fbpx

ଡଲାର ତୁଳନାରେ ଦୁର୍ବଳ ହେଲା ଟଙ୍କା, ଅଶୋଧିତ ତୈଳ ଦର ବୃଦ୍ଧି ବଢ଼ାଉଛି ଚିନ୍ତା

Advertisement

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମାର୍କେଟରେ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ଭାରତୀୟ ମୁଦ୍ରା ଉପରେ ପଡ଼ିଛି । ଆଜି ଟଙ୍କାର ମୂଲ୍ୟରେ ହ୍ରାସ ଘଟିଛି । ଡଲାର ମୁକାବିଲାରେ ଟଙ୍କା ୭୮.୭୦ ରେକର୍ଡ ସ୍ତରରେ ପହଞ୍ଚିଛି । ଗତ ଦୁଇ ସପ୍ତାହ ମଧ୍ୟରେ ଏହା ହେଉଛି ଟଙ୍କାର ସବୁଠାରୁ ଦୁର୍ବଳ ପ୍ରଦର୍ଶନ । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଟଙ୍କାରେ ମୂଲ୍ୟରେ ୬ ପ୍ରତିଶତ ହ୍ରାସ ଘଟିଥିବା ଦେଖାଯାଇଛି ।

ଆଜି ସକାଳୁ ଟଙ୍କାର କାରବାର ୭୮.୫୩ ସ୍ତରରୁ ଆରମ୍ଭ ହୋଇଥିଲା । ଅନ୍ତର୍ଜାତୀୟ ବଜାରରେ ବର୍ତ୍ତମାନ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ସହ ପ୍ରତି ବ୍ୟାରେଲ ପିଛା ୧୧୬ ଡଲାରରେ କାରବାର ଚାଲିଛି । ଗତକାଲି ଆମେରିକୀୟ ଡଲାର ମୁକାବିଲାରେ ଟଙ୍କା ୭୮.୩୭ରେ ବନ୍ଦ ହୋଇଥିଲା । ଏବେ ଡଲାର ଇଣ୍ଡେକ୍ସ ବୃଦ୍ଧି ପାଇ ୧୦୩.୬୮୦ରେ ସ୍ତରରେ ରହିଛି ।

ବିଶ୍ୱର ଛଅଟି ମୁଖ୍ୟ କରେନ୍ସିର ମୁକାବିଲାରେ ଏବେ ଡଲାର ମଜବୁତ ସ୍ଥିତିରେ ରହିଥିବା ଜଣାପଡ଼ିଛି । ଶେୟାର ବଜାରର ଅସ୍ଥାୟୀ ତଥ୍ୟ ମୁତାବକ, ବିଦେଶୀ ସଂସ୍ଥାର ନିବେଶକମାନେ ଗତକାଲି ୧୨୭୮.୪୨ କୋଟି ଟଙ୍କାର ଶେୟାର ବିକ୍ରି କରିଥିଲେ । ଭାରତ ତା’ର ମୋଟ ଆବଶ୍ୟକତା ଅନୁଯାୟୀ ୮୫ ପ୍ରତିଶତ ତୈଳ ଓ ୫୦ ପ୍ରତିଶତ ଗ୍ୟାସ ଆମଦାନୀ କରିଥାଏ । ତେବେ ଅଶୋଧିତ ତୈଳ ଓ ଅନ୍ୟ ସମାଗ୍ରୀର ଦରବୃଦ୍ଧି କାରଣରୁ ଏହାର ପ୍ରତିକୂଳ ପ୍ରଭାବ ଦେଶର ବିତ୍ତୀୟ ସ୍ଥିତିକୁ ବିଗାଡ଼ି ଦେଇଛି । ଦେଶରେ ଅଶୋଧିତ ତୈଳର ଆମଦାନୀ ବିଲ ମେ ମାସରେ ଦୁଇଗୁଣା ବୃଦ୍ଧି ପାଇ ୧୯.୧୯ ଅରବ ଡଲାରେ ପହଞ୍ଚିଛି ।

Get real time updates directly on you device, subscribe now.