fbpx

ଇତିହାସ ରଚିଲା ଭାରତୀୟ ପୁରୁଷ ଓ ମହିଳା ଟିଟି ଦଳ, ପ୍ରଥମ ଥର ଅଲିମ୍ପିକ୍ସ ପାଇଁ ହେଲା କ୍ୱାଲିଫାଇ

Advertisement

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଏକ ଖୁସି ଖବର ସାମ୍ନାକୁ ଆସିଛି । ପ୍ରଥମ ଥର ପାଇଁ ଭାରତୀୟ ପୁରୁଷ ଏବଂ ମହିଳା ଟେବୁଲ ଟେନିସ୍(ଟିଟି) ଦଳ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଭାରତୀୟ ମହିଳା ଦଳ ପ୍ରଥମ ଥର ପାଇଁ ଅଲିମ୍ପିକ କ୍ରୀଡ଼ାରେ ଅଂଶଗ୍ରହଣ କରିବ । ସେହିପରି ପୁରୁଷ ଦଳ ଦୀର୍ଘ ୧୬ ବର୍ଷ ପରେ ଅଲିମ୍ପିକ ଖେଳିବାକୁ ଯାଉଛି । ବିଶ୍ୱ ମାନ୍ୟତା ଆଧାରରେ ଭାରତୀୟ ପୁରୁଷ ଓ ମହିଳା ଟିଟି ଦଳ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ଗତ ମାସରେ କୋରିଆର ବୁସାନ୍ ଠାରେ ଆୟୋଜିତ ବିଶ୍ୱ ଦଳଗତ ଟେବୁଲ ଟେନିସ ଚମ୍ପିଆନସିପରେ ଭାରତୀୟ ପୁରୁଷ ଓ ମହିଳା ଟିଟି ଦଳ ଚମକ୍ରାର ପ୍ରଦର୍ଶନ କରି ଏହି ଐତିହାସିକ କୃତିତ୍ୱ ଅର୍ଜନ କରିଛନ୍ତି । ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବା ପାଇଁ ଏହା ଥିଲା ଅନ୍ତିମ ଟୁର୍ଣ୍ଣାମେଣ୍ଟ । ତଥାପି ଦଳଗତ ଇଭେଣ୍ଟରେ ଆହୁରି ୭ଟି ସ୍ଥାନ ପୂରଣ ହେବାକୁ ବାକି ଅଛି । ଭାରତୀୟ ଟେବୁଲ ଟେନିସ ମହାସଂଘ ପକ୍ଷରୁ କୁହାଯାଇଛି ଯେ ମହିଳା ବର୍ଗରେ ଭାରତ ୧୩ତମ ସ୍ଥାନ ପାଇଛି । ଭାରତ ସହିତ ପୋଲାଣ୍ଡ(୧୨), ସ୍ୱିଡେନ୍(୧୫) ଓ ଥାଇଲାଣ୍ଡ ପ୍ୟାରିସ ଯୋଗ୍ୟତା ପାଇ ସାରିଛନ୍ତି । ସେହିପରି ପୁରୁଷ ବିଭାଗରେ ଭାରତ (୧୫), ସ୍ଲୋଭାନିଆ(୧୧) ଓ କ୍ରୋଏସିଆ(୧୨) ସ୍ଥାନରେ ଯୋଗ୍ୟତା ଅର୍ଜନ କରିଛନ୍ତି । କହିରଖୁଛୁ ୨୦୦୮ ବେଜି ଅଲିମ୍ପିକ୍ସରେ ଟିଟିରେ ଦଳଗତ ଚମ୍ପିଆନସିପ ଆରମ୍ଭ ହୋଇଥିଲା । ଭାରତର ଅଲିମ୍ପିକ୍ସ ଯୋଗ୍ୟତା ପରେ ବରିଷ୍ଠ ଖେଳାଳି ଶରତ କମଲ ସୋସିଆଲ ମିଡିଆରେ କହିଛନ୍ତି, ‘ଭାରତ ଅଲିମ୍ପିକ୍ସ ଯାଉ ବୋଲି ବହୁ ଦିନର ଅପେକ୍ଷା ଥିଲା । ବର୍ତ୍ତମାନ ଏହି ସମୟ ଆମ ପାଇଁ ସ୍ୱତନ୍ତ୍ର ହୋଇଯାଇଛି । ଏହା ମୋର ୫ମ ଅଲିମ୍ପିକ୍ସ ତଥାପି ମହିଳା ଦଳକୁ ଐତିହାସିକ ସ୍ଥାନ ମିଳିଥିବାରୁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛଛି ।’

Get real time updates directly on you device, subscribe now.