fbpx

ଅଲିମ୍ପିକ କାଉଣ୍ଟ ଡାଉନ: ଦୁଇ ଦିନ ପରେ ଆରମ୍ଭ ହେବ କ୍ରୀଡା ମହାକୁମ୍ଭ, ଅଭ୍ୟାସ ଆରମ୍ଭ କଲେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ: ଆଉ ଦୁଇ ଦିନ ପରେ ଆରମ୍ଭ ହେବ ବିଶ୍ଵର କ୍ରୀଡା ମହାକୁମ୍ଭ  ଟୋକିଓ ଅଲିମ୍ପିକ। ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ। ଟୋକିଓରେ ଜାରି ରହିଛି ମଶାଲ ରିଲେ। ଅନ୍ୟପଟେ ପଦକ ଜିତି ନିଜ ନିଜ ଦେଶକୁ ଗୌରବାନ୍ଵିତ କରିବାକୁ ଚାହିଁ ରହିଛନ୍ତି ଆଥଲେଟ୍। କରୋନା ମହାମାରୀ ସମୟରେ ଆୟୋଜିତ ହେଉଥିବା ଅଲିମ୍ପିକରେ ଦେଶବାସୀଙ୍କ ଆଶା ପୂରଣ ପାଇଁ ସୋମବାରଠୁ ଭାରତୀୟ ଖେଳାଳି ଅଭ୍ୟାସ ଆରମ୍ଭ କରିଛନ୍ତି। ଭାରତୀୟ ଖେଳାଳିଙ୍କ ୮୮ ଜଣିଆ ପ୍ରଥମ ଦଳ କୋଭିଡ୍-୧୯ର ସମସ୍ତ ପ୍ରୋଟୋକଲ ପୂରା କରିବା ପରେ ରବିବାର ସକାଳେ କ୍ରୀଡା ଗ୍ରାମରେ ପହଞ୍ଚିଛନ୍ତି।

 

ତୀରନ୍ଦାଜ ଦୀପିକା କୁମାରୀ ଓ ଅତନୁ ଦାସ, ଟେବୁଲ ଟେନିସ ଖେଳାଳି ଜି ସାଥିୟାନ ଓ ଅଞ୍ଚତା ଶରତ କମଲ, ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଓ ବି ସାଇ ପ୍ରଣୀତ ତଥା ଭାରତର ପ୍ରତିନିଧିତ୍ଵ କରୁଥିବା ଏକ ମାତ୍ର ଜିମ୍ନାଷ୍ଟିକ ପ୍ରଣତି ନାୟକ ସୋମବାରଠୁ ଅଭ୍ୟାସ୍ ଆରମ୍ଭ କରି ଦେଇଛନ୍ତି।

 

ବ୍ୟାଡମିଣ୍ଟନ ଖେଳାଳି ସିନ୍ଧୁ ଓ ପ୍ରଣୀତ ପ୍ରଶିକ୍ଷକ ତାଇ ଚୁଙ୍ଗଙ୍କ ତତ୍ଵାବଧାନରେ ଅଭ୍ୟାସ୍ କରିଥିବା ବେଳେ ଚିରାଗ ସେଟ୍ଟୀ ଓ ସାତ୍ଵିକସାଇରାଜ ରଙ୍କିରେଡ୍ଡୀଙ୍କ ଯୋଡି ନିଜ କୋଚଙ୍କ ସହିତ କୋର୍ଟରେ ପହଞ୍ଚି ଅଭ୍ୟାସ୍ କରିଛନ୍ତି। ଭି ସରବନନଙ୍କ ସହିତ ନୌକାଦଳର ଖେଳାଳି ରବିବାରଠୁ ଅଭ୍ୟାସ୍ ଆରମ୍ଭ କରି ଦେଇଛନ୍ତି।

 

ଭାରତର ୧୫ ଜଣିଆ ସୁଟର ଦଳ ମଧ୍ୟ ସୋମବାରଠୁ ସୁଟିଂ ରେଞ୍ଜରେ ଅଭ୍ୟାସ୍ କରିଛନ୍ତି। ଭାରତୀୟ ଖେଳାଳିଙ୍କୁ ଟୋକିଓ ପହଞ୍ଚିବା ପରେ ବାଧ୍ୟତାମୂଳଖ ତିନି ଦିନିଆ ପୃଥକବାସରେ ରହିବାକୁ ପଡିଥିଲା। ଏହି ନିୟମ ପ୍ରତ୍ୟାହାର ହେବା ପରେ ଖେଳାଳିଙ୍କୁ ବଡ ଆଶ୍ଵସ୍ତି ମିଳିଛି। ଏଥର ୧୨୨ ଜଣିଆ ଭାରତୀୟ ଦଳ ଅଲିମ୍ପିକରେ ନିଜର ଦମ ଦେଖାଇବେ।-

Get real time updates directly on you device, subscribe now.