fbpx

ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରିବାକୁ ଚାହୁଁଥିଲା ଋଷ: ମୋଦୀଙ୍କ ହସ୍ତକ୍ଷେପ ପରେ ନିଷ୍ପତ୍ତି ବଦଳାଇଥିଲେ ପୁଟିନ- ରିପୋର୍ଟ

ନୂଆଦିଲ୍ଲୀ: ୨୦୨୨ ମସିହା ଶେଷ ଆଡ଼କୁ ୟୁକ୍ରେନ ଉପରେ ଋଷର ପରମାଣୁ ଆକ୍ରମଣର ଆଶଙ୍କା ରହିଥିଲା । ସେଥିପାଇଁ ଆମେରିକା ବେଶ୍ ଚିନ୍ତିତ ରହିବା ସହ ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ମନ ପରିବର୍ତ୍ତନ କରିବା ପାଇଁ ଭାରତ ସମେତ କିଛି ରାଷ୍ଟ୍ରଙ୍କ ଠାରୁ ସହାୟତା ମାଗିଥିଲା । ସିଏନଏନର ଦୁଇଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ବାବଦରେ ସୂଚନା ଦେଇଥିବା ଏକ ରିପୋର୍ଟରେ କୁହାଯାଇଛି । ଏହି ସଙ୍କଟକୁ ଟାଳିବା କ୍ଷେତ୍ରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ କିଛି ଦେଶଙ୍କର ପ୍ରମୁଖ ଭୂମିକା ରହିଥିବା କୁହାଯାଇଛି ।

ୟୁକ୍ରେନ ଉପରେ ଋଷର ସମ୍ଭାବ୍ୟ ନ୍ୟୁକ୍ଲିୟର ଆଟାକ୍ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଗଭୀର ଚିନ୍ତା ପ୍ରକଟ କରିଥିଲେ । ଋଷ ଟାକ୍ଟିକାଲ ବା ବାଟଲଫିଲ୍ଡ ନ୍ୟୁକ୍ଲିୟର ଅସ୍ତ୍ରର ପ୍ରୟୋଗ କରିପାରେ ବୋଲି ବାଇଡେନ ପ୍ରଶାସନ ଆଶଙ୍କା ବ୍ୟକ୍ତ କରିଥିଲା । ଏହି ଆଶଙ୍କାକୁ ଦୂର କରିବା ପାଇଁ ଆମେରିକା ଭାରତ ସହିତ କିଛି ଅଣସହଯୋଗୀ ରାଷ୍ଟ୍ରଙ୍କଠାରୁ ସହାୟତା ମାଗିଥିଲା । ଭାରତୀୟ ପ୍ରଧାନମନ୍ତ୍ରୀ ଓ ଅନ୍ୟ ରାଷ୍ଟ୍ରଙ୍କ ସାର୍ବଜନିକ ବୟାନ ଏହି ସଙ୍କଟକୁ ଟାଳିବା କ୍ଷେତ୍ରରେ ବେଶ୍ ସହାୟକ ହୋଇଥିଲା । ଏହି ପ୍ରସଙ୍ଗରେ ଭାରତ ଋଷ ଉପରେ ପ୍ରଭାବ ପକାଇ ଥାଇପାରେ ବୋଲି ଅଧିକାରୀମାନେ ଅନୁମାନ କରିଥିଲେ ।

ସୂଚନାଯୋଗ୍ୟ ଯେ, ଋଷ-ୟୁକ୍ରେନ ଯୁଦ୍ଧରେ ନାଗରିକଙ୍କ ହତ୍ୟାକୁ ଭାରତ ସର୍ବଦା ନିନ୍ଦା କରିବା ସହିତ ଶାନ୍ତିପୂର୍ଣ୍ଣ ଭାବେ ଏହାର ସମାଧାନ କରିବାକୁ ଆହ୍ୱାନ ଦେଇଥିଲା । ଗତବର୍ଷ ଉଜବେକିସ୍ତାନରେ ଅନୁଷ୍ଠିତ ହୋଇଥିବା ସଙ୍ଘାଈ ସହଯୋଗ ସଂସ୍ଥା (ଏସସିଓ) ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ‘ଏହା ଯୁଦ୍ଧର ଯୁଗ ନୁହେଁ’ ବୋଲି ଋଷ ରାଷ୍ଟ୍ରପତି ପୁଟିନଙ୍କୁ କହିଥିଲେ । ଏହି ବୟାନ ବେଶ୍ ଚର୍ଚ୍ଚାରେ ରହିଥିଲା । ଏଥିସହିତ ଭାରତର ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଜି-୨୦ ସମ୍ମିଳନୀର ବିଜ୍ଞପ୍ତିରେ ମଧ୍ୟ ଏହି ବୟାନ ସ୍ଥାନ ପାଇଥିଲା ।

Get real time updates directly on you device, subscribe now.