାବନ୍ତୀଙ୍କ ମା’ଙ୍କର କୋଭିଡ୍ ଚିକିତ୍ସା ପାଇଁ ୬ ଲକ୍ଷ ୭୭ ହଜାର ଟଙ୍କା ଦେଇଛନ୍ତି ।

ସୂଚନା ଯେ, ପୂର୍ବତନ ଖେଳାଳୀ ଶ୍ରାବନ୍ତୀ ତାଙ୍କ ମା’ଙ୍କ ଚିକିତ୍ସା ପାଇଁ ହାଇଦ୍ରାବାଦ୍ ସମେତ ଅନ୍ୟାନ୍ୟ କ୍ରିକେଟ୍ ସଂଘକୁ ଆର୍ଥିକ ସହାୟତା ମାଗିଥିଲେ । ଖାଲି ସେତିକି ନୁହେଁ ଭାରତର ଫିଲ୍ଡିଂ କୋଚ୍ ଆର୍ ଶ୍ରୀଧର୍ ନିଜ ଇନଷ୍ଟାଗ୍ରାମରେ ଏନେଇ ସୁଚନା ଦେଇଥିଲେ । ଏଥିସହ ବିସିସିଆଇ ଅଧ୍ୟକ୍ଷ ଏନ୍ ଶିବଲାଲ୍ ଯାଦବ ଙ୍କ ଭଉଣୀ ମଧ୍ୟ ଟୁଇଟ୍ କରି ଏ ସଂକ୍ରାନ୍ତରେ ସୂଚନା ଦେବା ସହିତ ବିରାଟ କୋହଲୀଙ୍କୁ ଟ୍ୟାଗ୍ କରିଥିଲେ । ପୂର୍ବରୁ ଶ୍ରାବନ୍ତୀଙ୍କ ମା’ ପାଇଁ ଚିକିତ୍ସାରେ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଯାଇଥିଲେ ସୁଦ୍ଧା ତାଙ୍କ ଚିକିତ୍ସା ଜାରି ରଖିବା ପାଇଁ ବିରାଟ ତାଙ୍କୁ ୬.୭୭ ଲକ୍ଷ ଟଙ୍କା ଦେଇଛନ୍ତି । ଏହାପରେ ଶ୍ରାବନ୍ତୀ ଏହି ସାହାଯ୍ୟ ପାଇଁ ବିରାଟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.